IPLରେ ନୂଆ ବିବାଦ: ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିକୁ ନେଇ କ୍ରୋଧ ପ୍ରକାଶ କଲେ ପ୍ରୀତି ଜିଣ୍ଟା, କହିଲେ ‘ପ୍ରତି ବର୍ଷ…’

2 min read

ଦୁବାଇ: IPL- ୧୩ ର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ୍ ଏବଂ କିଙ୍ଗସ୍ ଇଲେଭେନ ପଞ୍ଜାବ ମୁହାଁମୁହିଁ ହୋଇଥିଲେ । ମ୍ୟାଚ ସୁପର ଓଭରରେ ପହଞ୍ଚିଥିଲା ଏବଂ ଦିଲ୍ଲୀ ଖୁବ ସହଜରେ ଏହି ମ୍ୟାଚ ଜିତିଥିଲା । ତେବେ ଆଇପିଏଲର ଦ୍ୱିତୀୟ ମ୍ୟାଚରେ ହିଁ ନୂଆ ବିବାଦ ମୁଣ୍ଡ ଟେକିଛି । ଯାହାକୁ ନେଇ ଫ୍ୟାନ୍ସ କ୍ରୋଧ ପ୍ରକାଶ କରିଛନ୍ତି । ଅମ୍ପାୟାର ସର୍ଟ ରନ୍ ଦେଇ କିଙ୍ଗସ୍ ଇଲେଭେନ ପଞ୍ଜାବର ଗୋଟିଏ ରନ କାଟି ଦେଇଥିଲେ । କିନ୍ତୁ ଯେତେବେଳେ ରି-ପ୍ଲେ ଦେଖାଗଲା ସେତେବେଳେ ବ୍ୟାଟ କ୍ରୀଜ ଭିତରେ ଥିଲା । ଏହି ଭୁଲ ନିଷ୍ପତ୍ତି ପାଇଁ କିଙ୍ଗସ ଇଲେଭେନ ମାଲିକାଣୀ ପ୍ରୀତି ଜିଣ୍ଟା କ୍ରୋଧ ପ୍ରକାଶ କରିଛନ୍ତି । ସେ BCCIକୁ ନୂଆ ରୁଲ୍ କରିବା ପାଇଁ ଦାବି କରିଛନ୍ତି ।

ପ୍ରୀତି ଜିଣ୍ଟା ବିରେନ୍ଦ୍ର ସେହୱାଗଙ୍କୁ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ମୁଁ ଏକ ମହାମାରୀ ସମୟରେ ଉତ୍ସାହପୂର୍ବକ ଯାତ୍ରା କରିଛି, ୬ ଦିନ କ୍ୱାରେଣ୍ଟିନ ଏବଂ ୫ ଥର କୋରୋନା ଟେଷ୍ଟକୁ ଧର୍ଯ୍ୟର ସହ ସାମନା କରିଛି । କିନ୍ତୁ ଏହି ଗୋଟିଏ ସର୍ଟ ରନ ମତେ ସ୍ତବ୍ଧ କରିଛି । ଯଦି ଟେକନିକର ସଠିକ୍ ଉପଯୋଗ କରାଯିବନି ତେବେ ଏହାର ବ୍ୟବହାରର କୌଣସି ଅର୍ଥ ନାହିଁ । ସମୟ ଆସି ସାରିଛି ଯେ, BCCI ନୂଆ ନିୟମ ପ୍ରସ୍ତୁତ କରୁ । ଏହା ପ୍ରତି ବର୍ଷ ହେବା ଉଚିତ ନୁହେଁ ।’

ସେ ପୁଣି ଏକ ଟ୍ୱିଟ କରି ଲେଖିଛନ୍ତି ଯେ, ‘ ମୁଁ  ଖେଳରେ ବିଜୟ ବା ପରାଜୟ ସକାରାତ୍ମକ ଭାବରେ ଗ୍ରହଣ କରିବାରେ ବିଶ୍ୱାସ କରେ । କିନ୍ତୁ ନୀତିଗତ ପରିବର୍ତ୍ତନ ପାଇଁ ପଚାରିବା ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଅଟେ ଯାହା ଭବିଷ୍ୟତରେ ସମସ୍ତଙ୍କ ପାଇଁ ସଠିକ ରହିବ । ଯାହା ହେଲା ତାକୁ ତ ପରିବର୍ତ୍ତନ କରିହେବନି, ଏବେ ଆଗକୁ ବଢ଼ିବର ସମୟ । ସେଥିପାଇଁ ଆଗାମୀ ସମୟକୁ ସକାରାତ୍ମକ ମନୋଭାବ ସହ ଅପେକ୍ଷା କରିଛି ।’

Leave a Reply