ନିପା ଭାଇରସ ପାଇଁ ଦୁଇ ଦିନ ସ୍କୁଲ, କଲେଜ ବନ୍ଦ ନିର୍ଦ୍ଦେଶ

ଥିରୁଅନନ୍ତପୁରମ: କେରଳରେ କାୟା ମେଲାଇଲା ନିପା ଭାଇରସ । ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ୫ରେ । କୋଝିକୋଡରେ ଦୁଇ ଦିନ ଲାଗି ସ୍କୁଲ କଲେଜ ବନ୍ଦ ରଖାଯାଇଛି । କୋଝିକୋଡର ଜଣେ ସ୍ବାସ୍ଥ୍ୟ କର୍ମୀ ନିପା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ । ବର୍ତ୍ତମାନ କଣ୍ଟାକ୍ଟ ଲିଷ୍ଟରେ ୭୦୬ ଜଣ ଥିବା ସୂଚନା ମିଳିଛି ।

ସେମାନଙ୍କ ମଧ୍ୟରୁ ୭୭ ଜଣ ହାଇରିସ୍କ କାଟେଗୋରୀରେ ଥିବାବେଳେ ୧୫୩ ଜଣ ସ୍ବାସ୍ଥ୍ୟ କର୍ମୀ ରହିଛନ୍ତି । ବର୍ତ୍ତମାନ ୧୩ ଜଣ ସନ୍ଦିଗ୍ଧ ରୋଗୀଙ୍କୁ ହସ୍ପିଟାଲରେ ରଖାଯାଇଛି । ହାଇରିସ୍କ କାଟେଗୋରୀରେ ଥିବା ବ୍ୟକ୍ତିମାନେ ଘରେ ରହିବା ଲାଗି ସରକାର ପରାମର୍ଶ ଦେଇଛନ୍ତି ।

ସେପଟେ ସରକାର ସ୍ଥିତି ନିୟନ୍ତ୍ରଣ ଲାଗି ସରକାର ୧୯ଟି କୋର୍ କମିଟି ଗଠନ କରିଛନ୍ତି । ରାଜ୍ୟରେ ଯେଉଁମାନଙ୍କ ନିକଟରେ ସଂକ୍ରମଣ ପରିଲକ୍ଷିତ ହେଉଛି ସେମାନଙ୍କୁ ତୁରନ୍ତ ଆଇସୋଲେସନରେ ରଖାଯାଉଛି । କଣ୍ଟେନମେଣ୍ଟ ଜୋନରେ ଛାତ୍ରଛାତ୍ରୀ ସ୍କୁଲକୁ ନଆସି ଅନଲାଇନରେ ପଢିବା ଲାଗି ଶିକ୍ଷାମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ନିପା ଭାଇରସ ସାଧାରଣତଃ ବାଦୁଡି ଓ ଘୁଷୁରିଙ୍କ ଠାରୁ ମଣିଷଙ୍କ ନିକଟକୁ ଯାଇଥାଏ । ଏହା ସହ ସଂକ୍ରମିତ ଖାଦ୍ୟ ବା ପାରସ୍ପରିକ ସମ୍ପର୍କ ଜରିଆରେ ପ୍ରସାରିତ ହୋଇଥାଏ ।  ନିପା ସଂକ୍ରମିତ ବ୍ଯକ୍ତି ଜ୍ବର, ଢୁଳାଇବା, ମୁଣ୍ଡବ୍ୟଥା, ମାଂସପେଶୀ ଯନ୍ତ୍ରଣା, ବାନ୍ତି ଆଦିରେ ପୀଡିତ ହୋଇଥାନ୍ତି ।