ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ ବୟାନ୍ : ପାକିସ୍ତାନ ବର୍ଷ ବର୍ଷ ଧରି ଆତଙ୍କୀଙ୍କୁ ଯୋଗାଇଆସୁଥିଲା ସମ୍ବଳ
1 min read
ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ପ୍ରସ୍ତାବକୁ ନେଇ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖଓ୍ବାଜା ଆସିଫଙ୍କ ବୟାନ ସମସ୍ତଙ୍କୁ ଚକିତ କରିଦେଇଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ନିଜେ ସ୍ବୀକାର କରିଛନ୍ତି ଯେ , ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦୀଙ୍କୁ ସମର୍ଥନ କରିଆସୁଛି । ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ ଉପରେ ଏଇଆଇପିଏଲବି(AIMPLB) ର ସଦସ୍ୟ ମୌଲାନା ଖଲିଦ ରସିଦ ଫିରଙ୍ଗୀ ମହଲୀ ନିଜର ପ୍ରତିକ୍ରିୟା ରଖିଛନ୍ତି ।
AIMPLB ସଦସ୍ୟ ମୌଲାନା ଖାଲିଦ ରସିଦ ଫିରଙ୍ଗୀ ମହଲୀ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ବୟାନ ଉପରେ କହିଛନ୍ତି ଯେ, “ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନରୁ ଜଣାପଡୁଛି ଯେ ପାକିସ୍ତାନ ଗତ 30 ବର୍ଷ ଧରି ଆତଙ୍କବାଦକୁ ପାଣ୍ଠି ଯୋଗାଇ ଆସୁଛି ଯାହା କି ଅତ୍ୟନ୍ତ ନିନ୍ଦନୀୟ ଏବଂ ଘୃଣ୍ୟ ବୟାନ।
ଭାରତ ପ୍ରଥମ ଦିନରୁ ଏହା କହି ଆସୁଛି ଯେ, ଅନ୍ତର୍ଜାତୀୟ ଗୋଷ୍ଠୀଗୁଡ଼ିକ ମଧ୍ୟ ଆଗକୁ ଆସି ପାକିସ୍ତାନରୁ ସମସ୍ତ ପ୍ରକାରର ଆତଙ୍କବାଦକୁ ଶେଷ କରିବା ଉଚିତ। ଏହା ସତ୍ତ୍ବେ ବି ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ ଯୋଗାଇ ଆସୁଛି । ଭାରତ ପାକିସ୍ତାନ ସହିତ ତାର ସମସ୍ତ କୂଟନୈତିକ ସମ୍ପର୍କ ସମାପ୍ତ କରିବା ଉଚିତ ଯାହା ଦ୍ୱାରା ଆମେ ସବୁଦିନ ପାଇଁ ଆତଙ୍କବାଦରୁ ମୁକ୍ତି ପାଇପାରିବା।”
ସୂଚନାନୁସାରେ,ଏକ ସାମ୍ପ୍ରତିକ ସାକ୍ଷାତକାର ସମୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ଗତ ତିନି ଦଶନ୍ଧି ଧରି ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ, ତାଲିମ ଏବଂ ଟଙ୍କା ଦେଇ ଆସୁଛି। ସେ ଏହାକୁ ଏକ ଭୁଲ ବୋଲି କହିଥିଲେ ଯାହା ପାଇଁ ଏବେ ପାକିସ୍ତାନକୁ କ୍ଷତି ସହିବାକୁ ପଡୁଛି। ଖୱାଜା ଆସିଫ୍ ସ୍ୱୀକାର କରିଛନ୍ତି ଯେ ଆମେ ଗତ ତିନି ଦଶନ୍ଧି ଧରି ଆମେରିକା ଏବଂ ବ୍ରିଟେନ ପାଇଁ ବି ଏହି ଘୃଣ୍ୟ କାମ କରିଆସୁଛୁ। ତଥାପି, ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିଛି।
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ବହୁତ କଠୋର ପଦକ୍ଷେପ ନେଇଛି । ଏହି କ୍ରମରେ, ମୋଦି ସରକାର ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । 1960 ର ସିନ୍ଧୁ ଜଳ ଚୁକ୍ତିନାମା ଉପରେ ରୋକ ଲଗାଇଛନ୍ତି। ଏହା ସହିତ, ପାକିସ୍ତାନୀ ନାଗରିକଙ୍କ ଭିସା ମଧ୍ୟ ବାତିଲ କରାଯାଇଛି ଏବଂ ପାକିସ୍ତାନ ହାଇ କମିଶନକୁ କର୍ମଚାରୀଙ୍କ ସଂଖ୍ୟା କମ୍ କରିବାକୁ କୁହାଯାଇଛି।