ବ୍ରିଟେନର ନୂଆ କିଙ୍ଗ୍‌ ଚାର୍ଲସ୍‌, ଓ୍ବିଲିୟମ ଉତ୍ତରାଧିକାରୀ

ଇଂଲଣ୍ଡ: ବ୍ରିଟେନର ନୂଆ ଶାସକ ଭାବେ ଦାୟିତ୍ବ ନେଇଛନ୍ତି କିଙ୍ଗ୍ ଚାର୍ଲସ ତୃତୀୟ । ଏହାସହ ଜ୍ୟେଷ୍ଠପୁତ୍ର ଓ୍ବିଲିୟମଙ୍କୁ ନିଜର ଉତ୍ତରାଧିକାରୀ ଭାବେ ଘୋଷଣା କରିବା ସହ ଓ୍ବିଲିୟମ ଓ ପୁତ୍ରବଧୂ କାଟେଙ୍କୁ ପ୍ରିନସ ଓ ପ୍ରିନସେସ ଅଫ ଓ୍ବେଲସ ଟାଇଟଲ ପ୍ରଦାନ କରିଛନ୍ତି ।

ଉଭୟ ଓ୍ବିଲିୟମ ଓ କାଟେ ଦେଶବାସୀଙ୍କୁ ନେତୃତ୍ବ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଚାର୍ଲସ । ସେପଟେ ଏଲିଜାବେଥଙ୍କ ଶେଷକୃତ୍ୟରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଯଦିଓ ଶେଷକୃତ୍ୟ ନେଇ କୌଣସି ତାରିଖ ସ୍ଥିରୀକୃତ ହୋଇନାହିଁ ତଥାପି ୧୯ରେ ଓ୍ବେଷ୍ଟମିନିଷ୍ଟର ଆବେରେ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

ଗତକାଲି ଦେଶ ଉଦ୍ଦେଶ୍ୟରେ ଭାଷଣ ଦେଇ ଚାର୍ଲସ କହିଥିଲେ, ମା’ ଏଲିଜାବେଥ ଥିଲେ ନିଜେ ଓ ପରିବାର ଲାଗି ପ୍ରେରଣାର ଉତ୍ସ ଓ ଉଦାହରଣ । ତାଙ୍କର ସ୍ନେହ, ସଦ୍ଦିଚ୍ଛା, ବୁଝାମଣା, ପଥପ୍ରଦର୍ଶକ ଭୂମିକା ସମସ୍ତଙ୍କ ଲାଗି ଥିଲା ଗୁରୁତ୍ବପୂର୍ଣ୍ଣ । ତାଙ୍କର ଉତ୍ସର୍ଗୀକୃତ ଜୀବନ ସର୍ବଦା ସ୍ମରଣୀୟ ହୋଇ ରହିବ । ସେ ୭୦ ବର୍ଷରୁ ଅଧିକ କାଳ ଧରି ଦେଶବାସୀ ଓ ଅନେକ ରାଷ୍ଟ୍ର ଲାଗି ମହତ ଅବଦାନ ଦେଇଥିଲେ । ତାଙ୍କର ତ୍ୟାଗ ଓ ଉତ୍ସର୍ଗ ଥିଲା ଅତୁଳନୀୟ । ତାଙ୍କର ଭାବନା ଅନୁସାରେ ସାରା ପରିବାର ଲୋକଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିବାରେ ବ୍ରତୀ ହେବେ ।

ଗତ ୭୦ ବର୍ଷ ମଧ୍ୟରେ ସମାଜ ଅନେକ ସଂସ୍କୃତି ଓ ବିଶ୍ବାସର ପ୍ରତୀକ ହୋଇଆସିଛି । ରାଷ୍ଟ୍ର ନାମକ ପ୍ରତିଷ୍ଠାନରେ ଅନେକ ପରିବର୍ତ୍ତନ ଘଟିଛି । ତଥାପି ମୂଲ୍ୟବୋଧ ଉପରେ ଗୁରୁତ୍ବ ଦିଆଯିବ । ନୂଆ ଦାୟିତ୍ବ ଅନୁସାରେ ସେ ସଠିକ୍ ବାବେ ନିଜ କର୍ତ୍ତବ୍ୟ ତୁଲାଇବେ । ଅଭିଭାଷଣରେ ଦ୍ବିତୀୟ ପୁତ୍ର ହ୍ୟାରି ଓ ପତ୍ନୀ ମେଘାନଙ୍କ ପ୍ରତି ଶୁଭେଚ୍ଛା ଜଣାଇଥିଲେ । ବିଗତ ୧୯୫୮ରେ ଚାର୍ଲସ ପ୍ରିନସ ଅଫ ଓ୍ବେଲସ ଟାଇଟଲ ଲାଭ କରିଥିଲେ । ଆସନ୍ତା ୧୯ ତାରିଖରେ ହେବ ମହାରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ।