ଜାଣନ୍ତୁ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ନିର୍ମାଣ ପଛର ପୌରାଣିକ କାହାଣୀ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଖଲ୍ଲିକୋଟର ଜଗନ୍ନାଥ ମନ୍ଦିର। ମନ୍ଦିର ୧୮୬୭ ମସିହାରେ ନିର୍ମିତ ହୋଇଥିବା ନେଇ ଇତିହାସ କୁହେ। ସେସମୟର ରାଜା ଜଗନ୍ନାଥ ମର୍ଦ୍ଧରାଜ ଦେଓ ମନ୍ଦିର କାମ ଆରମ୍ଭ କରିଥିଲେ। ନାରାୟଣ ମର୍ଦ୍ଧରାଜ ଦେଓଙ୍କ ସମୟରେ ଶେଷ ହୋଇଥିଲା ଏହି କାମ। କୁହାଯାଏ ପ୍ରାୟ ୧୦୦ ବର୍ଷ ଲାଗିଥିଲା ମନ୍ଦିର କାମ ଶେଷ ହେବାକୁ। ପୁରୀ ଶ୍ରୀମନ୍ଦିର ରୀତିନୀତି ଅନୁସାରେ ଏଠାରେ ବି ହୁଏ ରଥଯାତ୍ରା। ହଜାର ହଜାର ଶ୍ରଦ୍ଧାଳୁ ରଥଯାତ୍ରା ଦେଖିବାକୁ ଏକାଠି ହୁଅନ୍ତି।

ରାଜ ରାଜୁଡା ସମୟରୁ ନିର୍ମିତ ଗଞ୍ଜାମ ଖଲ୍ଲିକୋଟର ଜଗନ୍ନାଥ ମନ୍ଦିର। ମନ୍ଦିର ନିର୍ମାଣ ପଛରେ ରହିଛି ପୌରାଣିକ କାହାଣୀ।  ଜଗନ୍ନାଥ ଶ୍ରୀକ୍ଷେତ୍ର ଛାଡ଼ି ଚିଲିକା ନଇରେ ବାଣପୁର ଆସିଥିଲେ। ଏହାପରେ ଆଠଗଡ଼ ମାରଦା ଯାଇଥିଲେ।  ଠିକ୍‌ ସେହି ସମୟରେ ଖଲ୍ଲିକୋଟର ଜଗନ୍ନାଥ ମର୍ଦ୍ଧରାଜ ଦେଓ ଜଗନ୍ନାଥ ମନ୍ଦିର କାମ ଆରମ୍ଭ କରିଥିଲେ। ପୁରୀ ଶ୍ରୀ ଜଗନ୍ନାଥଙ୍କୁ ମନ୍ଦିରରୁ ବାରମ୍ବାର ସ୍ଥାନାନ୍ତରିତ ହେବାକୁ ପଡୁଥିଲା। ସେତେବେଳେ ଗଜପତି ରାଜା ସମସ୍ତ ସାମନ୍ତ ମାନଙ୍କୁ ନିଜ ନିଜ ଅଞ୍ଚଳରେ ଜଗନ୍ନାଥ ମନ୍ଦିର କରିବାକୁ କହିଥିଲେ। ଏହାପରେ ସବୁ ଗଡ଼ଜାତ ଅଞ୍ଚଳରେ ଜଗନ୍ନାଥ ମନ୍ଦିର ଆରମ୍ଭ ହୋଇଥିଲା। ଖଲ୍ଲିକୋଟର ଏହି ଜଗନ୍ନାଥ ମନ୍ଦିର ହେବାକୁ ପ୍ରାୟ ୧୦୦ ବର୍ଷ ସମୟ ଲାଗିଥିଲା। ଜଗନ୍ନାଥ ମର୍ଦ୍ଧରାଜ ଦେଓ ଆରମ୍ଭ କରିଥିବା ମନ୍ଦିର କାର୍ଯ୍ୟ ନାରାୟଣ ମର୍ଦ୍ଧରାଜ ଦେଓଙ୍କ ସମୟରେ ଶେଷ ହୋଇଥିଲା। ମନ୍ଦିର ୧୮୬୭ ମସିହାରେ ନିର୍ମିତ ହୋଇଥିବା ନେଇ ଇତିହାସ କୁହେ।

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରଠୁ ଏଠାରେ ରଥଯାତ୍ରା ହୋଇଆସୁଛି । ପ୍ରଥମେ ଗୋଟିଏ ରଥ ହେଉଥିଲା । ଗୋଟିଏ ରଥରେ ତିନି ଠାକୁର ବିଜେ ହେଉଥିଲେ । ସେହି ରଥକୁ ହାତୀ ପଛରୁ ଠେଲୁଥିଲା । ପରବର୍ତ୍ତୀ ସମୟରେ ତିନୋଟି ରଥ କରାଗଲା।

ପୁରୀ ମନ୍ଦିରରେ ରଥଯାତ୍ରା ଭଳି ବିଭିନ୍ନ ରୀତିନୀତି ଅନୁସାରେ ଏଠାରେ ମଧ୍ଯ ରଥଯାତ୍ରା ହୋଇଥାଏ। ପ୍ରତିଦିନ ଠାକୁରଙ୍କୁ ପୂଜା କରାଯିବା ସହ ଏଠାରେ ଶ୍ରାଦ୍ଧମେଳା ହୋଇଥାଏ। ଜିଲ୍ଲା ଓ ଜିଲ୍ଲା ବାହାରରୁ ଅନେକ ଭକ୍ତ ଆସି ଏଠାରେ ଶ୍ରାଦ୍ଧ କରିଥାନ୍ତି। ଶ୍ରାଦ୍ଧମେଳା ସହ ପିଣ୍ଡଦାନ ମଧ୍ୟ ବହୁ ଆଡ଼ମ୍ବର ସହକାରେ ହୋଇଥାଏ। ଏହି ମନ୍ଦିରର ରଥଯାତ୍ରା ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରରୁ ଭକ୍ତ ମାନେ ଆସିଥାନ୍ତି।