ନିପା ଭାଇରସରେ ବ୍ୟାପିବା ପରେ କେରଳରେ ଆଲର୍ଟ

ନନ୍ଦିଘୋଷ ବ୍ୟୁରୋ: କେରଳରେ ନିପା ଭାଇରସରେ ବ୍ୟାପିବା ପରେ ଆଲର୍ଟ । କୋଝିକୋଡର ୭ଟି ସ୍ଥାନରେ ଜାରି ହୋଇଛି କଟକଣା । ଏହି ସବୁ ଅଞ୍ଚଳକୁ କଣ୍ଟାମିନେସନ ଜୋନ ଘୋଷଣା କରାଯାଇଛି । ପ୍ରଶାସନ ପକ୍ଷରୁ ନିରାକରଣ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କୋଝିକୋଡ ଜିଲ୍ଲାରେ କିଲର ଭାଇରସ ଦୁଇ ଜଣଙ୍କ ଜୀବନ ନେଇଥିବାବେଲେ ସଂକ୍ରମିତ ହୋଇଛନ୍ତି ୨ ଜଣ । ଏନେଇ ସୂଚନା ଦେଇଛନ୍ତି କେରଳ ସରକାର । ନିପା ଭାଇରସ ବ୍ଯାପୁଥିବା ସୂଚନା ମିଳିବା ପରେ କେରଳର ସମସ୍ତ ଜିଲ୍ଲାରେ ହେଲଥ ଆଲର୍ଟ ଜାରି ହୋଇଛି ।

ଏକ ଘରୋଇ ହସ୍ପିଟାଲରେ ୨ ଜଣଙ୍କ ମୃତ୍ଯୁ ହେବା ପରେ ସମସ୍ତ ହସ୍ପିଟାଲରେ ସତର୍କତା ବ୍ଯବସ୍ଥା ଜାରି ହୋଇଛି । ଭାଇରସର ମୁକାବିଲା ଲାଗି କେରଳକୁ ଏକ କେନ୍ଦ୍ରୀୟ ଟିମ ପଠାଯାଇଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ଯମନ୍ତ୍ରୀ ମନସୁଖ ମାଣ୍ଡବୀୟ । ନିପା ଭାଇରସଜନିତ ମୃତ୍ୟୁ ନେଇ ବି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ପିନରୟି ବିଜୟନ । କୋଝିକୋଡରେ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବାବେଳେ ମାସ୍କ ପିନ୍ଧିବା ଲାଗି ପରାମର୍ଶ ଦିଆଯାଇଛି । ୨୦୧୮ରେ କେରଳର କୋଝିକୋଡ ଓ ମାଲାପୁରମ ଜିଲ୍ଲାରେ ବି ନିପା ଭାଇରସ ଆତଙ୍କ ଖେଳାଇଥିଲା ।

ପରେ ୨୦୨୧ରେ ବି କୋଝିକୋଡରେ ନିପା ଭାଇରସ ସଂକ୍ରମଣ ପରିଲକ୍ଷିତ ହୋଇଥିଲା । ବାଦୁଡି ଜରିଆରେ ନିପା ଭାଇରସର ପ୍ରସାର ହେଉଥିବାବେଳେ ଏହା ଉଭୟ ମଣିଷ ଓ ଜୀବଜନ୍ତୁଙ୍କ ଲାଗି ବିପଦ ସାଜିଥାଏ । ନିପା ସଂକ୍ରମିତ ବ୍ଯକ୍ତି ଜ୍ବର, ଢୁଳାଇବା, ମୁଣ୍ଡବ୍ୟଥା, ମାଂସପେଶୀ ଯନ୍ତ୍ରଣା, ବାନ୍ତି ଆଦିରେ ପୀଡିତ ହୋଇଥାନ୍ତି ।