ସିମବକ୍ସର ସାଂଘାତିକ ସତ: କଟକକୁ ଆସିଥିଲା ବଂଲାଦେଶର ଅସଦୁର ଜମାନ

କଟକ: ସିମବକ୍ସ ହଇଚଇ ଭିତରେ ସାମ୍ନାକୁ ଆସିଛି ଚାଞ୍ଚଲ୍ଯକର ତଥ୍ଯ । କଟକକୁ ଆସିଥିଲା ବଂଲାଦେଶର ଅସଦୁର ଜମାନ। ଅସଦୁର ହିଁ କଟକର ଭଡ଼ାଘରେ ଖଞ୍ଜିଥିଲା ସିମବକ୍ସ। କଟକ ରାଜେନ୍ଦ୍ର ନଗରରୁ ସିମବକ୍ସ ଜବତ ପରେ ଏଭଳି ସାଂଘାତିକ ସୂଚନା ଦେଇଛି କମିଶନରେଟ ପୋଲିସ । ୨୦୨୩ ଡିସେମ୍ବରରୁ ରାଜୁ ମଣ୍ଡଳ କଟକ ମଧୁପାଟଣା ଥାନା ଅନ୍ତର୍ଗତ ରାଜେନ୍ଦ୍ର ନଗରରେ ଏକ ଭଡା ଘର ନେଇଥିଲା । ଲୁଗା ବ୍ୟବସାୟ କରିବାକୁ କହି ଘର ଭଡ଼ା ନେଇଥିଲା ରାଜୁ । ମାସିକ ଆଠ ହଜାର ଟଙ୍କା ଫୋନ୍ ପେ’ରେ ଘର ଭଡ଼ା ଦେଉଥିଲା । ଡିସେମ୍ବରରେ ବାଂଲାଦେଶର ୩୦ ବର୍ଷୀୟ ଅସଦୁର ଜମାନ କଟକ ଆସିଥିଲା । ଏହି ଭଡ଼ା ଘରେ ସେ ସିମବକ୍ସ ଖଞ୍ଜିଥିବା ବେଳେ ରାଜୁ ଏହାର ରକ୍ଷଣାବେକ୍ଷଣ କରୁଥିଲା । ଅସଦୁର ଭାରତକୁ ଭିସା କରି ଓଡ଼ିଶା ଆସିଥିଲା । ଏହାର ବୈଧତା ଆସନ୍ତା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ରହିଥିଲା ।

ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଅଗରତାଲା ଦେଇ ଭାରତ ଆସି ଡିସେମ୍ବର ୨୪ ତାରିଖରେ ପୁଣି ବଂଲାଦେଶ ଫେରିଥିଲା । ରବିବାର ରାତିରେ ପୋଲିସର ରେଡ ବେଳେ ରାଜେନ୍ଦ୍ର ନଗର ଘରୁ ୫ଟି ସିମବକ୍ସ ସହ ୪୦ଟି ସିମ କ୍ଯାରିୟର, ଗୋଟିଏ ମୋଡେମ ଏବଂ ୨୩୬ଟି ଆକ୍ଟିଭ୍ ସିମ୍ ସମେତ ମୋଟ ୫୪୬ଟି ସିମ୍ ଜବତ ହୋଇଛି । କୋଡ଼ୱାର୍ଡରେ ଚାଲିଥିଲା ସିମବକ୍ସ କାରବାର। ରାଜୁ ମଣ୍ଡଳକୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେବା ପରେ ଏଭଳି ବଡ଼ ଖୁଲାସା କରିଛି କମିଶନରେଟ ପୋଲିସ । ସାଇଣ୍ଟିଫିକ ଟିମ ମେସିନ ଗୁଡିକୁ ସିଜ କରିବା ସହ ଆରମ୍ଭ କରିଛି ଛାନଭିନ । ରାଜୁଠାରୁ ମିଳିଥିବା ଇନପୁଟ ମୁତାବକ ବାଂଲାଦେଶ, ପାକିସ୍ତାନ ସହ ଚାଇନାକୁ ଏହି ସିମବକ୍ସ ଦ୍ୱାରା କରାଯାଉଥିଲା କଲ । ଲିକ କରାଯାଉଥିଲା ଗୁରୁତ୍ୱପୂର୍ଣ୍ଣ ଡାଟା । ତେବେ ସିମବକ୍ସକୁ ନେଇ ଉଠିଛି ଅନେକ ପ୍ରଶ୍ନ । କାହା କାହା ସହ ରହିଛି ଲିଙ୍କ ? ଆଉ କେଉଁ ଦେଶ ସହ ଓଡ଼ିଶାରୁ କରାଯାଇଛି କଣ୍ଟାକ୍ଟ ? ସିମବକ୍ସ ଜରିଆରେ କେଉଁ ତଥ୍ୟ ଆଦାନ ପ୍ରଦାନ ଚାଲିଥିଲା ? ଏହି ସିଣ୍ଡିକେଟର ମାଷ୍ଟର ମାଇଣ୍ଡ କିଏ ? କେଉଁଠି ରହି ଚଳାଇଥିଲା କଳା କାରବାର ?