ସେନା ଭର୍ତ୍ତିରେ ୟୁପି ଓ ବିହାର ଆଗରେ, ଓଡ଼ିଶା ନମ୍ବର କେତେ ?

1 min read

ଭୁବନେଶ୍ବର: କେନ୍ଦ୍ର ସରକାର ସେନା ଭର୍ତ୍ତି ପାଇଁ ଅଗ୍ନିପଥ ଯୋଜନା ଆଣିଛନ୍ତି । ଯାହାକୁ ନେଇ ଦେଶରେ ବିବାଦ ବଢ଼ିବାରେ ଲାଗିଛି ।  ଉତ୍ତର ପ୍ରଦେଶ, ବିହାରଠାରୁ ଆରମ୍ଭ କରି ହରିୟାଣା, ରାଜସ୍ଥାନର କିଛି ଅଞ୍ଚଳରେ ଯୁବବର୍ଗ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ବିଶେଷ କରି ସେନାରେ ସାମିଲ ହେବାକୁ ପ୍ରସ୍ତୁତି ଚଲାଇଥିବା ଯୁବକମାନେ ଏଥିରେ ସାମିଲ ହୋଇଛନ୍ତି । ତେବେ ସାରା ବିଶ୍ବରେ ଭାରତର ‘ଅଗ୍ନିପଥ ଯୋଜନା’ ଚର୍ଚ୍ଚାରେ ଥିବା ବେଳେ ଭାରତୀୟ ସେନାରେ କେତେ ଯବାନ ଅଛନ୍ତି, ଭାରତ ସେନା ସଂଖ୍ୟାରେ ବିଶ୍ବର କେଉଁ ସ୍ଥାନରେ ରହିଛି ଆସନ୍ତୁ ଜାଣିବା ।

ବିଶ୍ବର ଦ୍ବିତୀୟ ସର୍ବାଧିକ ସେନା ହେଉଛି ଭାରତର । ଚୀନ ନମ୍ବର ଏକରେ ଥିବା ବେଳେ ଭାରତ ୧୪ ଲକ୍ଷରୁ ଅଧିକ ଯବାନଙ୍କ ସହ ଦ୍ବିତୀୟ ସ୍ଥାନରେ ରହିଛି । ଏହା ସ୍ଥଳ, ଜଳ ଓ ଆକାଶ ପଥର ଯବାନଙ୍କ ସଂଖ୍ୟା । ଏହାବାଦ ରିଜର୍ଭ ଫୋର୍ସକୁ ହିସାବକୁ ନେଲେ ଭାରତୀୟ ସେନାର କାୟା ୨୧ ଲକ୍ଷରୁ ଅଧିକ ହେବ । ଏତେ ବଡ଼ ସେନାରେ କେଉଁ ରାଜ୍ୟରୁ କେତେ ଯବାନ ସାମିଲ ହୋଇଛନ୍ତି ଜାଣିଛନ୍ତି କି ? ଉତ୍ତର ପ୍ରଦେଶ ଓ ବିହାରରୁ ଅଧିକ ଯୁବକ ସାମିଲ ହେଉଥିବା ସମସ୍ତେ ଜାଣିଛନ୍ତି । ଓଡ଼ିଶାରୁ କେତେ ପିଲା ଭାରତୀୟ ସେନାରେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ଜାଣିଛନ୍ତି କି ? ଆଉ କେଉଁ ରାଜ୍ୟରୁ କେତେ ପିଲା ସେନାରେ କାମ କରୁଛନ୍ତି, ଆସନ୍ତୁ ଜାଣିବା ଏହି ସ୍ପେଶାଲ ରିପୋର୍ଟରେ ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଉତ୍ତର ପ୍ରଦେଶରୁ ସର୍ବାଧିକ ୨ ଲକ୍ଷ ୧୮ ହଜାର ୫୧୨ ଯୁବକ ସେନାରେ କାର୍ଯ୍ୟରତ ଅଛନ୍ତି । ଏହା ପଛକୁ ବିହାର ରହିଛି । ବିହାରରୁ ୧ ଲକ୍ଷ ୪ ହଜାର ୫୩୯ ଜଣ ଯୁବକ ସେନାରେ କାମ କରୁଛନ୍ତି । ଏହାପରେ ତୃତୀୟ ସ୍ଥାନରେ ରହିଛି ରାଜସ୍ଥାନ । ଏହି ରାଜ୍ୟରୁ ୧ ଲକ୍ଷ ୩ ହଜାର ୨୬୫ ପିଲା ସେନାରେ କାର୍ଯ୍ୟରତ ଅଛନ୍ତି ।

ଓଡ଼ିଶାରୁ କେତେ ?

