ଆସିବ କି ୪ର୍ଥ ଲହର…? ଚୀନରେ ବଢୁ ଥିବା ସଂକ୍ରମଣକୁ ଦେଖି ଚିନ୍ତାରେ ଭାରତ

1 min read

ନୂଆଦିଲ୍ଲୀ: ଚୀନ ଏବଂ ୟୁରୋପରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଏହାକୁ ନେଇ ଏବେ ଆଶଙ୍କା କରାଯାଉଛି ଯେ, ହୁଏତ କରୋନାର ଏ ହେଉଛି ୪ର୍ଥ ଲହର । ଆଉ ଏହି ସଂକ୍ରମଣ ବଢିବା ପଛରେ କରୋନାର ଓମିକ୍ରନ ଭାରିଏଣ୍ଟ ରହୁଥିବା କୁହାଯାଉଛି । ଓମିକ୍ରନର ସବ୍-ଭାରିଏଣ୍ଟ BA2 ଦକ୍ଷିଣ କୋରିଆରେ ବଢିବାରେ ଲାଗିଛି । ଅନ୍ୟପଟେ ବ୍ରିଟେନ ଏବଂ ଅନ୍ୟ ୟୁରୋପିୟ ସହରରେ ଗୋଟିଏ ଦିନରେ ୬ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି ।  ଯଦିଓ ବର୍ତ୍ତମାନ ଭାରତରେ କରୋନାର ୪ର୍ଥ ଲହର ଆସିବା ନେଇ ଭାରତୀୟ ଏକ୍ସପର୍ଟ ଚିନ୍ତିତ ନାହାଁନ୍ତି ।

ଅନ୍ୟପଟେ, ଚୀନରେ କୋଭିଡ ବିପତ୍ତି ବଢିବାରେ ଲଗିଛି । ୯୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସେନୟାଙ୍ଗ ସହରକୁ ଘୋଷଣା କରାଯାଇଛି ଲକଡାଉନ । ଗୋଟିଏ ଦିନରେ ଦେଶରେ ୪ ହଜାର ୭୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ କଡା କଟକଣା ଲାଗୁ କରାଯାଇଛି । ଏହା ସହ ୪୭ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ସେନୟାଙ୍ଗ ସହରକୁ ଲକଡାଉନ ଘୋଷଣା କରାଯାଇଛି ।

ଏହି ସହରରେ ବିଏମଡବ୍ଲୁ କାର କମ୍ପାନିର କାରଖାନା ରହିଥିବାବେଳେ ଅନେକ ବଡ କମ୍ପାନୀର କାରଖାନା ଓ ଅଫିସ ରହିଛି । ୪୮ ଘଣ୍ଟିଆ ନେଗେଟିଭ ଟେଷ୍ଟ ରିପୋର୍ଟ ବିନା ବାହାରକୁ ଯିବା ଉପରେ କଟକଣା ଲାଗୁ କରାଯାଇଛି । ଦେଶକୁ ଜିରୋ କୋଭିଡ ଘୋଷଣା କରିବା ଲକ୍ଷ୍ୟରେ ସରକାର ଉଦ୍ୟମ ଜାରି ରଖିଥିବାବେଳେ ସଂକ୍ରମଣ ବଢିବା ଯୋଗୁ ଅନେକ ସହରରେ କଟକଣା ଜାରି କରାଯାଉଛି ।