ଖଡଗେଙ୍କ ଦାବି: କାମ ଦେବନି ବିଜେପିର ୪ ଶହ ପାର ନାରା, ୨ ଶହରେ ରହିବ ସୀମିତ

1 min read

ଭୁବନେଶ୍ବର: ଦେଶରୁ ଯାଉଛି ବିଜେପି ସରକାର । ୪ ଶହ ପାର୍ ନାରା, ୨ ଶହରେ ରହିବ ସୀମିତ । ବିଜେପିର ଗ୍ୟାରେଣ୍ଟି କିଛି ନାହିଁ । ଏପରି କହି ବିଜେପିକୁ ଓଡ଼ିଶା ମାଟିରୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଭ୍ରଷ୍ଟାଚାରରେ ବୁଡ଼ିଥିବା ସରକାର ଦେଶରୁ ହଟିବା ଦରକାର । ଦେଶରେ ଗଠବନ୍ଧନ ସରକାର ଆସିଲେ ସବୁ ଗ୍ୟାରେଣ୍ଟି କଂଗ୍ରେସ ପୂରଣ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଖଡ଼ଗେ । ଏହାକୁ ନେଇ ରାଜ୍ଯ ରାଜନୀତି ଉଷ୍ଣ ହୋଇଛି ।

ତେଳ, ଗ୍ୟାସ୍, ଔଷଧ ଦର ବୃଦ୍ଧି କରିଛି ବିଜେପି । ଏମଏସପି ମିଳୁନାହିଁ । ଲୋକ ବୁଝିଛନ୍ତି, ଭୋଟରେ ଦେଉଛନ୍ତି ଜବାବ । ଦେଶରୁ ହଟିବ ବିଜେପି ସରକାର । ୪୦୦ ପାର୍ ନାରା ୨୦୦ରେ ସୀମିତ ରହିବ । ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । କେନ୍ଦ୍ରର ବିଜେପି ନିର୍ବାଚନୀ ଗ୍ୟାରେଣ୍ଟିରେ ଦେଶ ପାଇଁ  କିଛି ନାହିଁ । ଏଥିପାଇଁ  ଦେଶର ଜନତା ବିଜେପିକୁ ହଟାଇବା ପାଇଁ ଚାହୁଁଛନ୍ତି । କେରଳ, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ର, ମହାରାଷ୍ଟ୍ର, ତାମିଲନାଡୁ ସହ ବହୁ ରାଜ୍ୟରେ ବିଜେପିକୁ ଲୋକ ପ୍ରତ୍ୟାଖ୍ଯାନ କରିଛନ୍ତି । ତେଣୁ ଦେଶରୁ ବିଜେପି ସରକାର ହଟିବ । କଂଗ୍ରେସ ଗଠବନ୍ଧନ ସରକାର ଗଢ଼ିବ ବୋଲି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଖଡ଼ଗେ । ବର୍ଷକୁ ୨ କୋଟି ଚାକିରି, କଳାଧନ ଫେରସ୍ତ, ପ୍ରତ୍ୟେକ ଲୋକଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି ଖଡ଼ଗେ ।

କେବଳ ସେତିକି ନୁହେଁ, ଓଡ଼ିଶା ପାଇଁ କେନ୍ଦ୍ର ବିଜେପି ସରକାର ୧୦ ବର୍ଷରେ କିଛି କରିନାହାନ୍ତି ବୋଲି ଖଡ଼ଗେ କହିଛନ୍ତି । ନିଜ ଦୋଷ ଲୁଚାଇବା ପାଇଁ ସବୁବେଳେ ବିଜେପି ସ୍ଥାନୀୟ ସରକାରଙ୍କୁ ଦାୟୀ କରୁଛି । ଏସବୁ ରାଜ୍ୟବାସୀ ବୁଝି ସାରିଲେଣି । କଂଗ୍ରେସ ପ୍ରତି ଆଦର ବଢୁଛି । ରାଜ୍ୟ ସରକାରଙ୍କୁ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ କେତେକ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ ।

ସେପଟେ ଖଡ଼ଗେଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଉତ୍ସାହିତ ହୋଇଛି କଂଗ୍ରେସ । ଜଣଟୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓଡ଼ିଶାରେ ବହୁତ ବିକାଶ କରିଛନ୍ତି । ତେଣୁ ଯିଏ ଯେତେ ଅଭିଯୋଗ କଲେ ମଧ୍ଯ ନବୀନ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ । ବିଜେଡିର ଯୁକ୍ତି ହେଉଛି, କେନ୍ଦ୍ରୀୟ ନେତାମାନେ ନିର୍ବାଚନ ସମୟରେ ପର୍ଯ୍ୟଟକ ଭଳି ଆସି ପ୍ରଚାର ଓ ଆକ୍ଷେପ କରନ୍ତି । ଯାହାର କୌଣସି ପଭାବ ପଡ଼ିବନି ।

ମେ’ ୨୦ ତାରିଖରେ ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଏହା ପୂର୍ବରୁ ବିଜେପିର ମିଥ୍ୟା ପ୍ରଚାର ବିରୋଧରେ କଂଗ୍ରେସର ଜଣକ ପରେ ଜଣେ କେନ୍ଦ୍ରୀୟ ନେତା କଟୁ ସମାଲୋଚନା କରିବା ବିଜେପି ନେତାଙ୍କ ଟେନସନ ବଢ଼ାଇଛି । ବିଜେଡି କିନ୍ତୁ ଆକ୍ଷେପ ପ୍ରତି ଦୂରରେ ରହି ଲୋକଙ୍କର ଅଧିକ ନିକଟତର ହୋଇଛି ।