ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭ ମେଳା: ଯଜ୍ଞ ଓ ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ପାହାଡ଼ ପାଦଦେଶ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଖଣ୍ଡଗିରି ପାଡାଡ଼ ପାଦ ଦେଶରେ ଆରମ୍ଭ ହେଲା ମାଘ ମେଳା । ରାଧାକୁଣ୍ଡରୁ କଳସରେ ପାଣି ଆଣି ବାରଭୂଜାଙ୍କ ନିକଟରେ ଘଟ ସ୍ଥାପନା କଲେ ଶ୍ରଦ୍ଧାଳୁ । ଯଞ୍ଜ ଓ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପୂରା ପରିବେଶ । ବିଶ୍ବ କଲ୍ୟାଣ ପାଇଁ ଆହୁତି ଦେଉଛନ୍ତି ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ ସନ୍ଥ । ବାବାଙ୍କ ଠାରୁ ଆଶିଷ ନେବା ପାଇଁ ଧୂନା ଆଖଡାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଚଳିତବର୍ଷ ଶୃଙ୍ଖଳିତ ମେଳା ଓ ଯାତ୍ରା ଆୟୋଜନ ନେଇ ବ୍ୟାପକ ବ୍ୟବସ୍ଥା କରିଛି ବିଏମସି ।

୯ ଦିନ ଧରି ଚାଲିବ ସାଧୁ ସନ୍ଥଙ୍କ ମହାଯଜ୍ଞ । ପରିମଳ ଓ ସ୍ବଚ୍ଛତାକୁ ଗୁରୁତ୍ବ ଦେଇଛି ବିଏମସି । ବାବାଙ୍କ ସାନ୍ନିଧ ପାଇଁ ଧୂନା ଆଖଡାରେ ଦେଶୀ ବିଦେଶୀ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ପ୍ରଥମ ଦିନ ପାହଡ ଉପରେ ଥିବା ରାଧେଶ୍ୟାମ କୁଣ୍ଡ ନିକଟରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିବା ପରେ ମୁଣ୍ଡରେ ୧୦୮ କଳସ ଯାତ୍ରା କଳ୍ପବଟ ମୂଳରେ କଳସ ସ୍ଥାପନ କରିଥିଲେ । ମେଳାରେ ନାଗା ସାଧୁମାନଙ୍କ ସମାଗମ ହେଉଥିବାରୁ ସେମାନଙ୍କଠାରୁ ଆଶିଷ ଲାଭ କରିବାକୁ ଭକ୍ତଙ୍କ ଭିଡ ଲାଗିଛି ।

ଖଣ୍ଡଗିରି ପାହାଡ ପାଦଦେଶରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ହୋମ, ଯଜ୍ଞ, ଧ୍ୟାନ ଓ ଭାଗବତ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶେଷକରି ଡାକ୍ତର ବାବା, ପାଇଲଟ ବାବା, ଷ୍ଟାଣ୍ଡିଂ ବାବା, ଡମ୍ବୁର ବାବା ଓ ଯନ୍ତ୍ର ମନ୍ତ୍ର ତନ୍ତ୍ର ବାବାଙ୍କ ସମେତ ରାଜ୍ୟ ଭିତରୁ ମଧ୍ୟ ବିଭିନ୍ନ ଆଖାଡାରୁ ସାଧୁସନ୍ଥଙ୍କ ସମାଗମ ହେଉଛି । ମାଘମେଳାରେ ଆସୁଥିବା ସାଧୁସନ୍ଥଙ୍କ ଆଶିଷ ନେଇ ମାନସିକ କଲେ ତାହା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ସେଥିପାଇଁ ପ୍ରତିବର୍ଷ ଘଟ ସ୍ଥାପନାରେ ମହିଳାମାନେ କଳସଯାତ୍ରାରେ ସାମିଲ ହୋଇଥାନ୍ତି ।

ମାଘ ସପ୍ତମୀରୁ ଆରମ୍ଭ ହୋଇଥିବା ଏହି ମେଳା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ମେଳାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ବିଏମସି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।