ଜମିଜମା ବିବାଦକୁ କେନ୍ଦ୍ର କରି ଛୁରାମାଡ଼: ପୋଲିସକୁ ବି ଆକ୍ରମଣ, ଦୁଇ ଅଟକ

ଭଦ୍ରକ: ଜମିଜମା ବିବାଦକୁ କେନ୍ଦ୍ର କରି ଭଦ୍ରକରେ ତୁମୁଳକାଣ୍ଡ । ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ୟମ ଓ ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଛୁରାମାଡ଼, ଦୁଇ ଆହତ । ଘଟଣାକୁ ନେଇ ଭଦ୍ରକ ସହରରେ ଉତ୍ତେଜନାମୂଳକ ପରିସ୍ଥିତି ।

ସୂଚନା ଅନୁସାରେ, ଜମିଜମାକୁ କେନ୍ଦ୍ର କରି ଭଦ୍ରକ ସହରର ଶୁଭ୍ରକାନ୍ତ ପତି ନାମକ ଜଣେ ହୋଟେଲ ବ୍ୟବସାୟୀଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତିଙ୍କର ବିବାଦ ଲାଗି ରହିଥିଲା । ଗତକାଲି ରାତିରେ ଶୁଭ୍ରକାନ୍ତଙ୍କୁ ଆକ୍ରମଣ ପାଇଁ କିଛି ଅସାମାଜିକ ଯୁବକ ମରଣାସ୍ତ୍ର ନେଇ ତାଙ୍କ ହୋଟେଲ ପାଖରେ ପହଞ୍ଚିଥିଲେ । ଏଥିରେ ଭୟଭୀତ ହୋଇ ଶୁଭ୍ରକାନ୍ତ ତାଙ୍କ ସହଯୋଗୀ ସମ୍ପର୍କୀୟଙ୍କୁ ଫୋନ କରି ଡାକିଥିଲେ । ଯାହାକୁ ନେଇ ବିବାଦ ବଢିବା ସହିତ ସଂଘର୍ଷ ଘଟିଥିଲା । ଫଳରେ ଛୁରା ମାଡ଼ରେ ୨ ଜଣ ଆହତ ହୋଇଥିଲେ ।

କଥା ଏତିକିରେ ସରି ନଥିଲା । ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଉଭୟ ଗୋଷ୍ଠୀର ଶତାଧିକ ଯୁବକ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରି ଦେଇଥିଲେ । ଏହି ସମୟରେ ନିଶାଶକ୍ତ ଥିବା ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଛୁରା ମାଡ଼ କରିଥିଲେ । ଏହାକୁ ନେଇ ଜିଲ୍ଲା ହସ୍ପିଟାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଭଦ୍ରକ ସିଟି ଡିଏସପିଙ୍କ ନେତୃତ୍ୱରେ ୩ ଜଣ ଇନ୍ସପେକ୍ଟର ଓ ୫ ପ୍ଲାଟୁନ ପୋଲିସ ଫୋର୍ସ ଗଣ୍ଡଗୋଳକାରୀଙ୍କୁ ଘଉଡାଇ ଥିଲେ । ହେଲେ ଗଣ୍ଡଗୋଳକାରୀ ପୋଲିସକୁ ଆକ୍ରମଣ କରିଥିଲେ । ଶେଷରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲସ ଲାଠିଚାର୍ଜ କରିଥିଲା । ଘଟଣାରେ ୨ ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ପାଟ୍ରୋଲିଂକୁ କଡାକଡି କରାଯିବା ସହ ସହରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।