ଧୋନୀଙ୍କ ମେସେଞ୍ଜରର କଥା ଶୁଣୁନଥିଲେ କୋହଲି !

ଭୁବନେଶ୍ବର: ବିଶ୍ବକପ ଇତିହାସରେ ପାକିସ୍ତାନ ପ୍ରଥମ ଥର ଭାରତକୁ ହରାଇ ଐତିହାସିକ ବିଜୟ ହାସଲ କରିଛି । ଯାହାକୁ ନେଇ ଭାରତରେ ନିରାଶା ଖେଳି ଯାଇଥିବା ବେଳେ ପାକିସ୍ତାନରେ ଉତ୍ସବ ଚାଲିଛି । ମ୍ୟାଚ ସମୟରେ ଘଟିଥିବା କିଛି ଘଟଣାକୁ ନେଇ ଆଉ ଏକ କଥା ଆଲୋଚନା ହେଉଛି । କୁହାଯାଉଛି, ମ୍ୟାଚରେ କେବଳ ବିରାଟ କୋହଲି ନୁହେଁ ମେଣ୍ଟର ମହେନ୍ଦ୍ର ସିଂ ଧୋନୀଙ୍କ ମୁଣ୍ଡ ବି କାମ କରୁଥିଲା । ଉଭୟଙ୍କ ମଧ୍ୟରେ ମ୍ୟାଚ୍ ସମୟରେ ସବୁବେଳେ ମେସେଞ୍ଜରଙ୍କ ଜରିଆରେ କ’ଣ କରାଯିବ, କ’ଣ କରାଯିବନି ଆଲୋଚନା ହେଉଥିଲା । ଆଉ ଏହି ମେସେଞ୍ଜର ଥିଲେ ଇଶାନ କିଶନ । ଉଭୟଙ୍କ ମଧ୍ୟରେ କି ସୂଚନା ଦିଆନିଆ ହେଉଥିଲା ତାହା ଜଣା ନଥିଲେ ବି ବିରାଟ, ଧୋନୀଙ୍କ ସୂଚନାକୁ ଗ୍ରହଣ କରିବା ବଦଳରେ ନିଜ ଇଚ୍ଛାରେ ନିଷ୍ପତ୍ତି ନେବା ପରି ମନେ ହେଉଥିଲା ।

କେତେବେଳେ ଓଭର ସରିଲେ ତ ଆଉ କେତେବେଳେ ମ୍ୟାଚର ଗୁରୁତ୍ବପୂର୍ଣ୍ଣ ସମୟରେ ଇଶାନ କିଶାନ ପଡ଼ିଆରେ ହାଜର ହୋଇ ଯାଉଥିଲେ ଓ କୋହଲିଙ୍କ ସୂଚନା ନେଇ ଧୋନୀଙ୍କ ପାଖରେ ପହଞ୍ଚାଉ ଥିଲେ । ସେହିପରି ମ୍ୟାଚର କେଉଁ ସମୟରେ କେଉଁ ନିଷ୍ପତ୍ତି ନେବେ ତାହା ମଧ୍ୟ ଧୋନୀ ଇଶାନଙ୍କ ଜରିଆରେ କୋହଲିଙ୍କ ପାଖରେ ପହଞ୍ଚାଉଥିଲେ ।

ହେଲେ କୋହଲି, ଧୋନୀଙ୍କ ପରାମର୍ଶ ଗ୍ରହଣ କରୁଥିବା ପରି ମନେ ହେଉ ନଥିଲା । ଗୋଟିଏ ସମୟରେ ଭାରତ ଦୃଢ଼ ସ୍ଥିତିରେ ଥିଲା । କୋହଲି ଓ ରିଷଭ୍ ପନ୍ତ ଭଲ ବ୍ୟାଟି କରୁଥିଲେ । ଏହି ସମୟରେ ଇଶାନ ଧୋନୀଙ୍କ କିଛି ସୂଚନା ନେଇ ପଡ଼ିଆକୁ ଆସିଥିଲେ । ଏହାର ଜବାରେ କୋହଲି ନିଜ ନିଷ୍ପତ୍ତି ଶୁଣାଇଥିଲେ । କୋହିଲଙ୍କ ହିସାବରେ ରାଇଟ୍ ହ୍ୟାଣ୍ଡ ବ୍ୟାଟ୍ସମ୍ୟାନ ଆଉଟ୍ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରିଷଭ୍ ପନ୍ତ ଆଉଟ ହେଲେ ଲେଫ୍ଟ ହ୍ୟାଣ୍ଡ ବ୍ୟାଟ୍ସମ୍ୟାନ ରବୀନ୍ଦ୍ର ଜାଡ଼େଜା ପଡ଼ିଆକୁ ଆସିବେ । ପରେ ତାହା ହିଁ ଦେଖିବାକୁ ମିଳିଥିଲା । ପନ୍ତ ଆଉଟ ହେବା ପରେ ଜାଡେଜା ପଡ଼ିଆକୁ ଆସିଥିଲେ ।

