କାନାଡ଼ାରେ ଖାଲିସ୍ତାନୀଙ୍କ ନକଲି ଦୂତାବାସ, ଆଲର୍ଟରେ ଭାରତର ଗୁଇନ୍ଦା ସଂସ୍ଥା
1 min read
ନନ୍ଦିଘୋଷ ବ୍ୟୁରୋ: କାନାଡାରୁ ଭାରତ ବିରୋଧରେ ଖାଲିସ୍ତାନୀଙ୍କ ବଡ଼ ଷଡଯନ୍ତ୍ର । ଖୁଲମଖୁଲା କାନାଡ଼ାରେ ଖାଲିସ୍ତାନୀମାନେ ରିପବ୍ଲିକ ଅଫ୍ ଖାଲିସ୍ତାନ ନାଁରେ ଦୂତାବାସ ଖୋଲି ଦେଇଛନ୍ତି । କାନାଡ଼ାର ସରେ ସହରରେ ଏହି ଦୂତାବାସ ଖୋଲାଯାଇଛି । ଏହି ଖବର ଜଣାପଡ଼ିବା ପରେ ଭାରତୀୟ ତଦନ୍ତକାରୀ ସଂସ୍ଥାମାନେ ଆଲର୍ଟ ହୋଇଯାଇଛନ୍ତି । ଭାରତ ଓ କାନାଡ଼ା ମଧ୍ୟରେ ସମ୍ପର୍କରେ ସୁଧାର ଆସୁଥିବା ବେଳେ ଏମିତି ଘଟଣା ପଦାକୁ ଆସିଛି । ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପୁଣି ଥରେ ଖରାପ କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।
ସରେ ସହରରେ ଖାଲିସ୍ତାନୀ ଆତଙ୍କବାଦୀ ଚଲାଇଥିବା ଭାରତ ବିରୋଧୀ ଗତିବିଧି ଉପରେ ଆମ ଦେଶର ଯାଞ୍ଚ ଏଜେନ୍ସିମାନେ ନଜର ରଖିଛନ୍ତି । ସେଠାରୁ ଆସିଥିବା ରିପୋର୍ଟ ଅନୁସାରେ ହରଦୀପ ସିଂହ ନିଜ୍ଜରଙ୍କ ସମର୍ଥନରେ ସରେ ସହରରେ ଏହି ଦୂତାବାସ ଖୋଲା ଯାଇଛି । ସୂଚନାଯୋଗ୍ୟ, ଭାରତ ନିଜ୍ଜରକୁ ଆତଙ୍କବାଦୀ ଘୋଷିତ କରିଛି ।
ଦୂତାବାସରେ ନିଜ୍ଜରର ପୋଷ୍ଟର
ସରେ ସହରରେ ଖୋଲା ଯାଇଥିବା ନକଲି ଦୂତାବାସରେ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରର ପୋଷ୍ଟର ମରାଯାଇଛି । କେବଳ ସେତିକି ନୁହେଁ କାନାଡ଼ାରେ ଖାଲିସ୍ଥାନୀ ସଂଗଠନ SFJ ଆଗାମୀ ଦିନରେ ଗୋଟିଏ ସିଖ ଜନମତ ସଂଗ୍ରହ କରିବାକୁ ଘୋଷଣା କରିଛି । ସୁରକ୍ଷା ଏଜେନ୍ସି ପକ୍ଷରୁ ଆଶଙ୍କା କରାଯାଉଛି କି ଏହାଦ୍ବାରା ନା କେବଳ ଭାରତ ବିରୋଧୀ ସ୍ଥିତି ସୃଷ୍ଟି କରାଯାଇଛି ବରଂ ବିଦେଶୀ ଜମିକୁ ଭାରତର ସୁରକ୍ଷା ବିରୋଧରେ ବ୍ୟବହାର କରାଯାଉଛି ।
କାନାଡ଼ାକୁ ଖାଲିସ୍ତାନୀ ଆନ୍ଦୋଳନର ଗଡ କୁହାଯାଇଥାଏ । ୧୯୭୦ରେ ପ୍ରଥମ ଥର କାନାଡ଼ାରେ ଖାଲିସ୍ତାନୀ ଆନ୍ଦୋଳନକୁ ନେଇ ଡାକ ଟିକେଟ ଜାରି କରାଯାଇଥିଲା । ଏଠାରେ ପ୍ରଥମ ଥର ଖାଲିସ୍ତାନୀମାନେ ସେମାନଙ୍କ ଟଙ୍କା ଉନ୍ମୋଚନ କରିଥିଲେ । ବର୍ତ୍ତମାନ ଖାଲିସ୍ତାନୀ ଆନ୍ଦୋଳନର ଏକାଧିକ ନେତା କାନାଡ଼ାରେ ରହୁଛନ୍ତି । କାନାଡ଼ାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖୋଲାଖୋଲି ଭାବେ ଖାଲିସ୍ତାନୀଙ୍କୁ ସମର୍ଥନ କରୁଥିଲେ । ତାଙ୍କ ଦେଶରେ କିଛି ଖାଲିସ୍ତାନୀ ସମର୍ଥକ ରହୁଥିବା ମଧ୍ୟ ସେ କହିଥିଲେ । ଟ୍ରୁଡୋଙ୍କ ନୀତି ପାଇଁ ଭାରତ ଓ କାନାଡା ନିଜ ମଧ୍ୟରେ ରାଜେନୖତିକ ସମ୍ପର୍କ କାଟି ଦେଇଥିଲେ । ତେବେ ଟ୍ରୁଡୋ କ୍ଷମତାରୁ ଯିବା ପରେ ସ୍ଥିତିରେ ପରିବର୍ତ୍ତନ ଆସିଛି । କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ କୁଟନୈତିକ ସ୍ଥିତି ସୁଧାରିବାରେ ଲାଗିଛନ୍ତି । ଏପରିକି ଦୁଇ ଦେଶ ଖାଲିସ୍ତାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି । ଏହି ପ୍ରସ୍ତାବ ଅନୁସାରେ ଦୁଇ ଦେଶର ଏଜେନ୍ସି ନିଜ ଭିତରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ କରିବେ । ଏହି ନିଷ୍ପତ୍ତି ପରେ ସୀମା ପାର ଅପରାଧ, ଆତଙ୍କବାଦ, ଉଗ୍ରବାଦ ଓ ପ୍ରାୟୋଜିତ ଅପରାଧ ଉପରେ ତଥ୍ୟ ଆଦାନ ପ୍ରଦାନ କରାଯିବ ।