କିମ୍‌ ଜୋଙ୍ଗଙ୍କ ଶକ୍ତିଶାଳି ଭଉଣୀଙ୍କ ପାଇଁ ଅନେକ କଟକଣା, ସାମାନ୍ୟ ଚପଲ ବି ନିଜ ଇଛାରେ ପିନ୍ଧିପାରିବେନି..

ଉତ୍ତର କୋରିଆ: ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ କିମ୍‌ ୟୋ ଯୋଙ୍ଗ୍‌ଙ୍କୁ ସେଠାରେ ସବୁଠାରୁ ଶକ୍ତିଶାଳୀ ମହିଳା ବୋଲି ବିବେଚନା କରାଯାଏ । ସେ ଶାସକ ଦଳର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିର ଉପାଧ୍ୟକ୍ଷ ରହିଛନ୍ତି । ଏଥି ସହିତ, ସେ ତାଙ୍କ ଭାଇଙ୍କ ପାଇଁ ଅନ୍‌ଅଫିସିଆଲ୍‌ ଚିଫ୍ ଅଫ୍ ଷ୍ଟାଫ୍  ଭାବେ ମଧ୍ୟ କାର୍ଯ୍ୟ କରନ୍ତି । କିମ୍ ଜୋଙ୍ଗ୍‌ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଯାଆନ୍ତି ସେଠାରେ ତାଙ୍କ ଭଉଣୀ ଉପସ୍ଥିତ ରହିଥାନ୍ତି । ଏଥିରୁ ଗୁରୁତ୍ୱ ସ୍ପଷ୍ଟ ବାରି ହୋଇପଡ଼ୁଛି । ହେଲେ ଏତେ ବଡ଼ ଗୁରୁତ୍ୱ ବହନ କରୁଥିବା କିମ୍‌ ଜୋଙ୍ଗ୍‌ଙ୍କ ଭଉଣୀ ମଧ୍ୟ ଅନେକ କାଇଦା କାନୁନ୍‌ ମଧ୍ୟରେ ରୁହନ୍ତି । କିମ୍‌ ୟୋ ଜୋଙ୍ଗ୍‌ଙ୍କ ପାଇଁ ପ୍ରତ୍ୟେକ ମିଟିଂରେ ନିଜର ପୋଷାକ ସମ୍ବନ୍ଧରେ କିଛି କଠୋର ନିୟମ ପାଳନ କରିବାକୁ ପଡ଼ିଥାଏ । ସେ ପ୍ରତ୍ୟେକ ସଭାରେ ପୋଷାକ ପିନ୍ଧା ନିୟମକୁ ଅନୁସରଣ କରୁଥିବା ଦେଖାଯାଏ ।

  

ସ୍କର୍ଟ ପିନ୍ଧିବା ବାଧ୍ୟତା ମୂଳକ !

କିମ୍‌ ୟୋ ଜୋଙ୍ଗଙ୍କୁ ଜିନ୍ସ କିମ୍ବା ଟାଇଟ୍ ଫିଟିଂ ପ୍ୟାଣ୍ଟ ପିନ୍ଧିବାକୁ ଅନୁମତି ନାହିଁ । ଏହି ନିୟମ କେବଳ ତାଙ୍କ ପାଇଁ ନୁହେଁ ବରଂ ଉତ୍ତର କୋରିଆର ସମସ୍ତ ମହିଳାଙ୍କ ପାଇଁ ରହିଛି । ଜିନ୍ସ ବଦଳରେ କିମ୍‌ ୟୋ ଜୋଙ୍ଗଙ୍କୁ ସ୍କର୍ଟ ଏବଂ ଜ୍ୟାକେଟ୍ ପିନ୍ଧିବାକୁ ପଡ଼ିଥାଏ । ଏହି ପୋଷାକରେ ସେ ସର୍ବଦା ନଜର ଆସନ୍ତି । ସେ ନିଜ ଭାଇଙ୍କ ସହ ଉତ୍ତର କୋରିଆର କୌଣସି ସ୍ଥାନରେ ହେଉ କିମ୍ବା ବିଦେଶର କୌଣସି ସଭାରେ ହେଉ, ସବୁଠି ତାଙ୍କର ପୋଷାକ ସ୍କର୍ଟ, ବ୍ଲାଉଜ୍ ଏବଂ ଜ୍ୟାକେଟ୍ ହିଁ ରହିଥାଏ ।

KIM Yo jong

ସ୍କର୍ଟ ପିନ୍ଧିବାରେ କାଇଦା କାନୁନ୍‌ !

