ବାତ୍ୟା ସମୀକ୍ଷା ବୈଠକକୁ କେନ୍ଦ୍ରାପଡ଼ା ବିଧାୟକଙ୍କୁ ଡାକିଲେ ନାହିଁ
କେନ୍ଦ୍ରାପଡ଼ା: ବାତ୍ୟା ସମୀକ୍ଷା ବୈଠକକୁ ଦଳୀୟ ବୈଠକରେ ପରିଣତ କରିଛି ବିଜେପି । ବାତ୍ୟା ପରବର୍ତ୍ତୀ ସମୀକ୍ଷା ବୈଠକକୁ ସ୍ଥାନୀୟ ବିଧାୟକଙ୍କୁ ଡକାଯାଉନି । କେନ୍ଦ୍ରାପଡ଼ାରେ ଉପମୁଖମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକ କରିଥିବା ବେଳେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେରାଙ୍କୁ ଡାକିନାହିଁ ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ ।
ଗଣେଶ୍ବର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ଏପରି କାର୍ଯ୍ୟକୁ ଦୃଢ଼ ସମାଲୋଚନା କରିବା ସହ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଦଳୀୟ ବିଚାରରୁ ଊର୍ଦ୍ଧ୍ବରେ ରୁହନ୍ତୁ । ବାତ୍ୟା ପାଇଁ କେନ୍ଦ୍ରାପଡ଼ା ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଗତ ୨୩ ତାରିଖରେ ଜିଲ୍ଲାପାଳଙ୍କ କନଫରେନ୍ସ ହଲରେ ବୈଠକ ଡାକିଥିଲେ । ବୈଠକର କିଛି ସମୟ ପୂର୍ବରୁ ଫିଲ୍ଡ ପରିଦର୍ଶନ ପାଇଁ ବୈଠକକୁ ବାତିଲ୍ କରାଯାଇଥିଲା । ଗତକାଲି ଉପମୁଖମନ୍ତ୍ରୀ ପୁଣି ଥରେ ବାତ୍ୟା ସମୀକ୍ଷା ବୈଠକ ଡାକିଥିଲେ । ଯେଉଁଥିରେ ସରକାରଙ୍କ ତରଫରୁ କେନ୍ଦ୍ରାପଡ଼ା ଦାୟିତ୍ୱରେ ଥିବା ଆଇପିଏଓ ସମର୍ଥ ବର୍ମା, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, କେନ୍ଦ୍ରାପଡ଼ା ଏସପି ଏବଂ ଜିଲ୍ଲାସ୍ତରୀୟ ଅଫିସର ସାମିଲ୍ ହୋଇଥିଲେ । ଜିଲ୍ଲା ସ୍ତରୀୟ ଅଫିସରଙ୍କ ସହିତ ବିଜେପି ଦଳର କର୍ମକର୍ତ୍ତା ଓ ମହାକାଳପଡ଼ାର ଜଣେ ବିଜେପି ବିଧାୟକ ମଧ୍ୟ ରହିଥିଲେ । ହେଲେ ମୋତେ ବୈଠକକୁ ଡକାଗଲାନାହିଁ ।
ଆଗକୁ ସେ କହିଛନ୍ତି, ବାତ୍ୟା କେବଳ ବିଜେପି ଦଳର ନୁହଁ । କୌଣସି ବି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମସ୍ତଙ୍କୁ ସାମିଲ୍ କରିଯିବା ଉଚିତ୍ । ଏକତରଫା ଭାବେ ଦଳୀୟ ନେତାଙ୍କୁ ନେଇ ବୈଠକରେ ସରକାରୀ ରିଭ୍ୟୁ କରିବା ଗ୍ରହଣୀୟ ନୁହେଁ । ସରକାର ପକ୍ଷପାତିତାଠାରୁ ଦୂରରେ ରୁହନ୍ତୁ । ଯଦି ସରକାର ଏହାର ସଂଶୋଧନ ନ କରନ୍ତି ତେବେ ରାଜରାସ୍ତାରେ ପ୍ରତିବାଦ କରାଯିବ ବୋଲି ବିଧାୟକ କହିଛନ୍ତି ।