spot_img

Latest Posts

‘ଓଡ଼ିଶାକୁ ଦେଶର ପ୍ରମୁଖ ଆଇଟି ହବ୍‌ ଭାବେ ଗଢ଼ିବାକୁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ’

ଭୁବନେଶ୍ୱର: ବଦଳୁଥିବା ବୈଷୟିକ ଜ୍ଞାନକୌଶଳର ପରିଭାଷା ଏବଂ ବିଶ୍ୱରେ ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ନେଇ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କ ଏକ ଜ୍ଞାନ ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଇଲକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ରଙ୍କ ସମେତ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଏବଂ ମାଲକାନଗିରି ଜିଲ୍ଲାପାଳ ଭିଶାଲ ସିଂହ ସାମିଲ ହୋଇ ସରକାରୀ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ନେଇ ଥିବା ବିଭିନ୍ନ ଆହ୍ୱାନ ଓ ସୁଯୋଗ ବିଷୟରେ ନିଜର ମତ ରଖିଛନ୍ତି ।

ନୂତନ ଟେକ୍ନୋଲୋଜି କିପରି ଡିଜିଟାଲ୍‌ ଏବଂ ଫିଜିକାଲ୍‌ ମଧ୍ୟରେ ସେତୁ ସାଜିବା ସହ ସାଧାରଣ ସେବା ପ୍ରଦାନ ପଦ୍ଧତିରେ ପରିବର୍ତ୍ତନ ଆଣିବାରେ ନୂଆ ବାଟ ଦେଖାଇବ, ସେନେଇ କାର୍ଯ୍ୟକ୍ରମରେ ବିଚାରବିମର୍ଶ କରାଯାଇଛି । ଆଗାମୀ ଦଶନ୍ଧିରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆସିବାକୁ ଥିବା ନୂତନତା ଏବଂ ସେଗୁଡ଼ିକର ବ୍ୟବହାରିତା ନେଇ ମଧ୍ୟ ଅଧିବେଶନରେ ଆଲୋଚନା ହୋଇଛି । ନାଗରିକମାନଙ୍କୁ ନିରନ୍ତର ଏବଂ ସ୍ୱଚ୍ଛ ଭାବେ ସେବା ଯୋଗାଇବା, ନୂତନ ମୂଲ୍ୟବୋଧ ପ୍ରଦାନ, ପ୍ରକ୍ରିୟାଗୁଡ଼ିକୁ ଶୃଙ୍ଖଳିତ କରିବା ଏବଂ ନିଜ ନିଜ ସଂସ୍ଥାରେ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ସରକାରୀ ସଂସ୍ଥାଗୁଡ଼ିକ ନୂତନ ପ୍ରଯୁକ୍ତିବିଦ୍ୟା ଯଥାଶୀଘ୍ର ବ୍ୟବହାର କରିବା ଉପରେ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ଏହି ଅଧିବେଶନକୁ ସମ୍ବୋଧିତ କରି ମନୋଜ କୁମାର ମିଶ୍ର କହିଛନ୍ତି, ୫-‘ଟି’ ମନ୍ତ୍ରରେ ପ୍ରଯୁକ୍ତିବିଦ୍ୟା ହେଉଛି ଏକ ପ୍ରମୁଖ ଅଂଶ । ଉପଯୁକ୍ତ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ହିଁ ନିର୍ଦ୍ଧାରଣ କରିବ ସରକାରୀ ସଂସ୍ଥାଗୁଡ଼ିକ କିପରି ସାଧାରଣ ସେବା କ୍ଷେତ୍ରରେ ଥିବା ବ୍ୟାପକ ସୁଯୋଗର ଉପଯୋଗ କରିପାରୁଛନ୍ତି । ଆମେ ନିଜକୁ ଏପରି ପ୍ରସ୍ତୁତ କରିବାକୁ ପଡ଼ିବ, ଯେପରି ବିନା ଆବେଦନରେ ନାଗରିକମାନଙ୍କ ନିକଟରେ ଆମେ ସାଧାରଣ ସେବା ପହଞ୍ଚାଇ ପାରିବା । ବିଶ୍ୱରେ ସରକାରୀ ସଂସ୍ଥାଗୁଡ଼ିକ ନୂଆ ବୈଷୟିକ ଜ୍ଞାନକୌଶଳକୁ ଆପଣାଇ ଲୋକଙ୍କ ସମସ୍ୟାର ସମାଧାନ କରୁଛନ୍ତି । ଏପରି କି ପୂର୍ବରୁ ସମାଧାନ ହୋଇପାରୁନଥିବା ସମସ୍ୟାଗୁଡ଼ିକର ମଧ୍ୟ ସମାଧାନ ହୋଇପାରୁଛି ।

