ପ୍ରକୃତିର ବିଭୀଷିକାରେ ଛାରଖାର କେରଳ ୱାୟନାଡ, ବଢିବାରେ ଲାଗିଛି ମୃତ୍ଯୁ ସଂଖ୍ଯା

ନନ୍ଦିଘୋଷ ବ୍ୟୁରୋ: କେରଳ ୱାୟନାଡରେ ହାହାକାର। ପ୍ରକୃତିର ତାଣ୍ଡବରେ ବିପନ୍ନ ଲକ୍ଷାଧିକ ଲୋକ। ସବୁଠି ଧ୍ବଂସସ୍ତୂପ। ନିଶ୍ଚିହ୍ନ ହୋଇଯାଇଛି ଅନେକ ଜନବସତି। ଶତାଧିକ ନିଖୋଜଙ୍କ ସନ୍ଧାନରେ ନିୟୋଜିତ ତିନିବାହିନୀ ଓ ଏନଡିଆରଏଫ ଯବାନ। ୱାୟନାଡ଼ର ମେପାଡ଼ି ପାହାଡ଼ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୧୫୬ ଟପିଛି। ଶତାଧିକ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବାରୁ, ଆଗକୁ ମୃତାହତଙ୍କସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

ସେପଟେ କ୍ଷତିଗ୍ରସ୍ତ ଇଲାକା ଆଜି ପରିଦର୍ଶନ କରିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି। ରାଜ୍ଯ ସରକାର ୨ ଦିନିଆ ଶୋକ ଦିବସ ଘୋଷଣା କରିଛନ୍ତି। କେରଳରେ ପୁଣି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୧୧ ଜିଲ୍ଲାରେ ଶିକ୍ଷାପ୍ରତିଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି। ଏମଜି ୟୁନିଭର୍ସିଟିରେ ପରୀକ୍ଷା ବାତିଲ କରାଯାଇଛି। ୱାୟନାଡ ଅନ୍ତର୍ଗତ ମେପାଡିରେ ଲଗାଣ ବର୍ଷା ସହ ଭୂସ୍ଖଳନ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ପ୍ରକାଶ ପାଇଛି। ୱାୟନାଡର ମୁନ୍ଦାକାଇ, ଚୋରଲମାଲା, ଅଟ୍ଟମାଲା ଓ ନୁଲପୁଝା ଗ୍ରାମ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। କିଛି ଲୋକ ଚାଲିୟାର ନଦୀରେ ଭାସି ଯାଇଥିବା ଆଶଙ୍କା କରାଯାଉଥିବାରୁ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଓ ଆହତଙ୍କୁ ୫୦ ହଜାର ଲେଖାଏ ସହାୟତା ଘୋଷଣା କରାଯାଇଛି।

ଅନ୍ୟପଟେ କେରଳ ମୁଖ୍ଯମନ୍ତ୍ରୀ ପିନରୟୀ ବିଜୟନଙ୍କ ସହ ଆଲୋଚନା କରିଛନ୍ତି ରାହୁଲ। ଗତକାଲି ଲୋକସଭାରେ ୱାୟନାଡକୁ ସହାୟତା ଦାବି କରିଥିଲେ ରାହୁଲ।