ସଂସ୍କାର ପାଇଁ ମୃତ ଶିଶୁକୁ ବ୍ୟାଗରେ ନେଉଥିଲା ବାପା, ଅଟକାଇ ମାଡ଼ ମାରିଲେ ଲୋକେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ, ମୃତ ଶିଶୁକୁ ବ୍ୟାଗରେ ଧରି ବୁଲିଲା ବାପା । ୮ ମାସର ଶିଶୁକନ୍ୟାର ମୃତଦେହ ବ୍ୟାଗରେ ନେଉଥିଲେ ଆଇଗିଣିଆର ସନ୍ତୋଷ ସାହୁ । ଝିଅକୁ ହତ୍ୟା କରି ବ୍ୟାଗରେ ନେଉଥିବା ସନ୍ଦେହରେ ଲୋକ ସନ୍ତୋଷଙ୍କୁ ଅଟକାଇ ମାଡ଼ ମାରିଥିଲେ । ସେପଟେ ସନ୍ତୋଷ କହିଛନ୍ତି, ଝିଅର ମୃତ୍ୟୁ ପରେ ସଂସ୍କାର ପାଇଁ ନେଉଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ବାପାମାଆଙ୍କୁ ଥାନାକୁ ନେଇ ପଚରାଉଚରା କରିଛି । ଜଣାପଡ଼ିଛି ଯେ, ଆଇଗିଣିଆର ଏକ ବସ୍ତିରେ ରହୁଥିବା ସନ୍ତୋଷ ମିସ୍ତ୍ରି କାମ କରନ୍ତି । ଶିଶୁ କନ୍ୟା ଦୀର୍ଘଦିନ ହେବ ଅସୁସ୍ଥ ଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସେ ସଂସ୍କାର ପାଇଁ ନଦୀ ପଠାକୁ ନେଉଥିଲେ । ଯେହେତୁ କମ ଦିନ ହେବ ଆଇଗେଣିଆର ଏକ ବସ୍ତିରେ ରହୁଥିଲେ ଭୁବନେଶ୍ୱର ବିଷୟରେ ବେଶି କିଛି ଜାଣିନଥିଲେ ।

ଯାହାଫଳରେ ନଦୀ ପଠାରେ ମୃତ ଶିଶୁ କନ୍ୟାକୁ ପୋତିବା ପାଇଁ ପତ୍ନୀଙ୍କ ସହ ଖଣ୍ଡଗିରି ଅଭିମୁଖେ ଆସୁଥିଲେ । କିଛି ଲୋକେ ତାଙ୍କୁ ଅଟକାଇଥିଲେ । ପରିବା ବ୍ୟାଗ୍ ଭିତରେ ୮ ମାସର ମୃତ ଶିଶୁକୁ ଦେଖି ଲୋକମାନେ ତାଙ୍କୁ ମାଡ଼ ମାରିଥିଲେ । ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସମ୍ପୂର୍ଣ୍ଣ ଗଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ତେବେ ଶିଶୁକନ୍ୟାର ଶେଷକୃତ୍ୟ ପାଇଁ ପୋଲିସ ବ୍ୟବସ୍ଥା କରିଛି ।