ପଥର ଖାଦାନରେ ବ୍ଲାଷ୍ଟ ଯୋଗୁଁ ଘର ଫାଟି ଯାଉଥିବା ଅଭିଯୋଗ

ରାଉରକେଲା : କାନ୍ଥ ଫାଟି ଦୁଇଫାଳ । ଘରୁ ମାଟି ଝଡ଼ି ଦେଖାଗଲାଣି ଇଟା । କୌଣସି ସମୟରେ ଭଶୁଡ଼ି ଯାଇପାରେ ଘର । ଏହା କୌଣସି ଭୂମିକମ୍ପର ଦୃଶ୍ଯ ନୁହେଁ । ସୁନ୍ଦରଗଡ଼ ଲାଠିକଟା ବ୍ଲକ ଗୋଟିଧର ଗ୍ରାମର ଦୃଶ୍ୟ । ଗାଁ ନିକଟରେ ଥିବା ପଥର ଖାଦାନରେ ନିୟମିତ ବ୍ଲାଷ୍ଟିଂ ଯୋଗୁଁ ଗାଁରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ପ୍ରଚଣ୍ଡ ଶବ୍ଦରେ ଲୋକେ ଶୋଇ ପାରୁ ନଥିବା ଅଭିଯୋଗ କରିଛନ୍ତି । କୌଣସି ସମୟରେ ଘର ଧସିଯିବାର ଭୟ ରହିଥିବା ଅଭିଯୋଗ କରିଛନ୍ତି ବଲଣ୍ଡା ପଞ୍ଚାୟତ ଓ ଝାଡ଼ତରଙ୍ଗ ଗ୍ରାମପଞ୍ଚାୟତର ୧୦ ରୁ ଅଧିକ ଗ୍ରାମବାସୀ । ଏପରିକି ଖାଦାନ ନିକଟରେ ପିତାମହଲ ଡ଼୍ୟାମ ମଧ୍ଯ ବ୍ଲାଷ୍ଟିଂ ଯୋଗୁ ଫାଟି ଯିବା ସହ ତଳକୁ ଦବି ଯାଉଥିବା କହିଛନ୍ତି ଲୋକେ ।

ବ୍ଲାଷ୍ଟିଂ ହେଲେ ଗ୍ରାମବାସୀ ଭୟରେ ଘରୁ ବାହାରି ଆସୁଛନ୍ତି । ଏନେଇ ଗ୍ରାମବାସୀ ରାଜସ୍ଵ ଵିଭାଗ, ପ୍ରଦୂଷଣ ଵିଭାଗ ଓ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ କରିଛନ୍ତି । ଘର ସବୁ ଭାଙ୍ଗି ଯାଉଥିବାରୁ କିପରି ମରାମତି କରିବେ ସେନେଇ ଚିନ୍ତାରେ ଲୋକେ । ଗ୍ରାମବାସୀଙ୍କ ଅଭିଯୋଗ ସମ୍ପର୍କରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣି ବିଭାଗ ସୂଚନା ଦେଇଥିଲେ ସୁଦ୍ଧା ତୁରନ୍ତ ପଦକ୍ଷେପ ନନେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଲୋକେ ଚେତାବନୀ ଦେଇଛନ୍ତି ।