କୋହଲିଙ୍କ ଖରାପ ଫର୍ମକୁ ନେଇ ବାଦ ବିବାଦ, ସମର୍ଥନ ଓ ବିରୋଧରେ ବାହାରିଲେ ପୂର୍ବତନ କ୍ରିକେଟର

1 min read

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ଏକ ଚର୍ଚ୍ଚିତ ଚେହେରା ଭାରତୀୟ କ୍ରିକେଟ ଟିମର ବ୍ଯାଟ୍ସମ୍ୟାନ ବିରାଟ କୋହଲିଙ୍କୁ ନେଇ ଏବେ ବିବାଦ ଘନାଉଛି । ଲଗାତାର ଖରାପ ପ୍ରଦର୍ଶନ କରି ନିଜେ କୋହଲି ସମାଲୋଚନା ଘେରକୁ ଟାଣି ହୋଇଯାଇଛନ୍ତି । ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଭାରତୀୟ ଟିମ୍ ଯାଇଛି । ଟେଷ୍ଟ ଓ ଟି-୨୦ ମ୍ୟାଚରେ ବିରାଟ ଲଜ୍ଜାଜନକ ପ୍ରଦର୍ଶନ କରିଥିଲେ । ଏହାପରେ ତାଙ୍କୁ ଦଳରୁ ବସାଇ ଦେବା ପାଇଁ ଦାବି ହେଉଛି । ପୂର୍ବତନ କ୍ରିକେଟର ମାନେ ମଧ୍ୟ ତାଙ୍କୁ କିଛି ଦିନ ଦଳରୁ ବାହାର କରି ତାଙ୍କ ସ୍ଥାନରେ ଯୁବ ଚେହେରାଙ୍କୁ ସୁଯୋଗ ଦେବା ପାଇଁ ଦାବି କରିଛନ୍ତି । ଆଗକୁ ଟି-୨୦ ବିଶ୍ୱକପ ରହିଛି ଏହି ପରିପେକ୍ଷିରେ ଯଦି ବିରାଟଙ୍କର ଲଗାତାର ଖରାପ ପ୍ରଦର୍ଶନ କରନ୍ତି ଦଳରୁ ତାଙ୍କୁ ଡ୍ରପ କରିବା ନେଇ ଚର୍ଚ୍ଚା ଜାରି ରହିଛି ।

କପିଲ ଦେବଙ୍କ ଟିପ୍ପଣୀ ପରେ କୋହଲିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା  । ୧୯୮୩ରେ ପ୍ରଥମଥର ଭାରତକୁ ବିଶ୍ୱକପ୍ ଦେଇଥିବା କପିଲ ଦେବ ବିରାଟ କୋହଲିଙ୍କୁ ଡ୍ରପ କରିବା କଥା କହିଛନ୍ତି । ତାଙ୍କର ଏହି ଟିପ୍ପଣୀ ପରେ କିଛି ପୂର୍ବତନ କ୍ରିକେଟର ବିରାଟଙ୍କ ସମର୍ଥନରେ ବାହାରିଥିବା ବେଳେ ଆଉ କିଛି କପିଲଙ୍କ ପରାମର୍ଶକୁ ସମର୍ଥନ କରିଛନ୍ତି  । କପିଲ ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଥିଲେ, ଆପଣଙ୍କ ପାଖରେ ଅନେକ ବିକଳ୍ପ ଅଛନ୍ତି । ଯିଏ ଫର୍ମରେ ଅଛନ୍ତି ସେମାନଙ୍କୁ ଖେଳାନ୍ତୁ । କେବଳ ବଡ଼ ନାଁ ଆଧାରରେ ଯାଆନ୍ତୁ ନାହିଁ, ଆପଣଙ୍କୁ ଦେଖିବାର ଅଛି ଯେ ଏବେ କିଏ ଫର୍ମରେ ଅଛି । ଆପଣ ପ୍ରତିଷ୍ଠିତ ଖେଳାଳି ହୋଇପାରନ୍ତି କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଲଗାତାର ୫ଟି ମ୍ୟାଚରେ ଖରାପ ପ୍ରଦର୍ଶନ କରି ପୁଣି ଆପଣଙ୍କୁ ସ୍ଥାନ ମିଳିବ । ଯଦି ବିଶ୍ୱର ନମ୍ବର ଦୁଇ ବୋଲର ରବିଚନ୍ଦନ ଅଶ୍ୱିନୀ ଟେଷ୍ଟ ଟିମରୁ ବାହାରି ପାରୁଛନ୍ତି ତେବେ ବିଶ୍ୱର ନମ୍ବର ୧ ଖେଳାଳି ଡ୍ରପ ହେବାରେ ଅସୁବିଧା କେଉଁଠି । କପିଲଙ୍କ ଏହି ବୟାନ ପରେ କୋହଲିଙ୍କୁ ଟିମ୍ ରେ ସାମିଲକୁ ନେଇ ପ୍ରଶ୍ନ ଛିଡା ହୋଇଛି  । ଅବଶ୍ୟ କପିଲ କୋହଲିଙ୍କ ନାଁ ପ୍ରତ୍ୟେକ୍ଷ ନେଇ ନଥିଲେ  । ହେଲେ ଇସାରା ସମ୍ପୂର୍ଣ୍ଣ ଭାବେ କୋହଲିଙ୍କୁ ଆଡକୁ ରହିଥିଲା  ।

ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ ଟେଷ୍ଟର ଦୁଇଟି ଯାକ ଇନିଂସରେ ମୋଟ ୩୧ ରନ୍ କରିଥିଲେ । ଏହାପରେ ଦ୍ୱିତୀୟ ଟି୨୦ ମ୍ୟାଚରେ ୧ ରନ୍ ଏବଂ ତୃତୀୟ ମ୍ୟାଚରେ ୧୧ ରନ୍ କରିଥିଲେ । ପ୍ରଥମ ଟି-୨୦ରେ ଦୀପକ ହୁଡା ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ କୋହଲିଙ୍କ ପାଇଁ ତାଙ୍କୁ ଅନ୍ୟ ଦୁଇଟି ମ୍ୟାଚରେ ବସିବାକୁ ପଡିଥିଲା ।

ତେବେ କପିଲ ଦେବଙ୍କ ଏହି ବୟାନ ପରେ ରୋହିତ ଶର୍ମା ପ୍ରତିକ୍ରିୟାଶୀଳ ହୋଇଛନ୍ତି । ସେ କହିଛନ୍ତି ସେ ବାହାରେ ବସି ମ୍ୟାଚ ଦେଖୁଛନ୍ତି , ଭିତରେ କଣ ଚାଲୁଛି ତାଙ୍କୁ କିଛି ଜଣା ନାହିଁ । ଆମର ଏକ ବିଚାର ଏବଂ ପ୍ରକ୍ରିୟା ରହିଛି । ଆମେ ଦଳ ପ୍ରସ୍ତୁତ କରିଛୁ ଏବଂ ଏହା ପଛରେ ଅନେକ ବିଚାର ବିମର୍ଶ ରହିଛି  । ଆମେ ସୁଯୋଗ ଦେଇଥାଉ ଏବଂ ସାଥିରେ ଛିଡା ରହିଥାଉ । ଏ ସବୁ ଜିନିଷ ଆପଣ ବାହାରେ ବସି ଜାଣି ପାରିବେ ନାହିଁ । ବାହାରେ ଯେଉଁ ଆଲୋଚନା ଚାଲିଛି ତାହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ରୋହିତ କହିଛନ୍ତି ।

ସେପଟେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭାନ ଟି-୨୦ ବିଶ୍ୱକପରେ ଭାରତୀୟ ଦଳରେ ବିରାଟ କୋହଲିଙ୍କୁ ସ୍ଥାନ ମିଳିବା ସପକ୍ଷରେ ନାହାନ୍ତି । ସେ କହିଛନ୍ତି ଯଦି ମୋତେ ଟିମ୍ ଚୟନ କରିବା ପାଇଁ ଦାୟିତ୍ୱ ମିଳିବ ତେବେ ବୋଧହୁଏ ଏହି ଟିମରେ ବିରାଟ କୋହଲି ସ୍ଥାନ ରହିବନାହିଁ  । ବର୍ତ୍ତମାନର ଫର୍ମ ଆଧାରରେ ଟିମ୍ ଚୟନ କରାଯିବ  ।

