ବିଶ୍ୱପ୍ରସିଦ୍ଧ ବରଗଡର ‘ଧନୁଯାତ୍ରା’ରେ କିଏ ହୋଇଥିଲେ ପ୍ରଥମ କୃଷ୍ଣ ଓ ବଳରାମ, ଜାଣନ୍ତୁ…

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ସମ୍ପର୍କରେ କିଏବା ନଜାଣେ । ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ଏହି ଧନୁଯାତ୍ରାକୁ ଦେଖିବା ଲାଗି ରାଜ୍ୟତଥା ରାଜ୍ୟ ବାହାରୁ ଲୋକଙ୍କ ଭିଡ ଜମିଥାଏ । ହେଲେ ଚଳିତ ଥର କରୋନା ମହାମାରୀ କଟକଣା ଯୋଗୁଁ ଏହା ଅନୁଷ୍ଠିତ ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି ।

ଧନୁଯାତ୍ରା କେବଳ ଯେ ଏକ ଉତ୍ସବ ତା’ନୁହେଁ ଏହା ବରଗଡ ବାସୀ ତଥା ରାଜ୍ୟ ପାଇଁ ଏକପ୍ରକାର ପରମ୍ପରା ପାଲଟିଛି । ଯଦିଓ ଏହା କେବେଠୁ ଆରମ୍ଭ ହୋଇଛି, ସେନେଇ କୗେଣସି ସଠିକ୍ ତଥ୍ୟ ରହିନାହିଁ । ତଥାପି ଏହା ବହୁବର୍ଷ ଧରି ପାଳିତ ହୋଇ ଆସୁଛି। ଏପରିକି ଧନୁ ଯାତ୍ରାର କଳାକାର ଲାଗି ଅଭିନେତାଙ୍କ ଚୟନ ପ୍ରକିୟା ମଧ୍ୟ କରାଯାଇଥାଏ ।

ଏହି ଫଟୋଟି ୧୯୪୮ ପ୍ରଥମ ବରଗଡ଼ ଧନୁଯାତ୍ରା ସମୟର ଅଟେ ବୋଲି ସୁରେନ୍ଦ୍ର ହୋତା ନିଜ ପୋଷ୍ଟରେ ଦାବି କରିଛନ୍ତି 

ବରଗଡର ଧନୁଯାତ୍ରାରେ ଅନେକ କଳାକାର କୃଷ୍ଣ ଓ ବଳରାମ ରୂପରେ ଅଭିନୟ କରିସାରିଛନ୍ତି । ହେଲେ ଖୁବ୍ କମ୍ ଲୋକେ ଜାଣିଥିବେ ଯେ ପ୍ରଥମ ଧନୁଯାତ୍ରାରେ  କୃଷ୍ଣଙ୍କ ରୂପରେ ସ୍ୱର୍ଗତ ପ୍ରାଣବନ୍ଧୁ କର ଏବଂ ପ୍ରାକ୍ତନ ମେଲଛାମୁଣ୍ଡା ବିଧାୟକ ସ୍ୱର୍ଗତ ଡାକ୍ତର ମୁରାରୀ ପ୍ରସାଦ ମିଶ୍ର ପ୍ରଥମ ବଳରାମ ଭାବେ ରଙ୍ଗମଞ୍ଚରେ ପଦାର୍ପଣ କରିଥିଲେ । ତେବେ ୧୯୪୮ ମସିହାରେ ପ୍ରଥମ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହୋଇଥିବା ନେଇ ବରଗଡ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ହୋତାଙ୍କ  ସୁତ୍ରରୁ ପ୍ରକାଶ ।

DhanuYatra

ବର୍ତ୍ତମାନ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଥିବା ସ୍ଥାନରେ ତଥା ଠି୍କ ବରଗଡ଼ ପୋଲିସ ଷ୍ଟେସନ ସମ୍ମୁଖରେ ପ୍ରଥମ ଧନୁଯାତ୍ରା ଆରମ୍ଭ ହୋଇଥିବା ଜଣାଯାଏ।

ବାସ୍ତବରେ ଭାରତ ସ୍ୱାଧିନତା ଲାଭ କରିବା ପରେ ତହିଁର ଆନନ୍ଦୋତ୍ସବ ରୂପେ ବରଗଡ଼ ଧନୁଯାତ୍ରାର ପରିକଳ୍ପନା ୧୯୪୭ରେ କରାଯାଇଥିଲା ଏବଂ ୧୯୪୭ ଧନୁ ସଂକ୍ରାନ୍ତି ଦିନ ବରଗଡ଼ ହାଟପଦାରେ ଇନ୍ଦ୍ରଧ୍ୱଜ ସ୍ଥାପନା କରାଯାଇଥିଲା ବୋଲି କୁହାଯାଇଥାଏ ।  ତେବେ ୧୭ ଜାନୁୟାରୀ ୧୯୪୮ ପୌଷ ମାସ ଶୁକ୍ଳପକ୍ଷ ଷଷ୍ଠି ତିଥି ଶୁକ୍ରବାର ଦିନ ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ବରଗଡ଼ର ପ୍ରଥମ ଧନୁଯାତ୍ରାର ଶୁଭାରମ୍ଭ ହୋଇ ୨୬ ଜାନୁୟାରୀ ୧୯୪୮ ସୋମବାର ପୌଷ ପୂର୍ଣ୍ଣିମା ଦିନ ଏହାର ପରିସମାପ୍ତି ହୋଇଥିଲା ।

Leave a Reply