ବନ୍ଧୁ ସାଜିଲା ବଇରୀ, ସାଙ୍ଗକୁ ପିଟିପିଟି ହତ୍ୟା

ଖୋର୍ଦ୍ଧା: ବନ୍ଧୁ ସାଜିଲା ବଇରୀ । କଥା ଅଛି ସାଙ୍ଗ ଥିଲେ ସାଥୀରେ, ମୋର ଭୟ ନାହିଁ କାହାକୁରେ । କିନ୍ତୁ ଯଦି ସେହି ସାଙ୍ଗ ବଇରୀ ସାଜିବ କାହାକୁ ବା କହିବା । ତେବେ ସାମାନ୍ୟ ବଚସାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଶଗଡ଼ଭଙ୍ଗା ପଂଚାୟତ ଭୀମପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ରଶ୍ମିରଞ୍ଜନ ବଳିଆରସିଂ । ଏକ ନାଚରେ ଅଭିନୟ କରିବାକୁ ନେଇ ରଶ୍ମିରଞ୍ଜନ ଓ ତାଙ୍କ ବନ୍ଧୁଙ୍କ ମଧ୍ୟରେ ବିବାଦ ହୋଇଥିଲା  । ଘରେ କେହି ନଥିବାବେଳେ ରଶ୍ମିରଞ୍ଜନଙ୍କୁ ତାଙ୍କ ସାଙ୍ଗ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକାରୀ ସାଙ୍ଗ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା । ତେବେ ଏହି ଘଟଣା ବନ୍ଧୁ ଭଳି ଏକ ପବିତ୍ର ସମ୍ପର୍କରେ କଳଙ୍କର ଛିଟା ଲଗାଇ ଦେଇଛି । ଏଣୁ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ପାଇଁ ମୃତକଙ୍କ ପରିବାର ଦାବି କରିଛନ୍ତି । ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଚଳାଇଛି ।