ଉବୁଟୁବୁ କେରଳ: ଭାସୁଛି କାର୍, ଭାଙ୍ଗୁଛି ଘର

1 min read

ଥିରୁଅନନ୍ତପୁରମ୍: ଭଗବାନଙ୍କ ଦେଶ କୁହାଯାଉଥିଲା କେରଳରେ ପ୍ରକୃତିର ତାଣ୍ଡବ । ଭୟଙ୍କର ବର୍ଷା ଓ ବନ୍ୟାରେ ଉବୁଟୁବୁ କେରଳ । ଭାସୁଛି କାର, ତାସ୍ ଘର ପରି ଭାଙ୍ଗି ବନ୍ୟା ପାଣିରେ ବୋହି ଯାଇଛି ବିରାଟ ବିରାଟ ଅଟ୍ଟାଳିକା ।

ରାସ୍ତାରେ ପାଣି ଢେଉ ଭାଙ୍ଗୁଥିବା ବେଳେ ପ୍ରାୟ ସବୁ ନଦୀରେ ପ୍ରଭାବିତ ହେଉଛି ବନ୍ୟାପାଣି । ଏତିକି ନୁହେଁ, ଭୟଙ୍କର ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୨୬ ଜଣଙ୍କ ଜୀବନ ଯାଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି ।

ବିଶେଷ କରି ତିରୁବଲ୍ଲୀରେ ସ୍ଥିତି ସଙ୍ଗୀନ ରହିଛି । ଏଠାରେ ଏବେ ବି ବର୍ଷା ଓ ବନ୍ୟା ପାଣିରେ ଘରଗୁଡିକ ବୁଡ଼ି ରହିଛି । ଜୀବନ ବିକଳରେ ଲୋକେ ସୁରକ୍ଷିତ ସ୍ଥାନକୁ ପଳାଉଛନ୍ତି । ପାମ୍ବା ନଦୀର ଜଳସ୍ତର ବଢୁଥିବାରୁ ଆଖପାଖ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

୫ଟି ଜିଲ୍ଲାରେ ସ୍ଥିତି ସାଂଘାତିକ ଥିବା ବେଳେ ୭ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ରହି ରହି ବର୍ଷା ହେଉଛି । ପଟନମଥିଟ୍ଟାର ତଳି ଅଞ୍ଚଳରେ ଆଜି ବନ୍ୟା ଆସିବାର ଆଶଙ୍କା ରହିଛି । ପୂର୍ବ ପ୍ରସ୍ତୁତି ଅନୁସାରେ ସେଠାରେ NDRF ଟିମକୁ ନିୟୋଜିତ କରାଯାଇଛି ।

ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ୧୦୫ଟି ରିଲିଫ କ୍ୟାମ୍ପ ଖୋଲାଯାଇଥିବା ବେଳେ ବାୟୁସେନା ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଭୂସ୍ଖଳନ ହୋଇଥିବା ଅଞ୍ଚଳରେ ଲୋକଙ୍କୁ ଖାଦ୍ୟ ଯୋଗାଯାଉଛି । ଏନଡିଆରଏଫ ଟିମ୍ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସହାୟତା ଜାରି ରଖିଛନ୍ତି । ରାସ୍ତା ଉପରେ ପଡିଥିବା ଗଛ ସଫା କରାଯାଉଛି । ସେନା ହେଲିକପ୍ଟରରେ ଆକାଶମାର୍ଗରୁ ସ୍ଥିତି ଉପରେ ନଜର ରଖାଯାଇଛି । ସାବରୀମାଳା ମନ୍ଦିରକୁ ଦର୍ଶନ ପାଇଁ ନଯିବାକୁ ପର୍ଯ୍ୟଟକଙ୍କୁ ମନା କରାଯାଇଛି ।

Leave a Reply