କୋର୍ଟଙ୍କ କଠୋର ରାୟ, ଅଭିଯୁକ୍ତକୁ ୧୪୨ ବର୍ଷ ଜେଲ୍
ଭୁବନେଶ୍ୱର: ଭାରତ ଇତିହାସରେ ଐତିହାସିକ ରାୟ । ମହଙ୍ଗା ପଡ଼ିଲା ନାବାଳିକାଙ୍କୁ ଯୌନଶୋଷଣ । କେରଳର ଜଣେ ଅଭିଯୁକ୍ତଙ୍କୁ ୧୪୨ ବର୍ଷ ଜେଲଦଣ୍ଡ । ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ । ଏମିତି ଏକ ଅଭିଯୋଗରେ ଐତିହାସିକ ରାୟ ଶୁଣାଇଛନ୍ତି କୋର୍ଟ । ଅଭିଯୁକ୍ତକୁ ଦେଇଛନ୍ତି ୧୪୨ ବର୍ଷର କାରାଦଣ୍ଡ । କେରଳର ଏକ ପକ୍ସୋ କୋର୍ଟ ଏହି ରାୟ ଶୁଣାଇଛନ୍ତି ।
ମିଳିଥିବା ସୂଚନା ମୁତାବକ ଜଣେ ୧୦ ବର୍ଷ ବୟସ୍କା ନାବାଳିକାଙ୍କୁ ଦୀର୍ଘ ଦୁଇ ବର୍ଷ ଧରି ଯୌନ ଶୋଷଣ କରୁଥିଲା ଅଭିଯୁକ୍ତ । ପୋଲିସ ପାଖରେ ଅଭିଯୋଗ ପହଁଚିବା ପରେ ପୋଲିସ ମାମଲା ଋଜୁ କରି ଗିରଫ କରିଥିଲା । ଅଦାତଲରେ ଯେତେବେଳେ ମାମଲା ପହଁଚିଥିଲା, ସେତେବେଳେ ଏଭଳି ରାୟ ପ୍ରକାଶ କରିଥିଲେ କୋର୍ଟ । ଯାହା ଉପସ୍ଥିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
କେରଳର ପଥାନାମଥିତା ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା । 41 ବର୍ଷୀୟ ଜଣେ ଅଭିଯୁକ୍ତ କ୍ରମାଗତ ୧୦ ବର୍ଷୀୟ ନାବାଳିକାଙ୍କୁ ଯୌନ ଶୋଷଣ କରିଆସୁଥିଲା ।ଏନେଇ ପିଡ଼ୀତା ମୁହଁ ଖୋଲିଥିଲେ । ପରେ ଆକ୍ସନ ମୁଡକୁ ଆସିଥିଲା ପୋଲିସ । ନ୍ୟାୟପାଳିକା ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିଥିଲେ । ଅଭିଯୁକ୍ତକୁ କଠୋର ଏବଂ ଅଦ୍ଭୁତପୂର୍ବ ରାୟ ଶୁଣାଇ କୋର୍ଟ ମଧ୍ୟ ଏବେ ଚର୍ଚ୍ଚାରେ ।