ଦୃଢ ଇଚ୍ଛା ଆଗରେ ହାର ମାନିଲା ଗରିବୀ, ନିଟ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ପ୍ରଶଂସା ସାଉଁଟୁଛନ୍ତି ଦୁଇ ସାଙ୍ଗ
1 min read
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା, ବୋଲଗଡ଼ ବ୍ଲକ ଆରିକିମାର ଦେବପ୍ରକାଶ ସାହୁ ଓ ରୀତେଶ ବେହେରା । ଦୁହେଁ ପିଲା ଦିନର ସାଙ୍ଗ । ପିଲା ଦିନରୁ ଏକାଠି ଖେଳିବା ସହ ପାଠ ପଢିଛନ୍ତି ଦୁହେଁ । ଆଉ ଏବେ ଏକାଠି ମିଶି ଡାକ୍ତର ପଢିବେ । ରୋଗୀ ସେବା କରିବେ । ଦୁହେଁ ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଛନ୍ତି । କଟକ SCB ମେଡିକାଲ କଲେଜରେ ଏମବିବିଏସ ପାଠ ପଢିବାକୁ ଯୋଗ୍ୟତା ହାସଲ କରିଛନ୍ତି । ଡାକ୍ତରୀ ପଢି ଆଗାମୀ ଦିନରେ ମାଗଣାରେ ରୋଗୀ ସେବା କରିବେ ବୋଲି କହିଛନ୍ତି ଦୁହେଁ ।
ଏକା ସାଙ୍ଗରେ ଦୁଇ ସାଙ୍ଗଙ୍କ ଏହି ଅଭୂତପୂର୍ବ ସଫଳତାରେ ଆରିକିମା ଉଚ୍ଚ ବିଦ୍ୟାଳୟରେ ଖୁସିର ମାହୋଲ ଖେଳିଯାଇଥିଲା । ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଉଭୟ ସାଥି ତଥା ସ୍କୁଲର ସୁନାମ ଧନ୍ୟ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ମିଠା ଖୁଆଇ ଶୁଭ ମନାସି ଥିଲେ। ଦୃଢ଼ ଇଚ୍ଛା, ପରିଶ୍ରମ ଓ ସଂଘର୍ଷ ଯେ, ସଫଳତାର ପଥକୁ ସଜାଇଦିଏ । ଦେବପ୍ରକାଶ ଓ ରୀତେଶ ତାହାର ଜ୍ଵଳନ୍ତ ଉଦାହରଣ ।