ଆଜି କମ୍ପିବ ଖଣ୍ଡଗିରି; ଆରମ୍ଭ ହେବ ପ୍ରସିଦ୍ଧ ମାଘସପ୍ତମୀ କୁମ୍ଭମେଳା

ଖଣ୍ଡଗିରି: ଆଜି କମ୍ପିବ ଖଣ୍ଡଗିରି। ଆରମ୍ଭ ହେବ ପ୍ରସିଦ୍ଧ ମାଘସପ୍ତମୀ କୁମ୍ଭମେଳା। ନାମ, ଧ୍ବନି, ସଂର୍କୀତ୍ତନ କୋଳାହଳରେ କମ୍ପିବ ଖଣ୍ଡଗିରି ଗୁମ୍ଫା। ବାବାଙ୍କ ଆଖଡାରୁ ଦେବସଭା ସବୁଠି ଚଳଚଞ୍ଚଳ। ରାଜ୍ଯ ତଥା ରାଜ୍ଯ ବାହରର ସାଧୁସନ୍ଥ ଏବେ ଭୁବନେଶ୍ବରରେ ଡେରା ପକାଇଲେଣି। ପାହଡର ପାଦ ଦେଶରୁ ଉପର ଯାଏଁ ପରିମଳ, ସଫେଇ, ସୌନ୍ଦଯ୍ଯକରଣ, ସ୍ବଚ୍ଛତା ଉପରେ ଫୋକସ କରିଛି ବିଏମସି।

ଆଲୋକୀକରଣ ସାଙ୍ଗକୁ ସୌନ୍ଦଯ୍ଯକରଣ ନେଇ ରୋଡ ମ୍ଯାପ ପ୍ରସ୍ତୁତ ହୋଇଛି। ଖଣ୍ଡଗିରି ଛକରୁ ପାହଡ ପଯ୍ଯନ୍ତ କିଭଳି ଭିଡ ନ ହେବ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ସିସିଟିଭି ଓ ପାର୍କିଂ ନେଇ ପ୍ଳାନ କରିଛି ବିଏମସି। ଏକ ହଜାରରୁ ଅଧିକ ସାଧୁସନ୍ଥ ଆସିବା ପାଇଁ ବ୍ୟବସ୍ଥା କରାଯାଇଛି। ଉତ୍କଳ ପଞ୍ଚଶଖା ଭାଗବତ ଆଖଡା ପକ୍ଷରୁ ୯ ଦିନ ଧରି ହେବାକୁ ଥିବା ମେଳାରେ ଏକ ହଜାରରୁ ଅଧିକ ସାଧୁସନ୍ଥ ଯୋଗ ଦେଇ ଆଧ୍ଯାତ୍ମିକ ଦିଗଦର୍ଶନ, ଐତିହ, ସଂସ୍କୃତି ଓ ପରମ୍ପରାର ଉପରେ ଜନ ସଚେତନା ସୃଷ୍ଟି କରିବେ।

ବେଦପାଠ ସହିତ ଜାଗମରା ଠାରୁ ଖଣ୍ଡଗିରି ପଯ୍ଯନ୍ତ ସଂର୍କୀତନ ଓ କଳସ ଶୋଭାଯାତ୍ରା କରାଯିବ। ପ୍ରତିଦିନ ସନ୍ଧ୍ଯାରେ ଧର୍ମ ଆଲୋଚନା,  ବିଶିଷ୍ଟ ଗବେଷକଙ୍କ ଦ୍ବାରା ପ୍ରବଚନ ଅନୁଷ୍ଠିତ ହେବ। ଏହି ଅବସରରେ ୧୮ ତାରିଖରୁ ଖଣ୍ଡଗିରିରେ ଆରମ୍ଭ ହେବ ଯାତ୍ରା ମହାସମର। ୬ଟି ମଞ୍ଚରେ ଦେଖିବାକୁ ମିଳିବ ନାଚ, ଗୀତ ଓ ଅଭିନୟର ମନୋରଞ୍ଜନ। ଯାତ୍ରା ପରିବେଷଣ ବେଳେ ଅଶ୍ଳୀଳ ନୃତ୍ଯ ପରିବେଷଣକୁ ପ୍ରସୟ ଦେବନି ବିଏମସି। ଯେଉଁ ମଞ୍ଚରେ ଅଶ୍ଳୀଳ ପ୍ରଦର୍ଶନ ହେବ ଅଧାରୁ ଯାତ୍ରା ବନ୍ଦ କରିବା ନେଇ ଚେତାବନୀ ଦେଇଛି ବିଏମସି। ମଞ୍ଚରେ ଅଶ୍ଳୀଳତା ପ୍ରଦର୍ଶନ ହେବ ନାହିଁ ବୋଲି ମତ ରଖିଛି ଯାତ୍ରା କମିଟି।