ସ୍କୁଲ ପ୍ରେମିକାକୁ କରିଥିଲେ ଜୀବନ ସାଥୀ, ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା ‘କେକେ’ଙ୍କ ଲଭଷ୍ଟୋରୀ
1 min readମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ କ୍ରୀଷ୍ଣକୁମାର କୁନ୍ନାଥ ତଥା କେକେଙ୍କ ଦେହାନ୍ତରେ ସାରା ବଲିଉଡ ସ୍ତବ୍ଧ ହୋଇଯାଇଛି । ୫୩ ବର୍ଷୀୟ କେକେଙ୍କର ଏମିତି ହଠାତ୍ ଦେହାନ୍ତ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳାଇ ଦେଇଛି । ନିଜ ସୁରିଲା କଣ୍ଠର ଯାଦୁରେ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା କେକେ ଯେ ଆଉ ନାହାଁନ୍ତି, ତାହା ବିଶ୍ୱାସ କରିହେଉନି।
ପିଏମ ମୋଦୀ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ନବୀନ ପଟ୍ଟନାୟକ, ଅକ୍ଷୟ କୁମାର, ଶ୍ରେୟା ଘୋଷାଲ, କୁମାର ସାନୁଙ୍କ ପରି ଅନେକ ବଡ ବ୍ୟକ୍ତିତ୍ୱ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ୟାଦ୍ ଆୟେଙ୍ଗେ ୟେ ପଲ୍…, ୟାରୋଁ ଦୋସ୍ତି ବଡ଼ି ହସିନ୍ ହେ… ଭଳି ଏଭରଗ୍ରିନ୍ ହିଟ୍ ଗୀତ ଗାଇଥିବା ‘କେକେ’ କେବେ କୌଣସି ଟ୍ରେନିଂ ନେଇନାହାଁନ୍ତି। କେକେଙ୍କ ପିଲା ବେଳର ପ୍ରେମ ଓ କିଛି ଜଣାଅଜଣା ବିଷୟକୁ ନେଇ ବିଶେଷ ଉପସ୍ଥାପନା ।
କେବେ ନେଇ ନାହାଁନ୍ତି ଟ୍ରେନିଂ
କେକେ ୨୩ ଅଗଷ୍ଟ ୧୯୬୮ରେ ଦିଲ୍ଲୀରେ ଏକ ହିନ୍ଦୁ ମାଲାୟାଲୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀର ମାଉଣ୍ଟ ସେଣ୍ଟ ମେରି ସ୍କୁଲରୁ ପାଠପଢ଼ା ଆରମ୍ଭ କରିଥିଲେ । ଏହା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋଡ଼ି ମଲ କଲେଜରୁ ସ୍ନାତକ ହାସଲ କରିଥିଲେ । ୧୯୯୯ ମସିହାରେ ସେ କ୍ରିକେଟ୍ ବିଶ୍ୱକପରେ ଭାରତୀୟ ଦଳକୁ ସମର୍ଥନ କରି ଜୋସ୍ ଅଫ୍ ଇଣ୍ଡିଆ ଗୀତ ଗାଇଥିଲେ । ଏଥି ସହିତ, ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ସେ ପ୍ରାୟ ୩୫୦୦ ଜିଙ୍ଗଲ୍ ଗାଇଥିଲେ । କେକ ଆରଡି ବର୍ମନ ଓ କିଶୋର କୁମାରଙ୍କର ବହୁତ ବଡ଼ ଫ୍ୟାନ ଥିଲେ ।
‘ପଲ୍’ରୁ ମିଳିଲା ପରିଚୟ
୧୯୯୯ ମସିହାରେ ମ୍ୟୁଜିକ୍ ଆଲବମ୍ ‘ପଲ୍’ରୁ କେକେଙ୍କୁ ମିଳିଥିଲା ପରିଚୟ । ଏହି ଆଲବମର ‘ୟାଦ୍ ଆୟେଙ୍ଗେ ୟେ ପାଲ୍…’ ଗୀତଟି ବହୁତ ଲୋକପ୍ରିୟ ହୋଇଥିଲା । ଏହା ବ୍ୟତୀତ ‘ୟାରୋଁ ଦୋସ୍ତି ବାଡି ହାଏ ହସିନ୍…’ ଭଳି ଗୀତଗୁଡିକ ବହୁତ ପସନ୍ଦ ଆସିଥିଲା । ଏହି ଦୁଇଟି ଗୀତ ୯୦ ଦଶକରୁ ଆଜି ଯାଏଁ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି । କେକେ ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ, ମରାଠୀ, ବଙ୍ଗାଳୀ ଏବଂ ଗୁଜରାଟୀ ଭାଷାରେ ଗୀତ ଗାଇଛନ୍ତି ।