ବ୍ୟାଟିଂ ସମୟରେ ଇଶାନ ଆସି କୋହଲିଙ୍କୁ କିଛି ସୂଚନା ଦେଇଥିଲେ । ଏହାପରେ କୋହଲି ଚୌକା ମାରିଥିଲେ । ହୁଏତ ଧୋନୀଙ୍କ ତରଫରୁ ମେସେଜ ଯାଇଥିବ ୧୫ ଓଭର ହୋଇଗଲାଣି, ଏବେ ଦ୍ରୁତ୍ ରନ୍ ସଂଗ୍ରହ କର । କାରଣ ହିଟମ୍ୟାନ୍ ହାର୍ଦ୍ଦିକ ସେପର୍ଯ୍ୟନ୍ତ ପଡ଼ିଆକୁ ଓହ୍ଲାଇ ନଥିଲେ । ହେଲେ କୋହଲି ଓ ଜାଡେଜା ଦ୍ରୁତ ରନ୍ ସଂଗ୍ରହ କରିବାରେ ବିଫଳ ହୋଇଥିଲେ ଓ ଛକା ମାରିବାକୁ ଚେଷ୍ଟା କରି ୧୮ତମ ଓଭରରେ ଜାଡେଜା ଆଉଟ ହୋଇଯାଇଥିଲେ ।

ସେପଟେ ଆହତ ହାର୍ଦ୍ଦିକଙ୍କ ସ୍ଥାନରେ ଧୋନୀ ଇଶାନଙ୍କୁ ଫିଲ୍ଡିଂ ପାଇଁ ପଡ଼ିଆକୁ ଛାଡିଥିଲେ । ସେତେବେଳେ କୋହଲି ପ୍ରଥମ ୪ ଓଭର ୪ ଜଣ ବୋଲର ଭୁବନେଶ୍ବର କୁମାର, ମହମ୍ମଦ ଶାମି, ଜସପ୍ରିତ ବୁମ୍ରା ଏବଂ ବରୁଣ ଚର୍କବର୍ତ୍ତୀଙ୍କ ଦ୍ବାରା କରାଇଥିଲେ । ହେଲେ କାହାରିଙ୍କ ବୋଲିଂ କାମ ଦେଇ ନଥିଲା ଓ ପାକିସ୍ତାନ ୧୫୨ ରନର ବିଜୟ ଲକ୍ଷ୍ୟକୁ ବିନା କୌଣସି ଓ୍ବିକେଟ ହରାଇ ହାସଲ କରିବା ସହ ଭାରତ ବିରୋଧରେ କୌଣସି ବିଶ୍ବକପରେ ପ୍ରଥମ ଥର ଜିତିବାର ରେକର୍ଡ ନିଜ ନାଁରେ କରିନେଲା ।

ତେବେ କୋହଲି ଓ ଧୋନୀଙ୍କ ମଧ୍ୟରେ କ’ଣ ସୂଚନା ଦିଆାନିଆ ହେଉଥିଲା ? କୋହଲି ଧୋନୀଙ୍କ ପରାମର୍ଶ ମାନୁଥିଲେ କି ? ନା ନିଜ ହିସାବରେ ଖେଳକୁ ପରିଚାଳନା କରୁଥିଲେ, ଏହା କେବଳ ଇଶାନ କିଶାନଙ୍କୁ ହିଁ ଜଣାଥିବ ।

Leave a Reply