ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବି. ନୂଆଁପଲ୍ଲୀ ଗ୍ରାମରେ ଚାଞ୍ଚଲ୍ୟ । ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏ ନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ଛାନଭିନ୍ ଆରମ୍ଭ କରିଛି । ବି. ନୂଆଁପଲ୍ଲୀ ଗ୍ରାମର ଯୁଧିଷ୍ଠିର ପ୍ରଧାନ ରବିବାର ସକାଳେ ଜରୁରୀ କାଗଜପତ୍ରର ଜେରକ୍ସ ପାଇଁ ଘରୁ ବାହାରିଥିଲେ । ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ସନ୍ଦେହ ବଢ଼ିଥିଲା । ଦିନ ତମାମ ଖୋଜାଖୋଜି ପରେ ଗାଁ ମୁଣ୍ଡରେ ଥିବା ପାହାଡ଼ ତଳେ ଯୁଧିଷ୍ଠିରଙ୍କ ଚପଲ, ଲୁଗା ଓ କାଗଜପତ୍ର ମିଳିଥିଲା । ମାଟି ତଳେ ଯୁଧିଷ୍ଠିରଙ୍କୁ ପୋତା ଯାଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ସନ୍ଧ୍ୟା ହୋଇ ଯାଇଥିବାରୁ ମଙ୍ଗଳବାର ସକାଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଲାଯିବା ନେଇ ସୂଚନା ଦେଇଛନ୍ତି ଆଇଆଇସି ଜଗନ୍ନାଥ ମଲ୍ଲିକ । ଅଭିଯୋଗ ଅନୁସାରେ ସମ୍ପର୍କୀୟ ଭାଇଙ୍କ ପରିବାରର ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଦୀର୍ଘ ଦିନ ହେଲା ଯୁଧିଷ୍ଠିର ଗୁଣି କରୁଥିବା ଅଭିଯୋଗ କରି ତାଙ୍କ ସମ୍ପର୍କୀୟ ଭାଇଙ୍କ ଘର ଲୋକେ ହତ୍ୟା ଧମକ ଦେଇଥିବା କହିଛନ୍ତି ପରିବାର ଲୋକେ ।

ଏଥିସହିତ ପଢ଼ନ୍ତୁ: ନନ୍ଦିଘୋଷ ଟିଭି ପ୍ରଭାବ: ବନ୍ଧା ହେଲେ ନୃଶଂସ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ

 

Leave a Reply