ଦେବୀ ସୁଭଦ୍ରାଙ୍କର ବିଗ୍ରହ ହଳଦୀ ବର୍ଣ୍ଣ ବଦଳରେ ହୋଇଛି ଲାଲ୍ ବର୍ଣ୍ଣ

ନନ୍ଦିଘୋଷ ବ୍ୟୁରୋ: ଓଡିଶାର ଦ୍ବିତୀୟ ବୃହତ୍ତମ ବିଷ୍ଣୁ ମନ୍ଦିର ଭାବେ ପରିଚିତ କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ପୀଠ । ଏଠି ୪ ଶହ ବର୍ଷର ପୁରୁଣା ବିଗ୍ରହ ପୂଜା ପାଉଛନ୍ତି । ଏଠାକାର ଭୋଗରାଗ ଓ ପ୍ରଭୁ ବଳଦେବଜୀଉଙ୍କର ଘୋଷଯାତ୍ରାର ରହିଛି ସ୍ଵତନ୍ତ୍ରତା । ତନ୍ତ୍ର ପ୍ରଭାବରେ ଦେବୀ ସୁଭଦ୍ରାଙ୍କର ବିଗ୍ରହ ହଳଦୀ ବର୍ଣ୍ଣ ବଦଳରେ ହୋଇଛି ଲାଲ୍ ବର୍ଣ୍ଣ । ଯାହା ଅନ୍ୟତ୍ର ବିରଳ । ଶ୍ରୀବଳଦେବଜୀଉଙ୍କର ନନ୍ଦିଘୋଷ ରଥ, ବିଶ୍ବର ଉଚ୍ଚତମ ଏକକ ରଥ । ଯାହାର ଉଚ୍ଚତା ହେଉଛି ୭୨ ଫୁଟ । ଏହି ରଥକୁ ଭୂୟାଁମାନଙ୍କ ଦ୍ବାରା ପ୍ରସ୍ତୁତ ସିଆଳିଲତା ଦଉଡି ଦ୍ବାର ଟଣା ଯାଇଥାଏ ।

ଜଗନ୍ନାଥ ସେ ଲୀଳାମୟ, ଅନନ୍ତ, କୋଟିବଳିଆର ଭୁଜ। ସାଢେ ଚାରି କୋଟି ଓଡିଆଙ୍କ ମଉଡମଣି । ସେହି ହଟିଆ ଠାକୁର ବର୍ଷକୁ ଥରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି ଭକ୍ତଙ୍କୁ ଅତି ନିକଟରେ ଦର୍ଶନ ଦେବା ପାଇଁ । ରଥଯାତ୍ରା ନାଁରେ ପରିଚିତ ଏହି ନିଆରା ପରମ୍ପରା ଏବେ ପାଖେଇ ଆସୁଛି । ପୁରୀରେ ଜୋରଦାର ପ୍ରସ୍ତୁତି ଚାଲିଥବା ବେଳେ ଏଥିରୁ ବାଦ ପଡିନି କେନ୍ଦୁଝରର ଆରାଧ୍ଯ ଦେବତା ଶ୍ରୀବଳଦେବଜୀଉଙ୍କ ପୀଠ । ରଥଯାତ୍ରା ପାଳିବା ପାଇଁ ଏବେ ପୀଠ ବେଶ ଚଳଚଞ୍ଚଳ । ମନ୍ଦିରର ବେଢା ସ୍ବର୍ଗୀୟ ଆନନ୍ଦରେ ଭରା । ମନ୍ଦିରରେ ବିରାଜମାନ ପ୍ରଭୁ ଶ୍ରୀବଳଦେବଜୀଉ, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀଜଗନ୍ନାଥ । ଜନଶ୍ରୁତି ଅନୁସାରେ ବଞ୍ଚୋ ବୈତରଣୀ ନଦୀବାଲିରୁ ଠାକୁରଙ୍କ ବିଗ୍ରହକୁ ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଦେଓ କେନ୍ଦୁଝର ଆଣିଥିଲେ । ପ୍ରଭୁଙ୍କ ବିଗ୍ରହକୁ ପାଇ ସେ କେନ୍ଦୁଝରରେ ମନ୍ଦିର ନିର୍ମାଣ କାମ ଆରମ୍ଭ କରିଥିଲେ । ୧୬୭୧ ମସିହାରେ ଶେଷ ହୋଇଥିଲା ମନ୍ଦିର ନିର୍ମାଣ କାର୍ଯ୍ଯ । ତେବେ ୧୯୭୧ ମସିହାରୁ କେନ୍ଦୁଝର ରାଜାଙ୍କ ପୃଷ୍ଠପୋଷକତାରେ ନିୟମିତ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି ।

