ସ୍ବୀକାର କଲା କାନାଡ଼ା, ଦେଶରେ ଚାଲିଛି ଖଲିସ୍ତାନୀ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ

1 min read

ନନ୍ଦିଘୋଷ ବ୍ୟୁରୋ: କାନାଡ଼ା ମାଟିରେ ଚାଲିଛି ଖଲିସ୍ତାନୀ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ। କାନାଡ଼ା ଏହା ନିଜେ ସ୍ଵୀକାର କରିଛି। ଏକ ରିପୋର୍ଟରେ କୁହାଯାଇଛି ଯେ, କାନାଡ଼ା ମାଟିରେ ଖାଲିସ୍ତାନୀ ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି, ପାଣ୍ଠି ସଂଗ୍ରହ କରନ୍ତି, ଭାରତ ବିରୋଧୀ କାମରେ ଲିପ୍ତ ରହୁଛନ୍ତି। କାନାଡାର ଅର୍ଥ ବିଭାଗର ଏକ ରିପୋର୍ଟରେ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବରେ ଏହା ସ୍ୱୀକାର କରାଯାଇଛି  ଯେ, ଖଲିସ୍ତାନୀ ଆତଙ୍କବାଦୀ ସେଠାରେ କାର୍ଯ୍ୟ କରୁଛନ୍ତି ଏବଂ ଆର୍ଥିକ ସହାୟତା ପାଉଛନ୍ତି। ପୂର୍ବରୁ କାନାଡାରେ ଏକ ବ୍ୟାପକ ପାଣ୍ଠି ସଂଗ୍ରହ ନେଟୱାର୍କ ଥିଲା। କିନ୍ତୁ ବର୍ତ୍ତମାନ ଦେଖାଯାଉଛି, ଖଲିସ୍ତାନୀ ଆନ୍ଦୋଳନ ପ୍ରତି ଆନୁଗତ୍ୟ ଥିବା ବ୍ୟକ୍ତିମାନେ ପାଣ୍ଠି ସଂଗ୍ରହ କରୁଛନ୍ତି। କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ସହିତ ନିର୍ଦ୍ଦିଷ୍ଟ ସମ୍ପର୍କ ନାହିଁ। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଖଲିସ୍ତାନୀ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକ ପ୍ରବାସୀ ସମ୍ପ୍ରଦାୟଙ୍କଠାରୁ ଦାନ ମାଗୁଛନ୍ତି । ଅଣ-ଲାଭକାରୀ ସଂଗଠନ ମାଧ୍ୟମରେ ପାଣ୍ଠି ସଂଗ୍ରହ କରୁଛନ୍ତି।

ଏ ସଂପର୍କରେ ଭାରତ ଅନେକ ଥର କାନାଡାକୁ ଅନେକ ଥର କହି ଆସିଛି। କିନ୍ତୁ କାନାଡ଼ା ଏହାକୁ ଅଣଦେଖା କରିଆସିଛି। ଯାହା ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ଅନେକ ସଂଗଠନକୁ ନେଇ ଗଠିତ ଖଲିସ୍ତାନି ଆନ୍ଦୋଳନ ପଞ୍ଜାବରେ ଖଲିସ୍ତାନ ନାମକ ଏକ ସ୍ୱାଧୀନ, ସାର୍ବଭୌମ ରାଷ୍ଟ୍ର ପ୍ରତିଷ୍ଠା କରିବାକୁ ଚାହୁଁଛି। ସେହି ଗୋଷ୍ଠୀ କାନାଡ଼ାରେ ବହୁତ ସକ୍ରିୟ। ଏହାକୁ ନେଇ ଭାରତ ଓ କାନାଡ଼ା ମଧ୍ୟରେ ସଂପର୍କ ତିକ୍ତ ହୋଇଥିଲା। ସେପ୍ଟେମ୍ବର 2023ରେ, କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାରେ ଭାରତ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ । ଭାରତ ଏହାକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଥିଲା। ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞମାନଙ୍କୁ ପ୍ରତ୍ୟାହାର କରିଥିଲେ।

କାନାଡାର ପ୍ରଧାନମନ୍ତ୍ରୀ ଭାବରେ ମାର୍କ କାର୍ନି ଦାୟିତ୍ୱ ଗ୍ରହଣ କରିବା ପରେ ସମ୍ପର୍କରେ ଉନ୍ନତି ଆସିଛି। ଏଇ ନିକଟରେ ଉଭୟ ଦେଶ ରାଷ୍ଟ୍ରଦୂତଙ୍କୁ ପୁନଃସ୍ଥାପିତ କରିବାକୁ ରାଜି ହୋଇଛନ୍ତି। ତେବେ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ କାନାଡ଼ା ସରକାରଙ୍କପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ଏଯାଏ ନିଆଯାଇନାହିଁ।