କେନ୍ଦ୍ର ଦେଉନି ପରିବେଶ ମଞ୍ଜୁରୀ, ସାମ୍ନାକୁ ଆସିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ସତ

1 min read

ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପରେ କେଁ ପୂରାଇଲା କେନ୍ଦ୍ର । ପରିବେଶ ମଞ୍ଜୁରୀ ଖାରଜ । ରାଜ୍ୟର ସର୍ବ ପୁରାତନ ରେଳ ପ୍ରକଳ୍ପ ଖୋର୍ଦ୍ଧାରୋଡ଼-ବଲାଙ୍ଗିର ରେଳ ଲାଇନ୍‍କୁ ପରିବେଶ ମଞ୍ଜୁରୀ ପ୍ରଦାନ କରିବାରେ କେନ୍ଦ୍ର ସରକାରଙ୍କର ଆଉ ଏକ ଅବହେଳା ସାମ୍ନାକୁ ଆସିଛି । ଖୋର୍ଦ୍ଧାରୋଡ଼-ବଲାଙ୍ଗିର ରେଳପଥ ପାଇଁ ଅନୁଷ୍ଠିତ ଆଞ୍ଚଳିକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ମଞ୍ଜୁରୀକୁ ଖାରଜ କରି ଦିଆଯାଇଛି ।

ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୨୭ ବର୍ଷ ହେଲା ସହଯୋଗ କରି ଆସୁଥିବା ବେଳେ କେନ୍ଦ୍ର ସରକାର ବୈଷିୟକ ଦିଗ ଆନୁଧ୍ୟାନ କରୁଛନ୍ତି । ପ୍ରକଳ୍ପ ପାଇଁ ୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଲାଣି । ଜମି ଅଧିଗ୍ରହଣ ବାବଦକୁ ରାଜ୍ୟ ସରକାର ୨ କୋଟିରୁ ଅଧିକ ଏବଂ ନିର୍ମାଣ ବାବଦରେ ୫୦ ପ୍ରତିଶତରୁ ଅଧିକ ଖର୍ଚ୍ଚ ହେଲାଣି । ଏପରିସ୍ଥଳେ କେନ୍ଦ୍ର ସରକାର ପରିବେଶ ମଞ୍ଜୁରି ନ ଦେବା ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ।

୧୯୯୪-୯୫ ମସିହାରେ ଖୋର୍ଦ୍ଧାରୋଡ଼-ବଲାଙ୍ଗିର ରେଳ ପ୍ରକଳ୍ପ ମଞ୍ଜୁରୀ ପାଇଥିବା ବେଳେ ପ୍ରଗତି ବୈଠକରେ ପ୍ରଧାନମନ୍ତ୍ରୀ ପ୍ରକଳ୍ପକୁ ଗୁରୁତ୍ବ ଦେଇଥିଲେ । ରେଳ ପ୍ରକଳ୍ପର ୧୧୨ରୁ ୩୦୧ କିମି ପର୍ଯ୍ୟନ୍ତ ଜମି ରାଜ୍ୟ ସରକାର ବିନା ମୂଲ୍ୟରେ ଯୋଗାଇ ଦେଉଥିବା ବେଳେ ନିର୍ମାଣ କାର୍ଯ୍ୟର ୫୦% ଖର୍ଚ୍ଚ ବହନ କରୁଛନ୍ତି। ତେବେ ପରିବେଶ ମଞ୍ଜୁରୀ ମିଳୁନଥିବାରୁ ୧୧୨ରୁ ୧୧୮ କିମି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରୁ ନଥିବା ଜଣା ପଡ଼ିଛି  ।