ଆଜି ଶ୍ରୀଜିଉଙ୍କର ହେବ ଖସାପଡ଼ା ନୀତି, ସନ୍ଧ୍ୟାରେ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଚୈତ୍ରମାସ କୃଷ୍ଣପକ୍ଷ ସପ୍ତମୀ ତିଥି । ଆଜିର ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କର ଅନୁଷ୍ଠିତ ହୋଇଥାଏ ଖସାପଡା ନୀତି । ତେଣୁ ଆଜି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହା ଏକ ଗୁପ୍ତ ସେବା ହେଇଥିବାରୁ ନୀତି ସମୟରେ ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ । ଏହି ନୀତି ପାଇଁ ପୂର୍ବ ଦିନରୁ ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା ଦେଇଥାନ୍ତି । ସେହିପରି ଶୁଦ୍ଧସୁଆର ଖଳି, କଇଁଥ ଅଠା ଯୋଗାଇଥାନ୍ତି। ମଧ୍ୟାହ୍ନ ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଏ । ବେହେରଣ ଦ୍ୱାର ଦେଇ ଦଇତାପତିମାନେ ଗର୍ଭଗୃହକୁ ଯାଇ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କର ଏହି ଗୁପ୍ତ ନୀତି ସମ୍ପନ୍ନ କରିଥାନ୍ତି । ତେବେ ଏହି ନୀତି ଦଇତାପତି ସେବାୟତମାନଙ୍କର ଗୋଷ୍ଠୀଗତ ଏବଂ ଗୁପ୍ତ ସେବା ଅଟେ । ବର୍ଷକୁ ୨ ରୁ ୩ ଥର ଏହି ଗୁପ୍ତ ସେବା ଅନୁଷ୍ଠିତ ହୋଇଥାଏ । ଗୁଣ୍ଡିଚା ଯାତ୍ରା ସରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀଅଙ୍ଗ ଶ୍ରୀପୟର ସୁରକ୍ଷା ପାଇଁ ଏହି ଖସାପଡା ନୀତି ଅନୁଷ୍ଠିତ ହୋଇଥାଏ । ସେହିପରି ଦିଅଁମାନେ ଦୋଳ ପୂର୍ଣ୍ଣିମାରେ ହୋଲି ଖେଳିବା ଯୋଗୁଁ ତାଙ୍କ ଶ୍ରୀଅଙ୍ଗର କେତେକ ଅଂଶ କ୍ଷତବିକ୍ଷତ ହୋଇଯାଇ ଥାଏ । ତେଣୁ ଏଥିପାଇଁ ମଧ୍ୟ ଖସାପଡା ନୀତି ହୋଲି ପରେ ଅନୁଷ୍ଠିତ ହୋଇଥାଏ । ଏହି ନୀତି ସମ୍ପୂର୍ଣ୍ଣ ହେବା ପାଇଁ ୪ ରୁ ୫ ଘଣ୍ଟା ସମୟ ଲାଗିଥାଏ । ଖସାପଡା ନୀତି ସମ୍ପୂର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ। ଖସାପଡା ନୀତି ସରିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଚାଲୁ ରହିବ ।