ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ଶଙ୍ଖ ଫୁଙ୍କିଲେ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ୱର: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ। ବିଜେଡିରେ ମିଶିଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି ଅଧିରାଜ ପାଣିଗ୍ରାହୀ। ଗତକାଲି ସେ କଂଗ୍ରେସ ଛାଡି ଆଜି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ସହ ଖଡିଆଳ, ବୋଡେନ ଓ ସିନାପାଲି ବ୍ଲକ ଚେୟାରମ୍ଯାନ ମଧ୍ଯ ଶଙ୍ଖ ଫୁଙ୍କିଛନ୍ତି। ୪୦ ସରପଞ୍ଚ ଓ ୩୪ ସମିତି ସଭ୍ଯଙ୍କ ସହ ମୋଟ ୭୪ ଜଣ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମଧ୍ଯ ବିଜେଡିରେ ସାମିଲ ହୋଇଛନ୍ତି। ଆଜିର ମିଶ୍ରଣ ପର୍ବରେ ଉପସ୍ଥିତ ରହି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ଯସଭା ସାଂସଦ ମାନସ ମଙ୍ଗରାଜ, ବିଜୁ ମହିଳା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ସମସ୍ତଙ୍କୁ ଉତ୍ତରୀୟ ପିନ୍ଧାଇ ପାଛୋଟି ନେଇଥିଲେ।

ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ ବିଜେଡିରେ ମିଶିଲେ ବୋଲି କହିଛନ୍ତି ଅଧିରାଜ ପାଣିଗ୍ରାହୀ। ଆଗକୁ ସେ ଯାହା ନିର୍ଦ୍ଦେଶ ଓ ଦାୟିତ୍ବ ଦେବେ ସେ ତାକୁ ପାଳନ କରିବେ। ଗୁଣ୍ଡୁଚି ମୂଷା ହୋଇ ବିକଶିତ ଓଡ଼ିଶା ଦିଗରେ କାମ କରିବେ ବୋଲି କହିଛନ୍ତି ଅଧିରାଜ। ଅନ୍ଯପଟେ ସମସ୍ତଙ୍କୁ ପୂର୍ବପେକ୍ଷା ବିଜେଡିରେ ଅଧିକ ସମ୍ମାନ ମିଳିବ। ସମସ୍ତେ ମିଳିମିଶି ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କରିବା ବୋଲି ଆହ୍ବାନ ଦେଇଥିଲେ ସାଂଗଠନିକ ସଂପାଦକ। ମୁଖ୍ଯମନ୍ତ୍ରୀଙ୍କ ନିରବ ସାଧକ ହୋଇ ଓଡ଼ିଶାକୁ ଏକ ନମ୍ବର ରାଜ୍ଯରେ ପରିଣତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏଥିରେ ସମସ୍ତଙ୍କ ସହଯୋଗ ଆବଶ୍ଯକ ବୋଲି କହିଥିଲେ ପ୍ରଣବ।