କେନିଆରେ ଅଦ୍ଭୁତ ଧର୍ମୀୟ ବିଶ୍ୱାସ, ଉପବାସରେ ରହି ପ୍ରାଣ ହରାଇଲେ ଯୀଶୁଙ୍କ ସହ ମିଳନ…

କେନିଆ: କେନିଆରେ ଅଦ୍ଭୁତ ଧର୍ମୀୟ ବିଶ୍ବାସ । ଭୋକରେ ରହି ଜୀବନ ହାରିବାର ଭୟଙ୍କର ମାନସିକତା । ଉପବାସରେ ରହି ପ୍ରାଣ ହରାଇଲେ ପ୍ରଭୁ ଯୀଶୁଙ୍କ ସହ ମିଳନ ହେବା ନେଇ ବିଚିତ୍ର ଆହ୍ବାନ। ପୂର୍ବ କେନିଆର ମାଳିନ୍ଦୀ ଅନ୍ତର୍ଗତ ଏକ ସହରରେ ଘଟିଥିବା ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଅନାହାରରେ ରହି ପ୍ରାଣ ହରାଇଥିବା ଆଉ ୨୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ୪୭ଟି ମୃତଦେହକୁ କବରରୁ ବାହାର କରାଯାଇଛି । ଅଧିକ ମୃତଦେହ ପୋତା ଯାଇଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି । ସହରର ବିଭିନ୍ନ ସ୍ଥାନରେ ଆହୁରି କିଛି ଲୋକ କ୍ଷୁଧାରେ ରହି ପ୍ରାଣତ୍ୟାଗ କରିବା ଲାଗି ଅପେକ୍ଷା କରିଥିବା ଆଶଙ୍କା ଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି।
ମାଳିନ୍ଦୀ ଅନ୍ତର୍ଗତ ସାକାହୋଲାରେ ପ୍ରାୟ ୮୦୦ ଏକର ପରିମିତ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି। ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିବେ ଗୃହମନ୍ତ୍ରୀ କିଥୁରେ କିନ୍ଦିକୀ । କ୍ଷୁଧାରେ ରହି ପ୍ରାଣତ୍ୟାଗ କରିବା ଲାଗି ଗୁଡ୍ ନ୍ୟୁଜ୍ ଇଣ୍ଟରନ୍ୟାସନାଲ ଚର୍ଚ୍ଚ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ଜଣାଯାଇଛି । ଏହି ଘଟଣାରେ ଚର୍ଚ୍ଚର ମୁଖ୍ୟ ମାକେନଜି ନିଥେଙ୍ଗେଙ୍କୁ ପୋଲିସ ଗିରଫ କରିଛି । ଯୀଶୁଙ୍କ ସହ ମିଳନ ହେବାକୁ ହେଲେ କ୍ଷୁଧାରେ ପ୍ରାଣତ୍ୟାଗ କରିବାକୁ ପଡିବ ବୋଲି ଧର୍ମାବଲମ୍ବୀଙ୍କୁ ମାକେନଜି ଆହ୍ବାନ ଦେବା ପରେ ଶହ ଶହ ଅନୁଗତ ଏହି ପ୍ରକ୍ରିୟା ଅବଲମ୍ବନ କରୁଥିବା କୁହାଯାଇଛି।
କିଛିଦିନ ତଳେ, ଏପରିକି ପିତାମାତାଙ୍କ ଜାଣତରେ ଦୁଇ ଜଣ ଶିଶୁଙ୍କୁ କ୍ଷୁଧାରେ ମରିବାକୁ ଦିଆଯାଇଥିବା ପ୍ରମାଣ ମିଳିଛି । ବର୍ତ୍ତମାନ ସୁଦ୍ଧା ପୋଲିସ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି । ଜାଣି ଜାଣି କ୍ଷୁଧାରେ ସଢୁଥିବା କିଛି ଲୋକଙ୍କ ସନ୍ଧାନ କରାଯାଇଛି । ଶତଚେଷ୍ଟା କରାଯାଇ ସେମାନଙ୍କୁ ଖୁଆଇବା ଲାଗି ଉଦ୍ୟମ କରାଯାଉଥିବା ସତ୍ତ୍ବେ ସେମାନେ ଖାଉ ନଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଲାଗି ସେନାର ସହାୟତା ମଗାଯାଇଛି।
ଏସମ୍ପର୍କରେ ଗୃହମନ୍ତ୍ରୀ କହିଛନ୍ତି, ୮୦୦ ଏକର ପରିମିତ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ନିରାପତ୍ତା ଅଧିକାରୀଙ୍କୁ ମୁତୟନ କରାଯାଇଛି । ସେହି ଅଞ୍ଚଳକୁ ସିନ୍ ଅଫ କ୍ରାଇମ ଭାବେ ଘୋଷଣା କରାଯାଇଛି। ଏହି ବିଶ୍ବାସ ମାନବାଧିକାର ପ୍ରତି ଏକ ବୃହତ ଚାଲେଞ୍ଜ ବୋଲି କହିଛନ୍ତି କେନିଆ ଗୃହମନ୍ତ୍ରୀ। ଦେଶର ସମସ୍ତ ଚର୍ଚ୍ଚ, ମସଜିଦ, ମନ୍ଦିର ଲାଗି କଡା କଟକଣା ଜାରି କରାଯାଇଥିବା ସେ ସୂଚନା ଦେଇଛନ୍ତି।