କେକେ ନିଜ ପ୍ରାୟ ୩ ଦଶନ୍ଧିର କ୍ୟାରିୟର୍ ମଧ୍ୟରେ ହିନ୍ଦୀରେ ୫୦୦ରୁ ଅଧିକ ଗୀତ ଏବଂ ତେଲୁଗୁ, ବଙ୍ଗାଳୀ, କନ୍ନଡ ଓ ମାଲାୟାଲମ୍ ଭାଷାରେ ୨୦୦ରୁ ଅଧିକ ଗୀତ ଗାଇଛନ୍ତି । ଏଥି ସହିତ, ସେ ୨୦୦୦ ମସିହାରେ ସଲମାନ ଖାନ ଐଶ୍ୱର୍ଯ୍ୟା ରାଇଙ୍କ ଫିଲ୍ମ ‘ହମ୍ ଦିଲ ଦେ ଚୁକେ ସାନମ’ ‘ତଡ଼ପ-ତଡ଼ପ କେ…’ ଗୀତ ପାଇଁ ତାଙ୍କୁ ପ୍ରଥମ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା ।
ପିଲାବେଳର ପ୍ରେମିକାଙ୍କୁ କରିଥିଲେ ବିବାହ
କେକେ ନିଜର ବ୍ୟକ୍ତିଗତ ଜୀବନକୁ ସବୁବେଳେ ଗଣମାଧ୍ୟମରୁ ଦୂରେଇ ରଖିଥିଲେ । ଅନେକ ଲୋକ ଜାଣନ୍ତି ନାହିଁ ଯେ କେକେ ତାଙ୍କ ପିଲାଦିନର ପ୍ରେମିକାଙ୍କୁ ବିବାହ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ହେଉଛି ଜ୍ୟୋତି । ଜ୍ୟୋତିଙ୍କ ସହିତ ତାଙ୍କର ଦୁଇଟି ସନ୍ତାନ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ସ୍କୁଲରୁ ହିଁ ଆରମ୍ଭ ହୋଇଥିଲା କେକେଙ୍କ ପ୍ରେମ କାହାଣୀ । ଜ୍ୟୋତିଙ୍କୁ ଷଷ୍ଠରେ ପଢିବା ବେଳେ ସେ ହୃଦୟ ଦେଇ ବସିଥିଲେ । ସାରା ଜୀବନ ତାଙ୍କ ସହ ଡେଟ୍ କରିଥିଲେ ଓ ତାଙ୍କୁ ହିଁ ଜୀବନ ସାଥୀ ଭାବେ ଗ୍ରହଣ କରିଥିଲେ । ଲାଜକୁଳା ସ୍ବଭାବର କେକେ କେବଳ ଜ୍ୟୋତିଙ୍କ ସହ ହିଁ ଭଲ ଭାବେ ମିଶି ପାରୁଥିଲେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ସଙ୍ଗୀତରେ ରେମାଣ୍ଟି କିଙ୍ଗ କୁହାଯାଉଥିବା କେକେ ଜ୍ୟୋତିଙ୍କ ବ୍ୟତୀତ ଅନ୍ୟ କୌଣସି ଝିଅ ସହ କଥା ହେବାକୁ ମଧ୍ୟ ସାହସ କରିପାରୁ ନଥିଲେ । ତାଙ୍କୁ ନେଇ ଜ୍ୟୋତି ଏକ ବଡ ଖୁଲାସା କରିଥିଲେ । ଏଥିରେ ସେ କେକେଙ୍କ ଓ୍ବାନ ଓ୍ବାଇଫ୍ ମ୍ୟାନ୍ ବୋଲି କହିଥିଲେ । ଦି କପିଲ ଶର୍ମା ସୋ’ରେ ଥରେ କେକେ କହିଥିଲେ, ‘ମୁଁ ମୋ ଜୀବନରେ କେବଳ ଗୋଟିଏ ଝିଅକୁ ଡେଟ୍ କରିଥିଲି ଏବଂ ସେ ମୋର ପତ୍ନୀ ଜ୍ୟୋତି । ମୁଁ ଜଣେ ବହୁତ ଲାଜୁଆ ଲୋକ ଥିଲି ଏବଂ ତାଙ୍କୁ ସଠିକ୍ ଭାବରେ ଡେଟ ମଧ୍ୟ କରି ପାରୁନଥିଲି । ଏହାକୁ ନେଇ ବେଳେ ବେଳେ ମୋ ପିଲାମାନେ ମୋତେ ଥଟ୍ଟା କରନ୍ତି ।
ବିବାହ ପାଇଁ କରିଥିଲେ ସେଲସ୍ ମ୍ୟାନ ଚାକିରି
କେକେ ଏବଂ ଜ୍ୟୋତି ପିଲାଦିନରୁ ଏକାଠି ଥିଲେ । 1991ରେ ଉଭୟ ବିବାହ କରିଥିଲେ । କିନ୍ତୁ ବିବାହ କରିବା ପାଇଁ କେକଙ୍କୁ ନିଜ ପାଇଁ ଚାକିରି ଖୋଜିବାକୁ ପଡ଼ିଲା । ବହୁତ ଖୋଜାଖୋଜି ପରେ ଯେତେବେଳେ ସେ କିଛି ପାଇଲେ ନାହିଁ, ସେତେବେଳେ ସେ ଜଣେ ସେଲ୍ସ ମ୍ୟାନ ଚାକିରି କରିଥିଲେ । ଏହାପରେ ସେମାନେ ବିବାହ କଲେ । ମାତ୍ର ୬ ମାସ ମଧ୍ୟରେ ସେ ତାଙ୍କ ଚାକିରିରେ ବହୁତ ଅସୁବିଧାର ସମ୍ମୁଖୀନ ହେଲେ । ଏହାପରେ ସେ ତାଙ୍କ ପତ୍ନୀ ଏବଂ ପିତାଙ୍କ ସମର୍ଥନରେ ସଂଗୀତ ଦୁନିଆରେ ପାଦ ଦେଲେ । ଆଉ ଧୀରେ ଧୀରେ ମ୍ୟୁଜିକ ଓ ଫିଲ୍ମ ଇଣ୍ଡଷ୍ଟ୍ରୀରେ କ୍ରୀଷ୍ଣକୁମାରରୁ କେକେ ବ୍ରାଣ୍ଡ ବନି ଯାଇଥିଲେ ।