ନିଜକୁ ନିଜେ ସିନ୍ଦୁର ପିନ୍ଧାଇଲେ କ୍ଷମା ବିନ୍ଦୁ ,ବିନା ବର ଓ ପଣ୍ଡିତରେ ହେଲା ବିବାହ

ଗାନ୍ଧିନଗର : ବିବାହ ମଣ୍ଡପରେ ନଥିଲା ବର, କିନ୍ତୁ ବିବାହ ହେଲା ସମ୍ପନ୍ନ । ବିନା ବରରେ ନେଲେ ସାତ ଫେରା, ନିଜକୁ ନିଜେ ଲଗାଇଲେ ସିନ୍ଦୁର ଆଉ ନିଜ ପାଇଁ ନିଜେ ନେଲେ ବିବାହ ପ୍ରତିଜ୍ଞା । ନିକଟ ଅତୀତରେ ଚର୍ଚ୍ଚାରେ ଥିବା ଗୁଜୁରାଟର ୨୪ ବର୍ଷୀୟା କ୍ଷମା ବିନ୍ଦୁ ଆଜି ନିଜକୁ ସମସ୍ତ ରୀତିନୀତିରେ ବିବାହ କରିଛନ୍ତି । ଅନେକ ଦିନରୁ ଲାଇମଲାଇଟ୍ ରେ ଥିବା କ୍ଷମାଙ୍କ ଏପରି ବିବାହ ବିଷୟ ଯେକେହି ବି ଶୁଣିଲେ , ଆଶ୍ଚର୍ଯ୍ୟ ହେବା ସାର । ଜୁନ୍ ୧୧ରେ ନିଜକୁ ନିଜେ ବିବାହ କରିବାକୁ ଘେଷଣା କରିଥିଲେ କ୍ଷମା କିନ୍ତୁ ବିବାଦରୁ ବଞ୍ଚିବା ପାଇଁ ଧାର୍ଯ୍ୟ ସମୟ ପୂର୍ବରୁ ନିଜକୁ ବିବାହ କରିଛନ୍ତି ।

ବିନ୍ଦୁଙ୍କ କହିବା ଅନୁଯାୟୀ, ବିବାଦ ଘେରରେ ଆସିବାର ଭୟ ଓ ତାଙ୍କ ଘରକୁ ଆସି ତାଙ୍କ ବିବାହ ପରି ସ୍ପେଶାଲ ଦିନକୁ କେହି ଖରାପ ନକରି ଦିଅନ୍ତୁ ତାହାକୁ ଦୃଷ୍ଟିରେ ରଖି ସେ ଧାର୍ଯ୍ୟ ସମୟ ପୂର୍ବରୁ ବିବାହ ସମ୍ପନ୍ନ କରିବାକୁ ନିଷ୍ପତ୍ତି କରିଥିଲେ । ତାଙ୍କ ବିବାହ ଅବସରେ ତାଙ୍କର କିଛି ଖାସ୍ ସାଙ୍ଗମାନେ ସାମିଲ ହୋଇଥିଲେ । ଏହି ଖାସ୍ ବିବାହରେ ମଧ୍ୟ ମେହେନ୍ଦି, ହଲଦୀ ପରି ରୀତିନୀତି ପାଳନ କରାଯାଇଛି।

ପ୍ରଥମେ କ୍ଷମା ମନ୍ଦିରରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଜଣେ ବିଜେପି ନେତାଙ୍କ ବିରୋଧ ପରେ ସେ ଘରେ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।ଏପରି ବିବାହ ସମ୍ପନ କରିବାକୁ କେହି ପଣ୍ଡିତ ରାଜି ନହେବାରୁ ସେ ନିଜେ ଡିଜିଟାଲ ମାଧ୍ୟମରେ ଟେପ୍ ରେ ମନ୍ତ୍ର ବଜାଇ ବିବାହ କରିଛନ୍ତି ।ବିବାହ ପରେ ହନିମୁନ୍ ପାଇଁ ଗେଆ ଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି  ସେ କହିଛନ୍ତି । କ୍ଷମାଙ୍କ ନିଜକୁ ନିଜେ ବିବାହ କରିବାର ନିଷ୍ପତ୍ତିକୁ ତାଙ୍କ ପିତାମାତା ସମର୍ଥନ କରିବା ସହ ସୁଖୀ ଜୀବନ ପାଇଁ ଆଶିର୍ବାଦ ମଧ୍ୟ କରିଛନ୍ତି । ବିବାହ ପରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସେ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

ଏହି ବିବାହ କରିବାକୁ ତାଙ୍କୁ ବହୁ ବିବାଦର ସାମ୍ନା କରିବାକୁ ପଡିଥିଲା । ତାଙ୍କ ଏପରି ବିବାହକୁ ଅନେକ ତାଙ୍କୁ ଟ୍ରୋଲ କରିବା ସହିତ ଅନେକ ତାଙ୍କୁ ସମର୍ଥନ ମଧ୍ୟ ଜଣାଇଛନ୍ତି । ଏପରି ନିଆରା ବିବାହ ଭାରତରେ ପ୍ରଥମ ଆତ୍ମବିବାହ ବା ସଲୋଗାମୀ ବିବାହ ବୋଲି କୁହାଯାଉଛି । ନିଜ ବିବାହକୁ ନେଇ କ୍ଷମା କୁହନ୍ତି, ଲୋକମାନେ ଭଲପାଉଥିବା ବ୍ୟକ୍ତିକୁ ବିବାହ କରନ୍ତି, ମୁଁ ନିଜକୁ ଭଲପାଏ ସେଥିପାଇଁ ନିଜକୁ ବିବାହ କରିଛି ।