ଖଣ୍ଡଗିରି ଥାନା ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ, ଚକମା ଦେବାକୁ ମାଟିତଳେ ଲୁଚାଇଥିଲେ ଲୁଟ୍ ଟଙ୍କା ଓ ସୁନା

ଭୁବନେଶ୍ୱର: ମାଟି ତଳୁ ମିଳିଲା ଲୁଟ ଟଙ୍କା, ସୁନା । ପୋଲିସକୁ ଚକମା ଦେବାକୁ ଅଭିନବ ଯୋଜନା କରିଥିଲେ ଲୁଟେରା । ଭୁବନେଶ୍ବର ଖଣ୍ଡଗିରି ଥାନା ପୋଲିସ ଜାଲରେ ପଡ଼ିଛନ୍ତି ଲୁଟେରା ଗ୍ୟାଙ୍ଗ । ଜଗମୋହନ ନଗର ଅଞ୍ଚଳରେ ଘରେ ପଶି ଲୁଟପାଟ ଘଟଣାରେ ପୋଲିସକୁ ସଫଳତା ମିଳିଛି । ଲୁଟେରାଙ୍କୁ ଧରାଇଦେଇଛି ମନ୍ତ୍ରୀ ପ୍ରମିଳା ମଲିକଙ୍କ ଘରର ସିସିଟିଭି । ଗୌହାଟୀରେ ଘର ମାଲିକ ଥିବା ବେଳେ କଳା କନା ବୁଲାଇଥିଲେ ଲୁଟେରା । ପୋଲିସ ଆଖିରେ ଧୂଳି ଦେଇ ନିଶା ନିବାରଣ କେନ୍ଦ୍ରରେ ଲୁଚିଥିଲେ । ଖଣ୍ଡଗିରି ଥାନା ପୋଲିସର ସ୍ବତନ୍ତ୍ର ଟିମ ସେଠାରୁ ଦୁଇ ଜଣଙ୍କୁ ଗିରଫ କରିଛି ।

ଲୁଟ ସୁନା ଗହଣା ଓ ଲୁଟ ସାମଗ୍ରୀକୁ ଘର ଭିତରେ ମାଟିରେ ପୋତି ଦେଇଥିଲେ ଲୁଟେରା । ପୋତିବା ପରେ ସେହି ସ୍ଥାନକୁ ସିମେଣ୍ଟରେ ପ୍ଲାଷ୍ଟର କରିଦେଉଥିଲେ । ଅଭିଯୁକ୍ତଙ୍କୁ ପଚରାଉଚରା କରି ୨୨୫ ଗ୍ରାମର ସୁନା ଅଳଂକାର, ୧୦୦ ଗ୍ରାମ ସୁନା ବିସ୍କୁଟ, ୧ ଲକ୍ଷ ଟଙ୍କା, ୧୦୦ ଗ୍ରାମ ରୁପା ଜବତ ହୋଇଛି । ଠାକୁରଙ୍କ ବାସନ କୁସନ ସହ ଅଳଙ୍କାର ମଧ୍ୟ ଜବତ କରିଛି ପୋଲିସ । ଦିନରେ ଜରି ଗୋଟେଇବା ସହ ରାତିରେ ଚୋରି କରୁଥିଲେ ଲୁଟେରା । ଅଭିଯୁକ୍ତଙ୍କ ନାଁରେ ଖାରବେଳନଗର ଥାନା ଓ ଖଣ୍ଡଗିରି ଥାନାରେ ଏକାଧିକ ମାମଲା ରହିଛି । ସେମାନଙ୍କୁ ତଡ଼ିପାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଖଣ୍ଡଗିରି ଥାନା ପୋଲିସ ।