କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଏବଂ ଛାତ୍ର ଅଶାନ୍ତି ଘଟଣା, ଆଉ ୫ ଜଣ ଗିରଫ

ଭୁବନେଶ୍ୱର : କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣା ଓ ପରବର୍ତ୍ତୀ ଛାତ୍ର ଅଶାନ୍ତି ଘଟଣା। ଛାତ୍ରଛାତ୍ରୀଙ୍କ ମାଡ଼ ମାରିବା ଘଟଣାରେ ଆଜି ୫ ଜଣଙ୍କୁ ଗିରଫ କରିଛି ଇନଫୋସିଟି ପୋଲିସ। ଛାତ୍ରଛାତ୍ରୀ ମାନେ ହଷ୍ଟେଲ ଖାଲି କରୁଥିବା ବେଳେ, ଏହି ୫ ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଚାଲିଯିବାକୁ କହିଥିଲେ। ତେବେ ହଷ୍ଟେଲ ଖାଲି କରିବାରେ ବିଳମ୍ବ ହେବାରୁ ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହ ମାରପିଟ୍ କରିଥିଲେ ଅଭିଯୁକ୍ତ।

ଏହି ଘଟଣାରେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତ ହେଲେ କିଟ୍ ବିଶ୍ବବିଦ୍ୟାଳୟର କର୍ମଚାରୀ ଅଜୟ ସ୍ବାଇଁ, ସରୋଜ ରାଉତରାୟ, ଚନ୍ଦନ ସ୍ବାଇଁ, ସୁଧାଂଶୁ ଶେଖର ବେହେରା ଓ ରମାକାନ୍ତ ସେଠୀ। ପୂର୍ବରୁ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା। ଅନ୍ୟପଟେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ, ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଜର ହେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।