ଲଣ୍ଡନରେ ତ୍ରିରଙ୍ଗା ଓହ୍ଲାଇ ଖଲିସ୍ତାନୀ ପତାକା ଲଗାଇଲେ ସମର୍ଥକ

1 min read

ଲଣ୍ଡନ: ଲଣ୍ଡନରେ ତ୍ରିରଙ୍ଗାକୁ ଘୋର ଅପମାନ । ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନରେ ଲାଗିଥିବା ତ୍ରିରଙ୍ଗାକୁ ଅପମାନ କରାଯାଇଛି । ଖଲିସ୍ତାନୀ ସମର୍ଥକଙ୍କ ଦ୍ବାରା ତ୍ରିରଙ୍ଗାକୁ କାଢ଼ି ଖଲିସ୍ତାନୀ ପତାକା ଲଗାଯାଇଛି । ଏହି ଘଟଣାକୁ ନେଇ ସାରା ଦେଶ ଅସନ୍ତୋଷ ବ୍ୟକ୍ତ କରିଥିଲାବେଳେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛି ।

ଏ ନେଇ ଭାରତ ଜଣେ ବ୍ରିଟିଶ କୂଟନୀତିଜ୍ଞଙ୍କୁ ଡକାଇ ଘଟଣାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ବ୍ରିଟେନରେ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା ମଧ୍ୟରେ ଭେଦଭାବ ରହିଛି ।

ସୂଚନା ଅନୁସାରେ, ଗତ ରବିବାର ବିଳମ୍ବିତ ରାତିରେ ଖଲିସ୍ତାନ ସମର୍ଥକମାନେ ଲଣ୍ଡନ ସ୍ଥିତ ଭାରତୀୟ ହାଇ କମିଶନଙ୍କୁ ଟାର୍ଗେଟ କରିଥିଲେ । କମିଶନଙ୍କ କାର୍ଯ୍ୟାଳୟ ପରିସରରେ ଭଙ୍ଗାରୁଜା କରିବା ସହ ତ୍ରିରଙ୍ଗାକୁ ଅପମାନ କରାଯାଇଥିଲା । ଏହି ଘଟଣାକୁ ବ୍ରିଟେନରେ ଥିବା ଭାରତୀୟ ହାଇ କମିଶନ ଟ୍ବିଟ କରିଛନ୍ତି ।

ଭିଡିଓରେ ଦେଖାଯାଉଛି ଯେ, ଖଲିସ୍ତାନୀ ସମର୍ଥକ ତ୍ରିରଙ୍ଗାକୁ ତଳକୁ ଓହ୍ଲାଇ ତଳେ ପକାଇ ଦେଉଛନ୍ତି । ଏହା ପରେ ସମର୍ଥକମାନେ ଖଲିସ୍ତାନୀ ପତାକାକୁ ଲଗାଉଛନ୍ତି ।