ବୋଲିଂ ନୁହେଁ, ଆକ୍ସନରେ ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାନ୍ତି ଏହି ବୋଲର..

1 min read

ଫଟୋଟି ଜଣେ ବୋଲରଙ୍କର ବୋଲି ତ ଜଣାପଡ଼ୁଛି । ମାତ୍ର କେଉଁ ହାତ କୁଆଡେ, କେଉଁ ଆଡ଼କୁ ବଲ ଫିଙ୍ଗୁଛନ୍ତି ତାହା ହଠାତ୍‌ ବୁଝିବା ମୁସ୍କିଲ । ଆମେ କହୁଛି ଶ୍ରୀଲଙ୍କାର ଏହି ଯୁବ ପ୍ରତିଭା ତଥା ଲେଗ୍‌ ବ୍ରେକ୍‌ ବୋଲର କେଭିନ୍‌ କୋଥିଗୋଡା ।
ନିଜର ବୋଲିଂ ଆକ୍ସନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛି ଶ୍ରୀଲଙ୍କା ଟିମ୍‌ । ନିଜର ନିଆରା ବୋଲର ତଥା ସେମାନଙ୍କ ବୋଲିଂ ଆକ୍ସନ ପାଇଁ କ୍ରିକେଟପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ନେଇପାରିଛି । ଏସବୁ କ୍ଷେତ୍ରରେ ଲସିଥ ମାଲିଙ୍ଗାଙ୍କ ନାଁ ଆଗରେ । ନିଜର ଆକ୍ସନ ପାଇଁ ବେଶ୍‌ ଚର୍ଚ୍ଚିତ ହୋଇଥିଲେ ମାଲିଙ୍ଗା । ଆକ୍ସନ ସାଙ୍ଗକୁ ୟୋକର ଲେନ୍‌ଥ ବଲ୍‌ ବହୁତ ପ୍ରଭାବଶାଳୀ । ଅନ୍ୟମାନଙ୍କ ମଧ୍ୟରେ ମୁଥେୟା ମୁରଲିଧରଣ, ମେଣ୍ଡିସ ଆଦି ଅନ୍ୟତମ

ତେବେ କେଭିନ୍‌ଙ୍କ ବୋଲିଂ ଆକ୍ସନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଦେଖିଲେ ବି ବିଶ୍ୱାସ ହେବନି ଜଣେ ଏଭଳି ଆକ୍ସନରେ ବୋଲିଂ କରିପାରେ । ତାହା ପୁଣି ସଠିକ୍‌ ଦିଶାରେ । ସେ ହେଉଛନ୍ତି ଯୁବ ପ୍ରତିଭା ତଥା ଡାହାଣ ହାତି ଲେଗ୍‌ ବ୍ରେକ୍‌ ବୋଲର କେଭିନ୍‌ କୋଥିଗୋଡ଼ା ।
କେଭିନ୍‌ଙ୍କ ପୂରା ନାଁ କୋଥିଗୋଡ଼ା କାନକାନ୍ମାଗେ କେଭିନ୍‌ । ବୟସ ୨୧ ବର୍ଷ କେଭିନ୍‌ ୮ଟି ପ୍ରଥମ ଶ୍ରେଣୀ ଓ ୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଏବେ ଗାଲେ କ୍ରିକେଟ କ୍ଲବ ପାଇଁ ସେ ଖେଳୁଛନ୍ତି ।

କେଭିନ୍‌ କୁହନ୍ତି କ୍ରିକେଟରେ ପାଦ ଦେବା ଦିନଠୁ ହିଁ ତାଙ୍କର ଏଭଳି ବୋଲିଂ ଆକ୍ସନ ରହିଛି । ସେ କାହାକୁ ଅନୁସରଣ କରନ୍ତି ନାହିଁ । କେଭିନ୍‌ ଅଣ୍ଡର-୧୩, ୧୫, ୧୭ ଏବଂ ଅଣ୍ଡର-୧୯ ମ୍ୟାଚ ଖେଳିଛନ୍ତି । ମାତ୍ର ଆକ୍ସନରେ ପରିବର୍ତ୍ତନ ହୋଇନାହିଁ ।
କେଭିନ୍‌ଙ୍କ କହିବା ଅନୁସାରେ ଆରମ୍ଭରୁ ନିଜ ପିତାଙ୍କ ସହ ଟେନିସ ବଲ୍‌ରେ କ୍ରିକେଟ ଖେଳୁଥିବା ବେଳେ ଏଭଳି ଆକ୍ସନରେ ବୋଲିଂ କରିବା ଆରମ୍ଭ କରିଥିଲେ । ସେବେଠୁ ଏଭଳି ଆକ୍ସନ ଜାରି ରହିଛି ।

ଆବୁଧାବିରେ ବାଙ୍ଗଲା ଟାଇଗର୍ସ ପାଇଁ ଟି-୧୦ ମ୍ୟାଚ ଖେଳୁଥିବା ବେଳେ ତାଙ୍କର ଆକ୍ସନର ଭିଡ଼ିଓ ଭାଇରାଲ ହୋଇଥିଲା । ଆପଣ ଦେଖୁଥିବା ଫଟୋ ସେହି ମ୍ୟାଚର । ୱିକେଟଠୁ ବହୁ ଦୂରରେ ଏବଂ ପିଚ୍‌କୁ ନଦେଖି ସେ ବଲ୍‌ ଫିଙ୍ଗିଥାନ୍ତି । ମାତ୍ର ତାହା ସଠିକ୍‌ ଲାଇନ୍‌ ଓ ଲେନ୍ଥରେ ପଡ଼ିଥାଏ । ଏଭଳି ବିସ୍ମୟକାରୀ ଆକ୍ସନ ପାଇଁ ତାଙ୍କର କୌଣସି ଅସୁବିଧା ହୋଇନଥିବା କୁହନ୍ତି କେଭିନ୍‌ କୋଥିଗୋଡ଼ା ।

Leave a Reply