spot_img

Latest Posts

ଉତ୍ତର କୋରିଆରେ ଖାଦ୍ୟାଭାବ; କିମଙ୍କ ନିର୍ଦ୍ଦେଶ-୨୦୨୫ ଯାଏଁ କମ୍ ଖାଅ

ସିଓଲ: ଦେଶରେ ବ୍ୟାପକ ଖାଦ୍ୟାଭାବ ଦେଖାଦେଇଛି। ଏପରିକି ଆସନ୍ତା ୨୦୨୫ ଯାଏଁ ଦେଶବାସୀଙ୍କୁ କମ୍ ଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର କୋରିଆର ସୁପ୍ରିମଲିଡର କିମ୍ ଜଙ୍ଗ ଉନ୍। ନଚେତ ପରିସ୍ଥିତି ଗୁରୁତର ହେବ ବୋଲି ସେ ଆଶଙ୍କା କରିଛନ୍ତି।

କୋଭିଡ ଯୋଗୁ ଚୀନ ସହ ନିଜର ଥିବା ସୀମାକୁ ଉତ୍ତରକୋରିଆ ସିଲ୍ କରି ଦେଇଥିବାରୁ ଚୀନରୁ କୌଣସି ସାମଗ୍ରୀ ଦେଶରେ ପ୍ରବେଶ କରିପାରୁନାହିଁ । ଦେଶରେ ବ୍ୟୟବହୁଳ ଆଣବିକ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଖାଦ୍ୟାଭାବ ଗୁରୁତର ଆକାର ଧାରଣ କରିଛି । ଅତୀତରେ ସୋଭିଏତ ୟୁନିଅନର ପତନ ପରେ ମଧ୍ୟ ଉତ୍ତର କୋରିଆରେ ଭୟଙ୍କର ଦୁର୍ଭିକ୍ଷ ପଡିଥିଲା। ଫଳରେ ପ୍ରାୟ ୩୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଆସନ୍ତା ଦିନରେ ବି ଏହି ପ୍ରକାର ଏକ ଅବସ୍ଥା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଇଛି।

ସେପଟେ ଦେଶରେ ବାରମ୍ବାର ଝଡ, ବାତ୍ୟା ଲାଗି ରହିଥିବାରୁ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସ୍ଥିତି ଏପରି ହେଲାଣି ଯେ ୨୦୨୫ ସୁଦ୍ଧା ଖାଦ୍ୟାଭାବ ଦୂର ହୋଇପାରିବ ନାହିଁ ବୋଲି ଆକଳନ କରାଯାଉଛି । ଏହା ସହ ଚୀନ ସହ ଉତ୍ତମ ବୁଝାମଣା ଆସନ୍ତା ୨୦୨୫ ସୁଦ୍ଧା ସମ୍ଭବ ହୋଇ ନପାରେ । ତେଣୁ ଏ ସବୁକୁ ଦୃଷ୍ଟିରେ ରଖି ଶାସକ କିମ୍ ଜଙ୍ଗ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଆଣବିକ କାର୍ଯ୍ୟକ୍ରମ ଯୋଗୁ ଉତ୍ତରକୋରିଆ ବିରୋଧରେ ଆମେରିକା ସମେତ କିଛି ରାଷ୍ଟ୍ର କଟକଣା ଜାରି କରିଥିବାରୁ ଆସନ୍ତା ଦିନରେ ସଂଗୀନ ସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି । ପୂର୍ବରୁ କିମ୍ ଜଙ୍ଗ ପୁଞ୍ଜିବାଦ ବିରୋଧରେ ଲଢେଇ ଲାଗି ଜିନ୍ସ, ଅଳଙ୍କାର, ସାମୁଦ୍ରିକ ମାଛ, ପପ୍ ଆଦିକୁ ନିଷିଦ୍ଧ କରିଥିଲେ ।

Latest Posts

Don't Miss