ତେବେ ସ୍କର୍ଟ ପିନ୍ଧିବା ତ ବାଧ୍ୟତାମୂଳକ କିନ୍ତୁ ଏହା ମଧ୍ୟରେ ମଧ୍ୟ ଅନେକ ନିୟମ କାନୁନ ରହିଛି । କିମ୍‌ ୟୋ ଜୋଙ୍ଗ୍‌ କେବଳ ଏମିତି ସ୍କର୍ଟ ପିନ୍ଧି ପାରିବେ ଯାହାର ଲମ୍ବା ଆଣ୍ଠୁ ପର୍ଯ୍ୟନ୍ତ ରହିଥିବ । ଆଣ୍ଠୁ ସ୍ଥାନରେ ଅଳ୍ପ କିଛି ଡିଜାଇନ୍‌ କରିବା ପାଇଁ ସାମାନ୍ୟ ସ୍ୱାଧିନତା ରହିଛି । କିନ୍ତୁ ସେ ଏଥିରେ ଅଧିକ କିଛି ପରିବର୍ତ୍ତନ କରିପାରିବେ ନାହିଁ ବୋଲି କଟକଣା ମଧ୍ୟ ରହିଛି । ଏଥିସହ, ତାଙ୍କ ବ୍ଲେଜର୍‌ର ଫିଟିଂକୁ ଏପରି ଭାବରେ ରଖିବାକୁ ପଡିଥାଏ ଯେମିତି ଏହା ଫିଟ୍ ଦେଖାଯିବ ।

ଚପଲ ପିନ୍ଧିବାରେ କଟକଣା !

ଖାଲି ସେତିକି ନୁହେଁ, କିମ୍‌ଙ୍କ ଭଉଣୀଙ୍କ ପାଇଁ ଚପଲ ପିନ୍ଧାରେ ମଧ୍ୟ ଅନେକ କଟକଣା ରହିଛି । ସେ କେବଳ କଳା ରଙ୍ଗର ହିଲ୍‌ ହିଁ ପିନ୍ଧିପାରିବେ । ଆଉ ହିଲ୍‌ ବେଶି ଲମ୍ବା ହୋଇନଥିବା ମଧ୍ୟ ଜରୁରୀ । ହିଲ୍‌ର ଲମ୍ବା ଅତି ବେଶୀରେ ଦୁଇ ରୁ ୩ ଇଞ୍ଚ୍‌ ରହିବା ଆବଶ୍ୟକ । ସେ କଦାପି ଷ୍ଟିଲେଟୋ, ପମ୍ପ, ୱେଜ୍ କିମ୍ବା ଅନ୍ୟ କୌଣସି ଚପଲ ପିନ୍ଧିଥିବା ଦେଖାଯାଏ ନାହିଁ ।

ବ୍ଲେଜର ରଙ୍ଗରେ ମଧ୍ୟ କଟକଣା!

କିମ୍‌ ୟୋ ଜୋଙ୍ଗ୍‌ କେବେବି ଲାଇଟ୍‌ ରଙ୍ଗର ପୋଷାକରେ ଦେଖାଯାଆନ୍ତି ନାହିଁ । ସେ ପ୍ରାୟତଃ କଳା କିମ୍ବା ଧୂସର ବ୍ଲେଜର ଏବଂ ସ୍କର୍ଟରେ ଦେଖାଯାଆନ୍ତି । ଏହା ସହିତ ସେ କଳା କିମ୍ବା ଧଳା ବ୍ଲାଉଜ୍ ପିନ୍ଧନ୍ତି । କିମ୍‌ ଜୋଙ୍ଗ ଉନ୍‌ଙ୍କ ଦକ୍ଷିଣ କୋରିଆ ଗସ୍ତ ସମୟରେ ତାଙ୍କୁ ଏକ ଧଳା ଜ୍ୟାକେଟ୍‌ରେ ଦେଖିବାକୁ ମିଳିଥିଲା । ଏହା ସହ ସେ ବେଳେବେଳେ ମେରୁନ୍‌ ରଙ୍ଗର ବ୍ଲେଜରରେ ନଜର ଆସିଥାନ୍ତି ।

Leave a Reply