ନୂତନ ଟେକ୍ନୋଲୋଜିଗୁଡ଼ିକ ଦ୍ରୁତ ଗତିରେ ମୁଖ୍ୟ ସ୍ରୋତରେ ପରିଣତ ହେଉଥିବାରୁ ସରକାରୀ ସଂସ୍ଥାଗୁଡ଼ିକ ବ୍ୟବହାର କରୁଥିବା ଟେକ୍ନୋଲୋଜିରେ ମଧ୍ୟ ବିରାଟ ପରିବର୍ତ୍ତନ ଆସିଛି । ଅଧିବେଶନରେ ଜନସାଧାରଣଙ୍କ ମଧ୍ୟରେ ଡିଜିଟାଲ୍‌ ସେବା ନେଇ ବଢୁଥିବା ସଚେତନତା ବିଷୟରେ ମଧ୍ୟ ଆଲୋଚନା କରାଯାଇଛି ଯାହା ସହଜ, ଶୀଘ୍ର ଏବଂ ସ୍ୱଚ୍ଛ । ଯୁଗ ସହିତ ତାଳ ଦେଇ ବର୍ତ୍ତମାନ ଆଞ୍ଚଳିକ ସରକାରଗୁଡ଼ିକ ମଧ୍ୟ ନୂଆ ଜ୍ଞାନକୌଶଳ ଆପଣାଇବା ଦିଗରେ ଅଗ୍ରସର ହେଉଛନ୍ତି ଯାହା ନାଗରିକମାନଙ୍କୁ ଉତ୍ତମ ସେବା ଯୋଗାଇବ । ଅଧିବେଶନର ଶେଷରେ ଶ୍ରୀ ମିଶ୍ର କହିଛନ୍ତି, ଜନସେବାଗୁଡ଼ିକୁ ସହଜ ଏବଂ ସରଳ କରିବାର ଏକମାତ୍ର ଉପାୟ ହେଉଛି ସରକାରୀ ସଂସ୍ଥାଗୁଡ଼ିକ ନୂଆ ଟେକ୍ନୋଲୋଜି ଗ୍ରହଣ କରିବା ଯାହା ସ୍ୱଚ୍ଛତା ବଜାୟ ସହ ଶାସନରେ ନାଗରିକମାନଙ୍କର ଅଧିକ ଅଂଶଗ୍ରହଣ ନିଶ୍ଚିତ କରିବ ।

ସୂଚନା ଓ ପ୍ରଯୁକ୍ତିବିଦ୍ୟା ପାଇଁ ଲକ୍ଷ୍ୟ: ଓଡ଼ିଶାକୁ ଦେଶର ପ୍ରମୁଖ ଆଇଟି ହବ୍‌ ଭାବେ ଗଢ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ରହିଛି । ଏହା ଅର୍ଥନୈତିକ ଅଭିବୃଦ୍ଧି, ଶିକ୍ଷିତ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି ସହ ନୂତନତାକୁ ପ୍ରୋତ୍ସାହନ, ଉଦ୍ୟୋଗୀତା ଓ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବ । ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ ଇଲେକ୍‌ଟ୍ରୋନିକ୍ସର ବ୍ୟବହାର ଦ୍ୱାରା ଶାସନ ବ୍ୟବସ୍ଥାରେ ଲୋକମାନଙ୍କ ଭାଗୀଦାରି ବୃଦ୍ଧି ସହ ଓଡ଼ିଶାକୁ ଏକ ନୂତନତା ଏବଂ ଜ୍ଞାନ କୈନ୍ଦ୍ରିକ ସମାଜରେ ପରିଣତ କରିବାକୁ ଲକ୍ଷ୍ୟ ରହିଛି । ୫-‘ଟି’ ମନ୍ତ୍ରରେ ପ୍ରଯୁକ୍ତିବିଦ୍ୟା ଏକ ପ୍ରମୁଖ ଅଂଶ ହୋଇଥିବାରୁ, ଲୋକମାନଙ୍କ ପାଖରେ ସହଜରେ ସରକାରୀ ସୁବିଧା ପହଞ୍ଚାଇବାକୁ ବିଭାଗ ସବୁବେଳେ ଅଭିନବ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛି ।

