ମୋହନ ସରକାର ଦେଇ ପାରୁନାହାନ୍ତି, ଯାହା ମିଳୁଥିଲା ଛଡ଼ାଇ ନେଉଛନ୍ତି

ନନ୍ଦିଘୋଷ ବ୍ୟୁରୋ: ଖାଲି କଥାରେ ଲୋକଙ୍କ ସରକାର । କାମରେ ଜିରୋ । ଆଦିବାସୀ ମୁଖ୍ୟମନ୍ତ୍ରୀ ସତ୍ତ୍ବେ ରାଜ୍ୟ ସାରା ଉପେକ୍ଷିତ ହେଉଛନ୍ତି ଆଦିବାସୀ । ଜଙ୍ଗଲ ଜମି ଅଧିକାର ପ୍ରହସନ ପାଲଟିଛି । କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କୁ ହତାଦର କରିଛନ୍ତି ବିଜେପି ସରକାର । ପଶ୍ଚିମ ଓଡ଼ିଶାରେ ଲୋକଙ୍କ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରିବା ଦିନ ହିଁ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ବଢାଇ ଦେଲେ । ଏମାନଙ୍କ ଜିଏସଟି ବେଡ଼ି ଉପରେ ସହାୟତା ବନ୍ଦ କୋରଡ଼ା ମାଡ଼ ଭଳି ହୋଇଛି । ମୋହନ ସରକାର ଏମାନଙ୍କୁ ଅଧିକ କିଛି ଦେବା ବଦଳରେ ନବୀନ ସରକାର ଅମଳର ସହାୟତା କାଟି ଦେବାକୁ ନେଇ ସଙ୍ଘ ଉଠାଇଲା ପ୍ରଶ୍ନ ।

୧୬ ଘଣ୍ଟାର ପରିଶ୍ରମ । ପାରିଶ୍ରମିକ ନାମକୁ ମାତ୍ର । ନବୀନ ସରକାରରେ ମିଳୁଥିବା ସହାୟତାକୁ ବି ଛଡ଼ାଇ ନେଲେ ମୋହନ ସରକାର । ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳି ଏବେ କଷ୍ଟରେ । କେନ୍ଦୁପତ୍ର ତୋଳାଳିଙ୍କ ସହ ସିଜନାଲ ଓ୍ବାର୍କର ଓ ବନ୍ଧେଇ ଶ୍ରମିକଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ କରୁଛନ୍ତି ରାଜ୍ୟ ସରକାର । ୨୦୧୮ରେ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲଗାଇ ଦେଲେ କେନ୍ଦ୍ର ସରକାର । ଏହାକୁ ପ୍ରବଳ ବିରୋଧ ହେଲା । ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଚିଠି ଲେଖି ଏହାକୁ ପ୍ରତ୍ୟାହାର ପାଇଁ ଅନୁରୋଧ କଲେ । ହେଲେ କିଛି ଫଳ ନ ମିଳିବାରୁ ୨୦୧୯ରେ ନବୀନ ସରକାର ରାଜ୍ୟର ଭାଗ ୯ ପ୍ରତିଶତ ଜିଏସଟି ପରିମାଣ ସହାୟତା ଆକାରରେ ଶ୍ରମିକମାନଙ୍କୁ ଦେଲେ । କେନ୍ଦୁପତ୍ର ବିକ୍ରିରୁ ଯାହା ଲାଭ ବାହରିବ, ତାହା ଶ୍ରମିକଙ୍କ କଲ୍ୟାଣ ପାଇଁ ଦେବାକୁ ନିଷ୍ପତ୍ତି ନେଇ କାର୍ଯ୍ୟକାରୀ କଲେ । ଛୁଆଙ୍କ ପାଠପଢା, ଝିଅ ବାହାଘର ପାଇଁ ୫୦ ହଜାର ଟଙ୍କାର ବ୍ୟବସ୍ଥା କଲେ । ହେଲେ ମୋହନ ସରକାର ଜିଏସଟି ଛାଡ଼ ପାଇଁ ବ୍ୟବସ୍ଥା ତ କଲେ ନାହିଁ ବରଂ ମିଳୁଥିବା ସହାୟତା ବନ୍ଦ କରିବାକୁ ନିଷ୍ପତ୍ତି ନେଲେ । ଯାହାକୁ କେନ୍ଦୁପତ୍ର ତୋଳାଳି ସଂଘ ସମାଲୋଚନା କରିଛି ।

