ଶେଷରେ ଜଙ୍ଗଲ ଗଲା ଟ୍ରାଙ୍କୁଲାଇଜ୍ ହାତୀ, ନିଶା ଇଞ୍ଜେକସନ ଦେଇ କରାଗଲା ସ୍ଥାନାନ୍ତର

କଟକ: କଟକ ଜଗତପୁରରେ ପଶିଥିବା ଦୁଇଟି ବଣୁଆ ହାତୀ ମଧ୍ୟରୁ ଛୁଆ ହାତୀଟି ଚୌଦ୍ୱାର ଅଞ୍ଚଳକୁ ଚାଲିଯାଇଥିବା ବେଳେ ବଡ଼ ହାତୀକୁ ଖୁଣ୍ଟୁଣି ବନାଞ୍ଚଳକୁ ନିଆଯିବା ପକ୍ରିୟା ଜାରି ରହିଛି। ଗତକାଲି ଏଥିପାଇଁ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା । ଆଜି ହାତୀକୁ ନେବା ପୂର୍ବରୁ ପୁଣି ନିଶା ଇଞ୍ଜେକସନ ଦିଆଯାଇ ସ୍ଥାନାନ୍ତର କରାଯାଉଛି । ହାତୀକୁ ଏକ ହାଇୱା ଯୋଗେ ଅତି ସତର୍କତାର ନିଆଯାଇଛି । ତାର ଶୁଣ୍ଢ ରେ ଆଘାତ ଲାଗିଥିବାରୁ ତାକୁ ଆବଶ୍ୟକ ଚିକିତ୍ସା ଓ ଖାଦ୍ୟ ମଧ୍ୟ ଗାଡ଼ିରେ ଦିଆଯାଇଛି । ଗତକାଲି ସଂଧ୍ୟା ହୋଇଯିବାରୁ ସ୍ଥାନାନ୍ତର ହୋଇପାରିନଥିଲା । ହାତୀର ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଛୁଆ ହାତୀକୁ ମଧ୍ୟ ଜଙ୍ଗଲରେ ଛଡ଼ାଯିବ। ତେବେ ଛୁଆ ହାତୀକୁ ଟ୍ରାଙ୍କୁଲାଇଜ୍ କରାଯିବାର ଆବଶ୍ୟକତା ନାହିଁ । ସେପଟେ ମୃତ ମା’ ହାତୀକୁ ଜଗତପୁର ରେଳଲାଇନ ମହାନଦୀ କୁଳରେ ପୋତା ଯାଇଥିବା କଟକ ସିଟି ଡିଭିଜନ ଡିଏଫଓ ଅଜିତ କୁମାର ଶତପଥୀ କହିଛନ୍ତି । ଗତକାଲିଠାରୁ ହାତୀ ଜଗତପୁର ଅଞ୍ଚଳରେ ପ୍ରବେଶ କରିବା ଫଳରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ଘଟଣାରେ ୨ଜଣଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି ।