ଖୋର୍ଦ୍ଧା : ଶୈବାଳ ଚାଷ ବା ସ୍ପିରୁଲିନା ଫାର୍ମିଂ। ପୃଥିବୀର ସବୁଠାରୁ ଶକ୍ତିଶାଳୀ ଖାଦ୍ୟ ଉତ୍ସ । ଓଡ଼ିଶାରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ସ୍ପିରୁଲିନା ଚାଷ। ଏହି ଚାଷ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ପବିତ୍ର ସାହୁ । ସେ ଜଣେ ଆଇଟି ଇଞ୍ଜିନିୟର ସହ ଚାଟାର୍ଡ ଆକାଉଣ୍ଟାଣ୍ଟ। ବିଦେଶରୁ ଫେରି ଆଖୁପଦର ଅଞ୍ଚଳରେ ଏହି ଚାଷ ଆରମ୍ଭ କରି ସଫଳ ହୋଇଛନ୍ତି । ଏଥିରୁ ତିଆରି ଟାବ୍ଲେଟରୁ ମିଳିବ ପ୍ରୋଟିନ, ଆଇରନ ଏବଂ ରୋଗ ପ୍ରତିରୋଧକ ଶକ୍ତି।
ପ୍ରାୟ ୫ ଏକର ଜାଗାରେ ଛୋଟ ଛୋଟ ପଲ୍ଲୀ ହାଉସ ନିର୍ମାଣ କରି ଆଧୁନିକ ପ୍ରଣାଳୀରେ ସେଡ୍ ନିର୍ମାଣ କରାଯାଇଛି। ଗଙ୍ଗା ନଦୀ ପାଖରୁ ଶିଉଳି ଆଣି ଏଠି ଚାଷ କରାଯାଉଛି। ଏହି ନୀଳ ଶୈବାଳ ଉଭୟ ମଧୁର ଓ ଲୁଣି ପାଣିରେ ବଢ଼ିଥାଏ। ଶିଉଳିକୁ ନେଇ ପରୀକ୍ଷାଗାରରେ ପରୀକ୍ଷା କରି ଶୁଖାଇ ପାଉଡର ଓ ଟାବ୍ଲେଟ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ଆଗ୍ରୋନୋମିଷ୍ଟ ମାନେ ନିଯୁକ୍ତ ହୋଇ ଗବେଷଣା ସହିତ ଉତ୍ପାଦନରେ ଲାଗିଛନ୍ତି। ଏହି ସ୍ପିରୁଲିନାକୁ ମିଳିତ ଜାତିସଂଘ ଓ WHO ଭବିଷ୍ୟତର ସର୍ବୋତ୍ତମ ଖାଦ୍ୟ ବୋଲି ଘୋଷଣା କରିଛନ୍ତି। ମହାକାଶଚାରୀ ମାନଙ୍କ ପାଇଁ ଦୀର୍ଘକାଳୀନ ମହାକାଶ ମିଶନରେ ନାସା ଏହାକୁ ଖାଦ୍ୟ ଭାବେ ଗ୍ରହଣ କରିଛି।