ଯୁଗ ସହିତ ତାଳ ଦେଇ ଶିଳ୍ପ ବିପ୍ଳବ (୪.୦) ପାଇଁ ଦକ୍ଷ ମାନବସମ୍ବଳ ସୃଷ୍ଟି କରିବା ଦିଗରେ ବିଭାଗ କାର୍ଯ୍ୟ ଜାରି ରଖିଛି । ଇଂଜିନିୟରିଂ କଲେଜ ଏବଂ ବୈଷୟିକ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନୂଆ ଜ୍ଞାନକୌଶଳ ବିଷୟରେ ଅବଗତ କରାଇବା ପାଇଁ ବିଭାଗ ବିଶେଷ ଧ୍ୟାନ ଦେଉଛି । ଓଡ଼ିଶା, ଗତ କିଛି ବର୍ଷ ମଧ୍ୟରେ ବ୍ୟବସାୟ ଏବଂ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-‘ଟି’ ଶାସନ ମଡେଲକୁ ସଫଳ କରିବା ସହ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିବାକୁ ବିଭାଗ ସ୍ଥାୟୀ ପ୍ରୟାସ ଜାରି ରଖିଛି ।

ବିଶ୍ୱର ପ୍ରମୁଖ ଆଇଟି ଉଦ୍ୟୋଗର ଶାଖା ରାଜ୍ୟରେ ଖୋଲିବା ପରେ ଏହି ପ୍ରୟାସ ଏବେ ଫଳପ୍ରଦ ହେଉଛି । ରାଜ୍ୟରେ ଦ୍ରୁତ ପରିବର୍ତ୍ତନଶୀଳ ଆଇଟି ଶିଳ୍ପକୁ ଆହୁରି ସମୃଦ୍ଧ କରିବା ପାଇଁ ବିଶ୍ୱର ପ୍ରମୁଖ ଇଲେକ୍‌ଟ୍ରୋନିକ୍ସ ଏବଂ ଡାଟା ସେଣ୍ଟର ଉଦ୍ୟୋଗଗୁଡ଼ିକ ଓଡ଼ିଶାରେ ନିଜ ବ୍ୟବସାୟ ପ୍ରସାର କରିବାକୁ ଆଗେଇ ଆସୁଛନ୍ତି । ଲୋକମାନଙ୍କୁ ସୁବିଧାରେ ସାଧାରଣ ସେବା ଯୋଗାଇବାର ବୃହତ୍ତର ଲକ୍ଷ୍ୟ ହାସଲ କରିବାକୁ ଓଡ଼ିଶା ବିଭିନ୍ନ ଉଲ୍ଲେଖନୀୟ ଆଇଟି ପଦକ୍ଷେପ ନେଇଛି । ପ୍ରମୁଖ ପଦକ୍ଷେପ ଭାବେ, ମୁଖ୍ୟମନ୍ତ୍ରୀ ଡାସବୋର୍ଡ, ଓଡ଼ିଶାୱାନ୍‌, କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଏସପିଡିପି, ସାମ୍ସ, କୃଷକ ଓଡ଼ିଶା, ଗୋ ସୁଗମ, ସଫଳ, ଜନଶୁଣାଣି, ପ୍ୟାଡି ଆନାଲିଟିକ୍ସ, ମାଇନିଂ ଆନାଲିଟିକ୍ସ, ସ୍କଲାରସିପ୍‌ ପୋର୍ଟାଲ ଆଦି ଅନ୍ୟତମ ।

Latest Posts

Don't Miss