୨୦୧୫ ଲହଣ୍ଡା ଗଣହତ୍ୟା ମାମଲାର ରାୟ ପ୍ରକାଶ, ୬ ଜଣଙ୍କୁ ଆଜୀବନ କାରାଦଣ୍ଡ

1 min read

କେନ୍ଦୁଝର : ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ଗାଁରେ ୨୦୧୫ ଜୁଲାଇରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସମସ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଏ ଘଟଣାରେ ୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।
୨୦୧୫ ଜୁଲାଇ ୧୨ ରାତିରେ ଗୁରା ମୁଣ୍ଡା ଓ ତାଙ୍କ ପରିବାର ଘରେ ଶୋଇଥିବା ବେଳେ ୧୦ ଜଣ ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ । ଜଣଙ୍କ ପରେ ଜଣେ ୮ ଜଣଙ୍କୁ ଟାଙ୍ଗିଆ ଓ ଧାରୁଆ ଅସ୍ତ୍ରରେ କାଟିଥିଲେ । ଆକ୍ରମଣରେ ଗୁରା ମୁଣ୍ଡା, ତାଙ୍କ ସ୍ତ୍ରୀ ବୁଧୁନୀ ମୁଣ୍ଡା, ଦୁଇ ଝିଅ ସୋମବାରୀ ଓ ନମିତାଙ୍କ ସହ ଦୁଇ ପୁଅ ସୁନୀଲ ଓ କୁଶ ମୁଣ୍ଡାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ପୁଅ ଗଣିତ ଓ ଶମ୍ବୁ ମୁଣ୍ଡା ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିଲେ । ଏହି ଘଟଣାରେ ପୋଲିସ ତଦନ୍ତ କରି ୧୦ ଜଣଙ୍କୁ ଗିରଫ କରିଥିଲା । ସେଥିରେ ଜଣେ ନାବାଳକ ମଧ୍ୟ ଥିଲା । ୯ ଜଣଙ୍କ ନାଁରେ ଦାଖଲ ହୋଇଥିଲା ଚାର୍ଜସିଟ୍ । ହେଲେ ଏହି ଘଟଣାର ଶୁଣାଣି କରି ଚମ୍ପୁଆ ଏଡିଜେ ୯ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ବେଳେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ କରିଛନ୍ତି । ଏଥି ସହ ଅନ୍ୟ ଜଣେ ମହିଳା ଅଭିଯୁକ୍ତ ପାଣ୍ଡିରା ମୁଣ୍ଡାଙ୍କୁ ଗୁଣି ଗାରେଡି ଆରୋପରେ ୩ ବର୍ଷ ସଜା ସହ ୫ ହଜାର ଟଙ୍କାର ଜୋରିମାନା ସଜା ଶୁଣାଇଛନ୍ତି । ଦଣ଼୍ଡାଦେଶ ପାଇଥିବା ଛଅ ଜଣ ହେଲେ ମାନା ମୁଣ୍ଡା, ବାବୁଲ ମୁଣ୍ଡା, ଉମା ମୁଣ୍ଡା, ବାବୁଲାଲ ମୁଣ୍ଡା, ରତନା ମୁଣ୍ଡା ଓ ଇଶ୍ଵର ମୁଣ୍ଡା । ')}

Leave a Reply