ଅନ୍ୟପକ୍ଷରେ ଭାରତୀୟ ବୋଲର ଭେଙ୍କଟେଶ ପ୍ରସାଦ ମଧ୍ୟ କୋହିଲଙ୍କ ଦଳରେ ସ୍ଥାନ ପାଇବା ସପକ୍ଷରେ ନାହାନ୍ତି  । ସେ କହିଛନ୍ତି ଏକଦା ଭାରତୀୟ ଦଳର ପୂର୍ବତନ ଖେଳାଳି ଯୁବରାଜ, ହରବଜନ, ସେହୱାଗ, ଓ ଅନ୍ୟ ଦିଗଜ ଖେଳାଳି ଖରାପ ଫର୍ମ ପାଇଁ ଦଳରୁ ଡ୍ରପ ହୋଇଛନ୍ତି  । ଡୋମେଷ୍ଟିକ କ୍ରିକେଟ ଖେଳି ଭଲ ପ୍ରଦର୍ଶନ କରିବା ପରେ ପୁଣି ଦଳକୁ ଫେରିଛନ୍ତି । ଏପରି ସ୍ଥିତିରେ ଖରାପ ଖେଳୁଥିବା ଖେଳାଳିଙ୍କୁ ବସେଇଦେବା ଆବଶ୍ୟକ  । କାହାର ପୂର୍ବ ରେକର୍ଡକୁ ନେଇ ଦଳରେ ସ୍ଥାନ ନଦିଆଯିବା ଆବଶ୍ୟକ  ।

ବିରାଟଙ୍କଙ୍କୁ ପୂର୍ବତନ କ୍ରିକେଟର ମାନେ ସମାଲୋଚନା କରୁଥିବା ବେଳେ ପୂର୍ବତନ କ୍ରିକେଟର ସୁନୀଲ ଗାଭାଷ୍କର ତାଙ୍କ ସପକ୍ଷରେ ବାହାରିଛନ୍ତି । ସୁନୀଲ କହିଛନ୍ତି, ଯେତବେଳେ ରୋହିତ ଶର୍ମା ରନ୍ କରିପାରୁନଥିଲେ ସେସମୟରେ ତ କେହି ପାଟି ଫିଟାଉନଥିଲେ  ।  ଅନ୍ୟ ଖେଳାଳି ରନ୍ ନକଲେ ସେତବେଳେ କେହି କିଛି କହୁନଥିଲେ କଣ ପାଇଁ  । ଆପଣ କେବଳ ଫର୍ମ କଥା କହୁଛନ୍ତି, ହେଲେ ଏବେ ଟିମ୍ ଯେଉଁ ସ୍ଥିତିରେ ଖେଳୁଛି ସେଠାରେ ଆପଣ ଅନେକ ବିଫଳ ହୋଇପାରନ୍ତି । ବିଶ୍ୱକପ ପାଇଁ ଟିମ୍ ଚୟନ କରିବାକୁ ଏବେବି ୨ମାସ ସମୟ ହାତରେ ଅଛି । ଏବେଠୁ କାହାକୁ ବାହର କରିବା ବା କାହାକୁ ଖେଳାଇବା କହିବା ଠିକ୍ ହେବ ନାହିଁ । ସେପର୍ଯନ୍ତ ଅପେକ୍ଷା କରି ଫର୍ମ ଦେଖି ସିଲେକ୍ସନ କରାଯିବା ଆବଶ୍ୟକ  ।

କୋହିଲଙ୍କ ପୂର୍ବ ରେକର୍ଡ ଯଦି ଦେଖିବା ତେବେ ୩ ବର୍ଷ ପୂର୍ବେ ବିରାଟ ଜୋ’ ରୁଟ୍, କେନ ୱିଲିୟମସନ ଏବଂ ଷ୍ଟିଭେନ ସ୍ମିତଙ୍କ ସହ ବିଶ୍ୱର ୪ ଉତ୍ତମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ତାଙ୍କ ନାଁ ଗଣାଯାଉଥିଲା  । ୩ ବର୍ଷ ପୂର୍ବ ପର୍ଯ୍ୟନ୍ତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରାୟ ସମସ୍ତ ରେକର୍ଡ ବିପଦରେ ଥିବା ନଜର ଆସିଥିଲା  । କାରଣ ବିରାଟ ଗୋଟିଏ ପରେ ଗୋଟିଏ ସଫଳତା ପାଇବାରେ ଲାଗିଥିଲେ । ପ୍ରତି ୪ଟି ମ୍ୟାଚ ମଧ୍ୟରୁ ଗୋଟିଏ ମ୍ୟାଚରେ ଶତକ ଅବଶ୍ୟ ମାରୁଥିଲେ । କିନ୍ତୁ ୨୦୧୯ ପରେ ସବୁକିଛି ଥମିଯାଇଥିଲା  । ୩ ବର୍ଷ ହେବ ଗୋଟିଏ ବି ଶତକ କରିବାରେ ସକ୍ଷମ ହୋଇନାହାନ୍ତି କୋହଲି । ଶେଷଥର ପାଇଁ ସେ ୨୦୧୯ ନଭେମ୍ବରରେ ବାଂଲାଦେଶ ବିପକ୍ଷରେ ଶତକ କରିଥିଲେ  ।