ମହାକାଳପଡ଼ା ବ୍ଲକର ୩ଟି ପଞ୍ଚାୟତ ପାଇଁ ଆଜିଠୁ ଜନଶୁଣାନି

କେନ୍ଦ୍ରାପଡା : ଆଉ ପାଦେ ଆଗକୁ ଗଲା କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବବୃହତ୍‌ ଇସ୍ପାତ କାରଖାନା ପ୍ରତିଷ୍ଠା ପ୍ରକ୍ରିୟା। ଏଥିପାଇଁ ଆଜିଠାରୁ ଜନଶୁଣାଣି ଆରମ୍ଭ ହୋଇଛି । ମହାକାଳପଡ଼ା ବ୍ଲକର ପ୍ରସ୍ତାବିତ ୩ଟି ପଞ୍ଚାୟତରେ ଆଜିଠୁ ତିନିଦିନ ଧରି ଜନଶୁଣାଣି ଚାଲିବ। ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲ ଏଠାରେ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ। କାରଖାନାର ସାମାଜିକ ପ୍ରଭାବ ଉପରେ କରାଯିବ ଜନଶୁଣାଣି।

ପ୍ରଥମ ଦିନରେ ରାମନଗର ପଞ୍ଚାୟତର ଲୁଣି ମାଠିଆ ଖେଳ ପଡ଼ିଆରେ ଜନଶୁଣାଣି ଶିବିର ଆୟୋଜିତ ହୋଇଛି। ରାମନଗର ଓ ବନ ବିହାରୀପୁର ମୌଜାର ସ୍ଥିତିବାନ ପଟ୍ଟା ଥିବା ବ୍ୟକ୍ତିମାନେ ଏଥିରେ ଭାଗନେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ରୁତୁରାଜ, ଜିଲ୍ଲା ବନ ଅଧିକାରୀ, ତହସିଲଦାର, ବିଡିଓ ଏବଂ ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲର ପଦାଧିକାରୀମାନେ ଜନଶୁଣାଣି ଶିବିରରେ ଯୋଗଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତିବାନ ପଟ୍ଟା ଥିବା ବ୍ୟକ୍ତିମାନଙ୍କ ପାଇଁ ପାଞ୍ଚଟି ଷ୍ଟଲ୍‌ କରାଯାଇଛି। ଏଥିରେ ସେମାନେ ନାଁ ପଞ୍ଜୀକରଣ କରିବେ। ସୁବିଧାରେ ସେମାନେ ସେମାନଙ୍କ ଜମିର ଖାତା ନମ୍ବର ଓ ପ୍ଲଟ ନମ୍ବର ଦେଇ ନାମ ପଞ୍ଜୀକରଣ କରିବା ସହିତ ନିଜ ନିଜ ମତ ରଖିବେ। ଆଇନଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଖୁବଶୀଘ୍ର ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳିବ ଓ ଜମି ଅଧିଗ୍ରହଣ ଆରମ୍ଭ ହେବ । ଏଥିପାଇଁ ରାଜ୍ୟ ସରକାର ସବୁ ପଦକ୍ଷେପ ନେଇଛନ୍ତି । ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାରେ ବୃହତ୍ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଜିଲ୍ଲାର ଲୋକମାନେ ସ୍ବାଗତ କରିବା ସହିତ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।