ଖଣ୍ଡଗିରିରେ ଯାତ୍ରା ଦେଖିବାକୁ ଲାଗିଲାଣି ଭିଡ଼

ଭୁବନେଶ୍ବର: ଖଣ୍ଡଗିରିରେ ଆରମ୍ଭ ହେଲା ଯାତ୍ରା ମହାକୁମ୍ଭ । ପ୍ରଥମ ଦିନରେ ଦୁଲିକିଲା ୫ଟି ଯାତ୍ରା ପେଣ୍ଡାଲ । ନାଟକ ଦେଖିବା ପାଇଁ ପ୍ରଥମ ସନ୍ଧ୍ୟାରେ ଯତ୍ରାପ୍ରେମୀଙ୍କ ଲାଗିଥିଲା ଭିଡ଼ । ଅନ୍ୟପଟେ ଦର୍ଶକଙ୍କ ସୁବିଧା ପାଇଁ ସମସ୍ତ ଯାତ୍ରା କମିଟି ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଥିଲା । ଭିନିୟାନର ଅଟ୍ଟହାସ୍ଯରେ କମ୍ପିଲା ଖଣ୍ଡଗିରି । ସଂଳାପ ସାଙ୍ଗକୁ ଗୀତ ଓ ରେକର୍ଡ ଡ୍ଯାନ୍ସରେ ମତୁଆଲା ହେଲେ ଦର୍ଶକ । ଖଣ୍ଡଗିରି କୁମ୍ଭମେଳାରେ ଆରମ୍ଭ ହେଲା ଯାତ୍ରା ମହାକୁମ୍ଭ । ଅପେରା ମଧ୍ୟରେ ଆରମ୍ଭ ହୋଇଛି ଜୋରଦାର ଲଢେଇ । ଚଳିତବର୍ଷ ସାମିଲ ହୋଇଛନ୍ତି ୧୨ ଟି ବଛା ବଛା ଅପେରା ପାର୍ଟି ।

ପ୍ରଥମ ସନ୍ଧ୍ୟାରେ ୫ଟି ଯାତ୍ରା ପାର୍ଟି ନାଟକ ପରିବେଷଣ କରିଛନ୍ତି । ଆଗକୁ ଆହୁରି ଯାତ୍ରାପାର୍ଟି ପଡ଼ିବାକୁ ଥିଲା ବେଳେ, ଗୌରୀ , କଳିଙ୍ଗ, କୋଣାର୍କ, ସାଇ ସମ୍ରାଟ ଓ ମାଆ ଦୁର୍ଗା ମନ୍ଦିର ମଧ୍ୟରେ ଦେଖିବାକୁ ମିଳିଛି ମହା ମୁକାବିଲା । ଚଳିତବର୍ଷର ଶ୍ରେଷ୍ଠ ନାଟକ, ଅତ୍ୟାଧୁନିକ ଆଲୋକ, ବଛା ବଛା କଳାକାରଙ୍କ ସହ ରେକର୍ଡ ଡ୍ୟାନ୍ସ ଦର୍ଶକଙ୍କୁ ଆକର୍ଷିତ କରିଛି । ପ୍ରଥମ ଦିନରୁ ହିଁ ସବୁ ଅପେରା ପେଣ୍ଡାଲରେ ନାହିନଥିବା ଭିଡ଼ ଦେଖିବାକୁ ମିଳିଛି । ଗୌରୀ ଗଣନାଟ୍ୟର ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା ନାଟକ ଦେଖିବାକୁ ଦର୍ଶକଙ୍କ ମଧ୍ଯରେ ବଢୁଛି ଉତ୍କଣ୍ଠା ।

ଅନ୍ୟପଟେ ଦର୍ଶକଙ୍କ ସୁବିଧା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ସମସ୍ତ ଯାତ୍ରା କମିଟି । ପ୍ରତ୍ୟେକ ପେଣ୍ଡାଲରେ ୨ ହଜାରରୁ ୩ ହଜାର ଦର୍ଶକ ବସିବାର ବ୍ୟବସ୍ଥା କରାଯାଇଛି । ଯାତ୍ରା ପ୍ରେମିଙ୍କୁ ଦୃଷ୍ଟିରେ ରଖି ଦୁଇ ପ୍ରକାର ଟିକେଟର ମୂଲ୍ୟ ଧାର୍ଯ୍ୟ କରାଯାଇଛି । ସାଧାରଣ ବର୍ଗଙ୍କ ପାଇଁ ଟିକେଟର ମୂଲ୍ୟ ୧୫୦ ଟଙ୍କା ଓ ସ୍ବତନ୍ତ୍ର ବର୍ଗ ପାଇଁ ମୂଲ୍ୟ ରହିଛି ୨୫୦ ଟଙ୍କା । ଶାନ୍ତି ଶୃଙ୍ଖଳା ପାଇଁ କମିଟି ପକ୍ଷରୁ ଅଧିକ ସଦସ୍ୟଙ୍କୁ ନିୟୋଜିତ କରାଯାଇଛି । ଯାତ୍ରା ସାଙ୍ଗକୁ ବାବାଙ୍କ ମନ୍ତ୍ରଧ୍ବନୀରେ କମ୍ପୁଛି ଖଣ୍ଡଗିରି ଗୁମ୍ଫା । ବାବାଙ୍କ ଆଶୀର୍ବାଦ ନେବାକୁ ପ୍ରତିଦିନ ଜମୁଛି ଶ୍ରଦ୍ଧାଳୁଙ୍କ ସୁଅ ।