‘ନମସ୍ତେ ପ୍ରିୟବନ୍ଧୁ’ ଅନୁଷ୍ଠାନ ପକ୍ଷରୁ ଗାୟତ୍ରୀବାଳା ପଣ୍ଡାଙ୍କୁ ନାଗରିକ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଏବେଠାରୁ ପିଲାଙ୍କୁ ଓଡ଼ିଆ ଭାଷା ସାହିତ୍ୟ ସହିତ ଜଡ଼ିତ କଲେ ହିଁ ଓଡ଼ିଆ ଭାଷାର ବିକାଶ ହେବ । ଆମ କଳା ସଂସ୍କୃତି ଓ ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ଆମ ପିଲା ଓଡ଼ିଆ ଶିଖିବା ନିହାତି ଜରୁରୀ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡା ଏହି ମତ ଦେଇଛନ୍ତି । କୁଜଙ୍ଗଠାରେ `ନମସ୍ତେ ପ୍ରିୟବନ୍ଧୁ’ ଅନୁଷ୍ଠାନ ପକ୍ଷରୁ ଗାୟତ୍ରୀବାଳା ପଣ୍ଡାଙ୍କୁ ନାଗରିକ ସମ୍ମାନ ପ୍ରଦାନ ଅବସରରେ ସେ ଏହା କହିଛନ୍ତି । କାର୍ଯ୍ୟକ୍ରମ ଆରମ୍ଭରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କବିମାନେ କବିତା ପାଠ କରିଥିଲେ ।

ଏହି ଅବସରରେ ବିଶିଷ୍ଟ କବି ପୀତାମ୍ବର ତରାଇ, ସାହିତ୍ୟିକ ଚନ୍ଦ୍ରକାନ୍ତ ପଣ୍ଡା, କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର, ବିଡିଓ ସୋମ୍ୟଶ୍ରୀ ପାଣିଗ୍ରାହୀ ପ୍ରମୁଖ ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ `ଦୟାନଦୀ’ କବିତା ସଂକଳନ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଓ ବିଶିଷ୍ଟ ଶିକ୍ଷାବିତ୍‌ ତଥା ନିଶା ନିବାରଣର ପୁରୋଧା ନିଶାକର ମୁଦୁଲିଙ୍କୁ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉତ୍ସବରେ ରଘୁନାଥ ସାହୁ ସଭାପତିତ୍ବ କରିଥିଲେ ।