ନବରଙ୍ଗପୁର ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ବିଷାକ୍ତ କେରଟ ଗ୍ରାସ

1 min read

ନନ୍ଦିଘୋଷ ବ୍ୟୁରୋ: ଆପଣ ବହୁତ୍ ପ୍ରକାର ଘାସ ଦେଖିଥିବେ । କିନ୍ତୁ ଏମିତି ଏକ ଘାସ ଦେଖିଛନ୍ତି କି ଯାହାକୁ ଗାଈ ଗୋରୁ ଛେଳି ମେଣ୍ଢା ବି ଖାଆନ୍ତି ନାହିଁ । ଏବଂ ଏହା ଯେଉଁଠି ଉଠେ ସେଇ ଅଞ୍ଚଳରେ ବିଷ ଭରିଦିଏ। ଏମିତି ଏକ ଘାସ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାର ପ୍ରାୟ ସବୁ ସ୍ଥାନରେ ଦେଖିବାକୁ ମିଳୁଛି । ଏହା ଏକ ପ୍ରକାର ବିଷାକ୍ତ ଘାସ । ଏହି ଘାସର ନାଁ ହେଲା କେରଟ ଗ୍ରାସ। ବଟାନିକାଲ ନାମ ହେଉଛି ପର୍ଥନୀୟମ କଂଗ୍ରେସ ଗ୍ରାସ ବା କେରଟ ଗ୍ରାସ । ଯାହା ଏବେ ମବରଙ୍ଗପୁର ଜିଲ୍ଲା ଉମରକୋଟ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି ।

ଯେଉଁଆଡେ ଦେଖିବା ମାଡ଼ି ଯାଇଛି ଘାସ । ନବରଙ୍ଗପୁର ଜିଲ୍ଲାରେ ପ୍ରାୟ ସବୁ ଅଞ୍ଚଳରେ ଏହି ଘାସ ଦେଖିବାକୁ ମିଳୁଛି । ଚାଷ ଜମିଠାରୁ ଆରମ୍ଭ କରି ଘର ଅଗଣା ଏବଂ ରାସ୍ତା କଡ଼, ଯେଉଁଆଡ଼େ ଦେଖିବ ଏହି ଘାସରେ ଭରପୁର ହୋଇଛି । ଏହି ଘାସ ଜମିର ଉର୍ବରତାକୁ କମାଇଦେବା ସହିତ ଜମିରେ ପଡୁଥିବା ସାରକୁ ସବୁ ଟାଣି ନେଉଛି । ଏହି ଘାସର ଚେରରେ ବିଷାକ୍ତ ପଦାର୍ଥ ରହିଥିବାରୁ ପାର୍ଶ୍ଵରେ ଫସଲ ମାଡ଼ ପାଇଥାଏ । ଚାଷ ଜମିରେ ମାଡ଼ି ଯାଇଥିବାରୁ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ବିଶାକ୍ତ ‘କେରଟ ଗ୍ରାସ’ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମଣିଷ ଏହି ଘାସର ସଂସ୍ପର୍ଷରେ ଆସିଲେ ଚର୍ମରୋଗ ଓ ଅସ୍ତମା ଭଳି ରୋଗ ହେଉଛି । ଏହି କାରଣରୁ ଶ୍ରମିକମାନେ ଜମିରୁ ଏହି ଘାସ ବାଛିବା ପାଇଁ ଅରାଜି ହେଉଛନ୍ତି । ଘାସମରା ରାସାୟନିକ ପଦାର୍ଥ ପ୍ରୟୋଗ କଲେ କାମରେ ଆସୁନାହିଁ । ଏହି ବିଶାକ୍ତ ‘କେରଟ ଗ୍ରାସ’ର ଦମନ ପାଇଁ ପଦକ୍ଷେପ ନେବାକୁ କୃଷି ବିଭାଗ ଓ ସରକାର ପଦକ୍ଷେପ ନେବାକୁ ଦାବି କରିଛନ୍ତି ଚାଷୀ  ।

କେରଟ ଗ୍ରାସରେ ମହୁ ମାଛି ବସେ ନାହିଁ କି ଏହାର ପରାଗ ସଙ୍ଗମ ହୁଏନାହିଁ । ଘାସ ଗଛର ପାଖୁଡ଼ା ପଡ଼ି ନୂଆ ଗଛ ସୃଷ୍ଟି ହୋଇଥାଏ । କେରଟ ଗ୍ରାସର ଚେରରେ ଏକ ପ୍ରକାର ବିଷାକ୍ତ ପଦାର୍ଥ ରହିଥିବାରୁ ଘାସର ଆଖ ପାଖରେ କୌଣସି ଗଛ ଉଠେ ନାହିଁ । କେରଟ ଗ୍ରାସର ମୂଳ ଉତ୍ପତ୍ତି ସ୍ଥଳ ହେଉଛି ଉତ୍ତର ଆମେରିକା । ଉତ୍ତର ଆମେରିକାରୁ ଭାରତକୁ ଗହମ ଆସିବା ସମୟରେ ଗହମ ସହ ମିଶି ଏହି ଘାସର ମଞ୍ଜି ଭାରତକୁ ଚାଲି ଆସିଥିବା କହିଛନ୍ତି ବୈଜ୍ଞାନିକ । ଦେଶର ଅନେକ ସ୍ଥାନ ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କେରଟ ଗ୍ରାସ  ଦେଖିବାକୁ ମିଳୁଛି । ବିଶେଷ କରି ନବରଙ୍ଗପୁର ଜିଲ୍ଲାରେ ବହୁ ମାତ୍ରାରେ ଘାସ ମାଡ଼ିଯାଉଥିବା କହିଛନ୍ତି ବୈଜ୍ଞାନିକ । ଯଦି ସମୟ ଥାଉଁ ଥାଉଁ ଏହାର ପ୍ରତିକାର କରାନଯାଏ ଚାଷୀ ଏବଂ ଚାଷ ପାଇଁ କେରଟ ଗ୍ରାସ୍ ବିପଦର କାରଣ ହେବ ବୋଲି କହିଛନ୍ତି ବୈଜ୍ଞାନିକ l