ଯଦି ଓଡ଼ିଶା କଥା କହିବା, ସେନାରେ ଯେଉଁ ପରିମାଣରେ ଯୁବକ ଆମ ରାଜ୍ୟରୁ ସାମିଲ ହେବା କଥା ତାହା ହୋଇନାହିଁ । ଓଡ଼ିଶାଠାରୁ ଛୋଟ ରାଜ୍ୟରୁ ଅଧିକ ଯୁବକ ସେନାରେ ସାମିଲ ହୋଇଛନ୍ତି । ଆମ ରାଜ୍ୟରୁ ମାତ୍ର ୩୧ ହଜାର ୬ ଶହ ଏକ ଯୁବକ ସେନାରେ କାର୍ଯ୍ୟରତ ଅଛନ୍ତି । ଏମାନଙ୍କ ମଧ୍ୟରୁ ବାୟୁସେନାରେ ୪ ହଜାର ୪୬୧ ଓ ନୌସେନାରେ ୩ ହଜାର ୨୪୧ ଜଣ କାମ କରୁଛନ୍ତି । ସେହିଭଳି ସ୍ଥଳସେନାରେ ୨୩ ହଜାର ୮୯୯ ଜଣ କାର୍ଯ୍ୟରତ ଅଛନ୍ତି । ରାଜ୍ୟ ତାଲିକା ହିସାବରେ ଓଡ଼ିଶା ସେନା ଭର୍ତ୍ତିରେ ୧୬ତମ ସ୍ଥାନରେ ରହିଛି ।

କେଉଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ସେନାରେ କେତେ ଯବାନ ?

ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୯୩ ହଜାର ୯୩୮, ପଞ୍ଜାବରୁ ୯୩ ହଜାର ୪୩୮, ହରିୟାଣାରୁ ୮୯ ହଜାର ୨୩୬, ଉତ୍ତରାଖଣ୍ଡରୁ ୬୮ ହଜାର ୯୯୭, ପଶ୍ଚିମବଙ୍ଗରୁ ୬୩ ହଜାର ୮୯୧, ତାମଲନାଡୁରୁ ୫୬ ହଜାର ୧୬୦, ମଧ୍ୟ ପ୍ରଦେଶରୁ ୫୫ ହଜାର ୨୨୯, ଆନ୍ଧ୍ର ପ୍ରଦେଶରୁ ୫୩ ହଜାର ୫୨, ହିମାଚଳ ପ୍ରଦେଶରୁ ୫୧ ହଜାର ୪୬୮, ଜମ୍ମୁ-କାଶ୍ମୀର ଓ ଲଦାଖରୁ ୫୦ ହଜାର ୭୬୫ ଯବାନ ଭାରତୀୟ ସେନାର ତିନି ବାହିନୀରେ କାର୍ଯ୍ୟରତ ଅଛନ୍ତି ।

ସେହିପରି କେରଳରୁ ୪୮ ହଜାର ୭୭୩, କର୍ଣ୍ଣାଟକରୁ ୩୬ ହଜାର ୯୧, ଗୁଜରାଟରୁ ୨୪ ହଜାର ୩ ଶହ, ଆସାମରୁ ୨୨ ହଜାର ୨୮୮, ଝାଡ଼ଖଣ୍ଡରୁ ୨୧ ହଜାର ୫୭୧, ତେଲେଙ୍ଗାନାରୁ ୧୨ ହଜାର ୫୮୯, ଛତିଶଗଡ଼ରୁ ୧୦ ହଜାର ୮୧୪ ଓ ମଣିପୁରରୁ ୬ ହଜାର ୨୮୫ ଜଣ କାର୍ଯ୍ୟରତ ଅଛନ୍ତି ।

ଦିଲ୍ଲୀରୁ ୪ ହଜାର ୪୯୩ ଜଣ ଭାରତୀୟ ସେନାରେ କାମ କରୁଥିବା ବେଳେ ମେଘାଳୟରୁ ୩ ହଜାର ୮୨୯, ଅରୁଣାଚଳ ପ୍ରଦେଶରୁ ୩ ହଜାର ୧୪୪, ମିଜୋରାମରୁ ୨ ହଜାର ୯୭୭, ତ୍ରିପୁରାରୁ ୨ ହଜାର ୮୨, ସିକିମରୁ ୨ ହଜାର ୬୭, ନାଗାଲାଣ୍ଡରୁ ଏକ ହଜାର ୮୦୮, ଦାଦରା ନଗର ଓ ଡାମନ ଡିଉରୁ ୧୨ ଶହ ୫୯, ଆଣ୍ଡାମାନ ନିକୋବରରୁ ହଜାରେ ୩୫, ଗୋଆରୁ ୪ ଶହ ୧୩, ଚଣ୍ଡିଗଡ଼ରୁ ୪ ଶହ ୫, ପୁଡୁଚେରୀରୁ ୩ ଶହ ୪୩ ଓ ଲକ୍ଷାଦୀପରୁ ୨ ଶହ ୮୮ ଜଣ ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି ।

ଉପରୋକ୍ତ ତାଲିକା କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟକୁ ଆଧାର କରି ଉଲ୍ଲେଖ କରାଯାଇଛି ।