ଶ୍ରୀବଳଦେବଜୀଉଙ୍କ ମନ୍ଦିରର ବିଶେଷତ୍ବ ହେଲା, ଏହା ରାଜ୍ୟର ଦ୍ବିତୀୟ ବୃହତ୍ତମ ବିଷ୍ଣୁ ମନ୍ଦିର । ଏଠାକାର ରଥଯାତ୍ରାକୁ ବଡଯାତ୍ରା ଭାବେ ନାମିତ କରାଯାଇଥାଏ । ମନ୍ଦିରରେ ଶ୍ରୀଜୀଉମାନଙ୍କର ବିଗ୍ରହ ୪ଶହ ବର୍ଷର ପୁରୁଣା । କୁହାଯାଏ, ଏଠାରେ ତନ୍ତ୍ର ପ୍ରଭାବରେ ମା ସୁଭଦ୍ରାଙ୍କର ବର୍ଣ୍ଣ ହଳଦୀ ବର୍ଣ୍ଣ ବଦଳରେ ରହିଛି ହିଙ୍ଗୁଳା(ଲାଲ୍)ବର୍ଣ୍ଣ । ଯାହା ଅନ୍ୟତ୍ର ଦେଖାଯାଏ ନାହିଁ । ଅଷ୍ଟାଦଶ ଶତାବ୍ଦୀର ରାଜା ଜନାର୍ଦ୍ଦନ ଭଞ୍ଜଦେଓ ଶ୍ରୀବଳଦେବଜୀଉଙ୍କର ପ୍ରମୁଖ ଭକ୍ତ ଥିଲେ । ତାଙ୍କର ଭଗବାନଙ୍କ ପ୍ରତି ଥିବା ପ୍ରଗାଢ ଭକ୍ତିର ନିଦର୍ଶନସ୍ବରୂପ ସେ ଏହି ମନ୍ଦିରର ସେବାପୂଜା ତଥା ଭୋଗରାଗରେ ଉନ୍ନତି ଆଣିଥିଲେ । ଦିନରେ ଠାକୁରଙ୍କ ପାଇଁ ଦଳା ଖେଚେଡି, ଭଜା ଖେଚେଡି, ନଦା ଖେଚେଡି ଓ ଅନ୍ନଭୋଗ ଖଞ୍ଜା ହୋଇଥିଲା । ରାତ୍ର ସମୟରେ କର୍ପୁରକେଳି ଓ ୩ଟି ପାର୍ଶ୍ବଭୋଗ ଖଞ୍ଜା ହୋଇଥିଲା । କର୍ପୁରକେଳି ସହ ୩ଟି ପାର୍ଶ୍ବଭୋଗ, ଯଥା ଝିଲ୍ଲୀ, ମନୋହର ଓ ସରଭୋଗର ସମାହାରରେ ସମ୍ପୁର୍ଣ୍ଣ ହୁଏ ତାଟଭୋଗ । ତାଟଭୋଗର ସ୍ବତନ୍ତ୍ର ସ୍ବାଦ ପାଇଁ ଭକ୍ତଙ୍କ ମହଲରେ ପ୍ରସିଦ୍ଧି ରହିଛି ।

ଶ୍ରୀବଳଦେବଜୀଉଙ୍କ ରଥର ନାମ ହେଉଛି ନନ୍ଦିଘୋଷ । ୧୬ ଚକ ବିଶିଷ୍ଟ ଏହି ରଥର ଗୋଲେଇ ୪୫ଫୁଟ ଓ ଉଚ୍ଚତା ୭୨ଫୁଟ୍। ଏହି ରଥ ବିଶ୍ବର ଉଚ୍ଚତମ ଏକକ ରଥ ବୋଲି ବିଶ୍ବାସ ରହିଛି । ଏହି ରଥରେ ଓଜନିଆ ଶାଳ, ଧଉରା, ଶିମିଳି, ଗମ୍ଭାରୀ ଆଦି କାଠ ବ୍ୟବହୃତ ହୋଇଥାଏ । ଯାହା ତେଲକୋଇରେ ଥିବା ଠାକୁରଙ୍କ ଜଙ୍ଗଲରୁ ଆସିଥାଏ । ରଥଯାତ୍ରାରେ ଭୂୟାଁମାନଙ୍କର ସ୍ଵତନ୍ତ୍ର ସେବା ରହିଛି । ଭୂୟାଁ ଓ ଜୁଆଙ୍ଗମାନଙ୍ଗ ଦ୍ବାର ପ୍ରସ୍ତୁତ ଶିଆଳିଲତା ଦଉଡି ଦ୍ବାରା ନନ୍ଦିଘୋଷ ରଥ ଟଣାଯାଏ । ଏଠାରେ ପୁରୀ ଜଗନ୍ନାଥଙ୍କ ମନ୍ଦିର ପରି ଠାକୁରଙ୍କର ସମସ୍ତ ରୀତିନୀତି ପାଳନ କରାଯାଏ । ବର୍ତ୍ତମାନ ପ୍ରଭୁ ଶ୍ରୀବଳଦେବଜୀଉଙ୍କର ଘୋଷଯାତ୍ରା ଦେବୋତ୍ତର ବିଭାଗ ତଥା ବିଭିନ୍ନ ଅନୁଷ୍ଠାନ ଦ୍ବାରା ସୁପରିଚାଳିତ ହେଉଛି  ।