ପଶ୍ଚିମ ଓଡ଼ିଶାରେ ଦୋଫସଲୀ ଚାଷ ହେଉ ନଥିବାରୁ ଗ୍ରାମାଞ୍ଚଳର ସାହାରା ହେଉଛି କେନ୍ଦୁପତ୍ର ସଂଗ୍ରହ । ଭୋର ୪ଟାରୁ ୧୨ଟା ଯାଏଁ ୧୦ କିଲୋମିଟର ଯାଏଁ ଜଙ୍ଗଲ ଭିତରକୁ ଯାଇ କେନ୍ଦୁପତ୍ର ସଂଗ୍ରହ କରିବା ସହିତ ଦ୍ବିପହରରେ ଏହାକୁ ଶୁଖାଇବା, ବାନ୍ଧିବା ଓ ବିକ୍ରି କରିବା କାମରେ ରାତି ୧୦ ଯାଏଁ ଖଟିବାକୁ ପଡ଼େ । କେନ୍ଦୁପତ୍ରରେ ଜିଏସଟି ସହ ତୋଳାଳିଙ୍କ ସହ କିଛି ସମ୍ପର୍କ ନାହିଁ ବୋଲି ଜଙ୍ଗଲ ମନ୍ତ୍ରୀ କହିବା ଯୁକ୍ତିଯୁକ୍ତି ନୁହେଁ । କାରଣ ଜିଏସଟି ଲାଗିଥିବାରୁ ବିକ୍ରି କମିଛି । ବିକ୍ରି କମିଲେ ଲାଭାଂଶ ବି କମୁଛି । ଲାଭାଂଶର ଭାଗରୁ ନିଜର ଭବିଷ୍ୟତ ଖୋଜୁଥିବା ୧୫ ଲକ୍ଷ ତୋଳାଳି, ୧୮ ହଜାର ସିଜନାଲ ଶ୍ରମିକ ଓ ୨୦ ହଜାର ବନ୍ଧେଇ ଶ୍ରମିକ ଏବେ ହତାଶ । କ୍ଷତିଭରଣା କରିବାକୁ ନବୀନ ସରକାର ଲାଭାଂଶରୁ ସହାୟତା ବ୍ୟବସ୍ଥାକୁ ମୋହନ ସରକାର ବନ୍ଦ କରିଦେବା ଏମାନଙ୍କ ପାଇଁ କାଳ ହୋଇଛି । ବୋନସ ବଢାଇବା ବୋଲି ଜଙ୍ଗଲ ମନ୍ତ୍ରୀ କହୁଥିବା ବେଳେ ସହାୟତା କାହିଁକି ବନ୍ଦ ହେଲା, ତା’ର କିଛି ଉତ୍ତର ଦେଉ ନାହାନ୍ତି ।

ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ଜୀବନ ଜୀବିକାର ବାଟ ହେଉଛି କେନ୍ଦୁପତ୍ର । ଏଥିରେ ଜିଏସଟି ପ୍ରହାର ସଦୃଶ ହୋଇଥିବା ବେଳେ ଲାଭାଂଶର ସହାୟତା ବନ୍ଦ କରିବା ପାଇଁ ମୋହନ ସରକାରଙ୍କ ନିଷ୍ପତ୍ତି ଏମାନଙ୍କୁ ମହରଗରୁ କାନ୍ତାରରେ ପକାଇଛି ।