ଭୁଲ ହୋଇଗଲା ମେଟାର ଅଟୋମେଟିକ ଟ୍ରାନ୍ସଲେସନ, ପରଲୋକଗତ ଅଭିନେତ୍ରୀ ସରୋଜାଙ୍କ ବଦଳରେ ସ୍ଥାନ ପାଇଗଲେ ସିଦ୍ଦରମୈୟା

ବେଙ୍ଗାଲୁରୁ : କେତେ ଭୁଲ୍ ହୋଇପାରେ ଅଟୋମେଟିକ ଟ୍ରାନ୍ସଲେସନ । ତାହାର ନଜିର ସୃଷ୍ଟି ହୋଇଛି କର୍ଣ୍ଣାଟକରେ । ଆଉ କେହି ନୁହଁ, ଖୋଦ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପରଲୋକ ଘଟିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ସିଏମଓ ପକ୍ଷରୁ ପ୍ରକାଶ ପାଇବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଫେସବୁକରେ ପୋଷ୍ଟ ହୋଇଥିବା ସିଏମଓର ମେସେଜକୁ ମେଟାର ଅଟୋଟ୍ରାନ୍ସଲେସନ ଜରିଆରେ ଏହି ଗୁରୁତର ଭୁଲ୍ ହୋଇଛି । କନ୍ନଡ ଅଭିନେତ୍ରୀ ବି. ସରୋଜା ଦେବୀଙ୍କ ପରଲୋକରେ ସିଏମଓ ପକ୍ଷରୁ କନ୍ନଡ ଭାଷାରେ ଏକ ପୋଷ୍ଟ କରାଯାଇଥିଲା । ମାତ୍ର ଇଂରାଜୀରେ ଏହାର ଅଟୋଟ୍ରାନ୍ସଲେସନରେ ସରୋଜାଙ୍କ ବଦଳରେ ସିଦ୍ଦରମୈୟା ହୋଇଯାଇଥିଲା । ଏହି ଘଟଣା ଘଟିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସିଦ୍ଦରମୈୟା । ଏନେଇ ସତର୍କ ରହିବାକୁ ସୋସିଆଲ ମଡିଆଗୁଡିକୁ ସେ ପରାମର୍ଶ ଦେବା ସହ କନ୍ନଡ ଭାଷାର ଅଟୋଟ୍ରାନ୍ସଲେସନ ଫିଚରକୁ ବନ୍ଦ କରିବା ଲାଗି ମେଟାକୁ ସେ ପରାମର୍ଶ ଦେଇଛନ୍ତି । ଏସମ୍ପର୍କରେ ମେଟାକୁ ପତ୍ର ଲେଖିଛନ୍ତି ସିଦ୍ଦରମୈୟାଙ୍କ ଗଣମାଧ୍ୟମ ପରାମର୍ଶଦାତ କେ.ଭି. ପ୍ରଭାକର । ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଦାୟିତ୍ବସମ୍ପନ୍ନ ହେବା ଦରକାର ଏବଂ ଟ୍ରାନ୍ସଲେସନ ଫିଚର ନିର୍ଭୁଲ ହେବା ଦରକାର ବୋଲି କହିଛନ୍ତି ସିଦ୍ଦରମୈୟା ।